Unknown

ଖନା ବଚନ

ଶ୍ରୀ ଶ୍ୟାମ ସୁନ୍ଦର ନାୟକ

 

ଖନାଙ୍କର ସଂକ୍ଷିପ୍ତ ଜୀବନୀ

ଧନ୍ଵନ୍ତରୀଃ କ୍ଷପଣକମରସିଂହସକୁ

ବେତାଳଭଟ୍ଟ ଘଟକର୍ପୂର କାଳିଦାସଃ ।

ଖ୍ୟାତୈା ବରାହ ମିହିରୈା ନୃପତେଃ ସଭାୟାଂ

ରତ୍ନ ନି ବୈର୍ବରରୁଚିମିବ ବିକ୍ରମସ୍ୟ ।

 

ଧନ୍ଵନ୍ତରି, କ୍ଷଣକ, ଅମରସିଂହ, ଶଙ୍କୁ, ବେତାଳଭଟ୍ଟ, ଘଟକର୍ପୂର, କାଳିଦାସ, ବରାହମିହିର ଓ ବରରୁଚି ଏହି ନଅଜଣ ନବରତ୍ନ ଅଟନ୍ତି । ଏମାନେ ଉଜ୍ଜୟିନୀ ମହାନଗରୀରେ ବିରବିକ୍ରମାଦିତ୍ୟଙ୍କର ରାଜସଭା ଅଳଙ୍କୃତ କରୁଥିଲେ । ଏହିମାନେ ଆୟୁର୍ବେଦ ଜ୍ୟୋତିଷ, ସାହିତ୍ୟ ଦର୍ଶନ ପ୍ରଭୃତି ବିଭିନ୍ନ ବିଷୟରେ ଦିଗବିଜୟୀ ପଣ୍ଡିତ ଅଟନ୍ତି । ବରାହମିହିର ଏହି ନବରତ୍ନମାନଙ୍କ ମଧ୍ୟରେ ଅନ୍ୟତମ । ସେ ଜ୍ୟୋତିଷବିଦ୍ୟା ବିଶାରଦ, ତାଙ୍କର ଗଣନା ଅଭ୍ରାନ୍ତି ଏବଂ ଆଶ୍ଚର୍ଯ୍ୟ ଧରଣର ଥିଲା ।

 

ସେହି ସମୟର ଲୀଳାବତୀ ଅନ୍ୟ ଗୋଟିଏ ରାଜବଂଶରେ ଜନ୍ମଗ୍ରହଣ କରିଥିଲେ । କିନ୍ତୁ ସମୁଦ୍ରମଧ୍ୟରେ ବା କୌଣସି ଦ୍ଵିପରେ ବାସକରୁଥିବା କେତେକ ରାକ୍ଷସ ଲୀଳାବତୀଙ୍କର ପିତୃରାଜ୍ୟରେ ପ୍ରବେଶକରି ତାଙ୍କୁ ସବଂଶରେ ମାରି ସେହି ରାଜ୍ୟରେ ବାସ କରୁଥିବା ପ୍ରଜାମାନଙ୍କୁ ବିନାଶକରି ରାଜକୋଷରୁ ସମସ୍ତ ଧନରତ୍ନ ଅପହରଣ କରିଥିଲେ, ମାତ୍ର ଲୀଳାବତୀକୁ ଅଳ୍ପ ବୟସ୍କା କୁମାରୀ ଦେଖି ଏବଂ ତାଙ୍କର ସୌନ୍ଦର୍ଯ୍ୟାତିଶଯ୍ୟାରେ ମୁଗ୍ଧ ହୋଇ ପ୍ରତିହିଂସାପରାୟଣ ରାକ୍ଷସମାନଙ୍କର ମଧ୍ୟ ହିଂସା ବିଦୂରିତ ହେଲା । ସେମାନେ ଧନରତ୍ନ ସହିତରେ ସୁକୁମାରୀ ଲୀଳାବତୀଙ୍କୁ ଅକ୍ଷତ ଶରୀରରେ ନିଜ ଘରକୁ ନେଇଗଲେ । ସେଠାରେ ସ୍ୱକନ୍ୟା ନିର୍ବିଶେଷରେ ଲାଳନ ପାଳନ କଲେ ଏବଂ ନାନାଦି ଜ୍ୟୋତିଶାସ୍ତ୍ର ଶିକ୍ଷା ଦେଇଥିଲେ, ଯାହାଦ୍ୱାରା ସେ ପୃଥିବୀର ସର୍ବଶ୍ରେଷ୍ଠ ଜ୍ୟୋତିଷୀ ରୂପରେ ନିଜର ପରିଚୟ ଦେଇଯାଇଛନ୍ତି ।

 

ଏଣେ ଉଜ୍ଜୟିନୀରେ ବରାହମିହିରଙ୍କର ଗୋଟିଏ ଶୁଭପୁତ୍ର ଜନ୍ମ ହେଲା । ଜ୍ୟୋତିଷ ବିଷାରଦ ପିତା ତାଙ୍କର ଜନ୍ମକେ ଷ୍ଠୀବିଚାର କରୁ କରୁ ଶତବର୍ଷ ପରମାୟୁ ସ୍ଥଳରେ ଦଶବର୍ଷ ପରମାୟୁ ବୋଲି ସ୍ଥିର କଲେ । ବରାହମିହିରଙ୍କ ପରି ଜ୍ୟୋତିଷବିଷାରଦଙ୍କର ଏପରି ଭ୍ରମ ହେବାର କାରଣ କେବଳ ଦେବ ବୋଲି ଧରିନେବାକୁ ହେବ । କାରଣ ନାସ୍ତି ଦୈବାତ୍ ପରଂ ବଳଂ' । ତେଣୁ ବରାହମିହିର ଦଶବର୍ଷ ପୁଅର ମୃତ୍ୟୁ ହେଲେ ବିଶେଷ କଷ୍ଟଦାୟକ ହେବଭାବି ସଦ୍ୟଜାତ ଶିଶୁଟିକୁ ଗୋଟିଏ କାଷ୍ଠାଦିପାତ୍ରରେ ପୁରାଇ ନଦୀଗର୍ଭରେ ଭସାଇଦେଲେ । ଉକ୍ତ ପତ୍ରଟି ଭାସି ଭାସି ଯାଇ ଲୀଳାବତୀ ଥିବା ଦ୍ବୀପ ନିକଟରେ ଲାଗିଲା । ସେଥରେ ଜୈନିକ ରାକ୍ଷସ ସଦ୍ୟଜାତ ସୁକୁମାର ଶିଶୁଟିକୁ ଦେଖି ତାହାର ରୂପଲାବନ୍ୟରେ ଆକୃଷ୍ଟ ହୋଇ ନେଇ ଲୀଳାବତୀ ନିକଟରେ ରଖିଲା ଏବଂ ପୁତ୍ର କନ୍ୟା ନିର୍ବିଶେଷରେ ସୁକୁମାରୀ ଲୀଳାବତୀ ଓ ସୁକୁମାର ମିହିର ଏହି ଦୁଇଟିକୁ ଲାଳନପାଳନ କରିବା ସଂଗେ ସଂଗେ ସେମାନଙ୍କୁ ଜ୍ୟୋତିଷ ବିଦ୍ୟା ଶିକ୍ଷାଦେଲେ । 'ଚକ୍ରବତ୍ ପରିବର୍ତ୍ତନ୍ତେ ଦୁଃଖାନି ଚ ସୁଖାନି ଚ ' ଏହି କ୍ରମରେ ସେହି କୁମାର କୁମାରୀ ଦୁଇଟି ଶୈଶବ ଅବସ୍ଥା ଅତିକ୍ରମ କରି ଯୌବନର ମଧୁସ୍ପର୍ଶରେ ଅଧିକ ରାମାୟଣକର ହେଲେ ଏବଂ ଏକତ୍ର ବାସହେତୁ ପରସ୍ପର ପ୍ରତି ପ୍ରେମ ଦୃଷ୍ଟି ପଡିଲା । ଏହି ହିଁ ପ୍ରକୃତିର ନିୟମ । ନବ ଯୁବତୀର ସଂସ୍ପର୍ଶରେ ଆସିଲେ ଯୁବକ ବା ଯୁବକର ସଂସ୍ପର୍ଶରେ ନ ଆସିଲେ ଯୁବତୀ ନିଜକୁ ସମ୍ଭାଳି ନ ପରି ଯୌବନର ତରଳଉତ୍ତାଳତରଙ୍ଗରେ ଭସାଇଦିଯାନ୍ତି । ସୁତରାଂ ଏହି ନବଯୁବକ ଯୁବତୀ ତାହା ହିଁ କରିବାରେ କୌଣସି ବୈଚିତ୍ର୍ୟ ନାହିଁ ।

 

ମନ୍ୟୁଷର ମନ ସବୁବେଳେ ସ୍ୱାଧୀନ । ସୁତରାଂ ଏହି କ୍ରୁର ରାକ୍ଷସମାନଙ୍କର ବନ୍ଦୀଭାବରେ ରହି ପିଞ୍ଜରାବଦ୍ଧପକ୍ଷୀ ମୁକ୍ତ ବନବାସ କାମନା କଲାପରି ନିଜର ମୁକ୍ତ କାମନା କରୁଥିଲେ । ମାତ୍ର ତାହା ସମ୍ଭବପର ହେଉ ନଥିଲା, କାରଣ ଚତୁଃପାର୍ଶ୍ୱରେ ଉତ୍ତାଳନତରଙ୍ଗ ସମୁଦ୍ର, ସେଥିରେ ପୁଣି ଦୀର୍ଘକାୟ ନିଷ୍ଠୁର ରାକ୍ଷସମାନେ ପ୍ରହରୀ । ଯାହାହେଉ ଯେତେବେଳେ ମୁକ୍ତିର ସମୟ ଆସେ, ସେତେବେଳେ ଜଗତର ସମସ୍ତ ଶକ୍ତି ଏକତ୍ର ହୋଇ ଶୁଦ୍ଧା ତାହାର ବିରୋଧି କରି ପାରନ୍ତି ନାହିଁ । ସୁତରାଂ ଦୁହେଁଯାକ ଗଣନା କରି ମହେନ୍ଦ୍ର ମୁହୂର୍ତ୍ତ ସ୍ଥିର କରି ଘରୁ ବାହାରି ପଡିଲେ ଲକ୍ଷ୍ୟହୀନ ଭାବରେ ।

 

ପ୍ରହରୀ ସଂଗେ ସଂଗେ ତାଙ୍କର ଦଳପତିଙ୍କୁ ସମ୍ବାଦ ଦେଲା । ମାତ୍ର ଦଳ ପତି ଭାବିଲା ଯେ ଏମାନେ ମାହେନ୍ଦ୍ର ବେଳରେ ଅନୁକୂଳ କରିଥିବାରୁ ନିଶ୍ଚୟ କୃତକାର୍ଯ୍ୟ ହେବେ । ତେବେ ଅଯଥାରେ ବାଧା ଦେବା ଭଲନୁହେଁ । ତହୁଁ ଜଣେ ରାକ୍ଷସକୁ ଡାକି କହିଲେ ତୁମେ ଏହି ଦୁଇ ଜଣଙ୍କୁ କାନ୍ଧରେ ବସାଇ ସମୁଦ୍ରର ଆରପରାରେ ଛାଡ଼ିଦେଇ ଆସିବ । ଭୃତ୍ୟ ପ୍ରଭୁଙ୍କର ଆଦେଶରେ ସେହିପରି କଲା । ସମୁଦ୍ର ଏ ପାଖରେ ମିହିରଙ୍କୁ ଗୋଟିଏ ପ୍ରସବ ପାଉଥିବା ଗୋଟେ ଗାଈକୁ ଦେଖାଇ ଗର୍ଭସ୍ଥ ସନ୍ତାନର ବର୍ଣ୍ଣ କଅଣ ହେବ ବୋଲି ପଚାରିବାରୁ ମିହିର ଶୁକ୍ଲବର୍ଣ୍ଣ ବୋଲି କହନ୍ତେ, ରାକ୍ଷସ ପାତାଳତ୍ୱ ପୁସ୍ତକ ଖଣ୍ଡିକ ନେଇ ଚାଲିଗଲେ । କିଛିକ୍ଷଣ ପରେ ଗାଇଟି ଗୋଟିଏ ବାଛୁରୀ ଜନ୍ମ କଲା । ସେ ବାଛୁରୀଟିର ବର୍ଣ୍ଣ ଅଳ୍ପ ରକ୍ତ ବର୍ଣ୍ଣ ଦିଶିବାରୁ ମିହିର ବିରକ୍ତ ହୋଇ ପୂର୍ବୋକ୍ତ ପୁସ୍ତକ ଦୁଇଖଣ୍ଡି ଚିରି ସମୁଦ୍ରକୁ ପକାଇଦେଲେ। ମାତ୍ର ପରେ ବାଛୁରୀଟି ଶୁକ୍ଲବର୍ଣ୍ଣ ଜାଣିପାରି ବହୁ ପରିଶ୍ରମ କରି ଉକ୍ତ ପୁସ୍ତକର କେତେକ ଅଂଶ ପାଇ ଉଜ୍ଜୟିନୀରେ ଆସି ପହଁଚିଲେ । ବରାହ ମିହିର ନିଜର ତ୍ୟକ୍ତ ପୁତ୍ରକୁ ପାଇ ଏବଂ ସମସ୍ତ ଘଟଣା ଗଣନାଦ୍ୱାରା ଜାଣି ପାରି ପୁଅ ଓ ବୋହୁଙ୍କୁ ଆଦରରେ ରଖିଲେ ।

 

ଯେପରି ଆକାଶରେ ମେଘର ଘନଘଟା ପୂର୍ଣ୍ଣଚନ୍ଦ୍ରକୁ ଢାଙ୍କି ପାରେ ନାହିଁ ସେପରି ଗୁଣ କେବେ ଲୁଚି ରହେ ନାହିଁ । କ୍ରମେ ରାଜା ଏବଂ ରାଜସଭାରେ ସମସ୍ତ ସଦସ୍ୟମାନେ ଲୀଳାବତୀଙ୍କର ଧୀମତ୍ତାର ପରିଚୟ ପାଇ ତାଙ୍କୁ ରାଜା ସଭାରେ ସ୍ଥାନ ଦେଲେ । ଏହା ଦ୍ୱାରା ବରାହମିହିର ନିଜକୁ ଅପମାନିତ ମନେ କଲେ । କାରଣ ଟଁଝକର ଖ୍ୟାତି ଦିନକୁ ଦିନ କମିଲା, ତାଙ୍କର ପ୍ରତିହିଂସା ଦିନକୁ ଦିନ ପ୍ରବଳ ହେଲା । ସେ ଦିନ ନିଜ ପୁଅ ମିହିରକୁ ଡାକି କହିଲେ 'ପୁତ୍ର' । ତୁମ୍ଭେ ଲୀଳାବତୀର ଜିହ୍ୱାଛେଦନ କର ତା ନ ହେଲେ ଆମ୍ଭର ସମ୍ମାନ ରହିବ ନାହିଁ । କଣ କରିବେ ପିତାଦେଶ ଅଲଂଘ୍ୟ । କାରଣ ।

 

'ଆଜ୍ଞା ଗୁରୁଣାମବିଚାରଶାୟା' । ତହୁଁ ସେ ବାଧ୍ୟ ହୋଇ ଛୁରୀକା ହସ୍ତରେ ଲୀଳାବତୀଙ୍କ ନିକଟରେ ପହଁଚିଲେ । ଲୀଳାବତୀ ଜାଣିପାରି କହିଲେ, ସ୍ୱାମିନ୍, ଦେବତା ! ବିଳମ୍ବ କାହିଁକି ? ପିତ୍ରାଦେଶ ପାଳନ କରନ୍ତୁ ମାତ୍ର ତାହା କରିବା ପୂର୍ବରୁ ମୋ ଠାରୁ କେତେକେ ଜ୍ଞାନ, କୃଷିତତ୍ତ୍ୱ ଜ୍ୟୋତିଷର ଅନେକ ସାରକଥା ଏହିପରି ଅନେକ ବିଷୟରେ ସେ କହି ଯାଇଥିଲେ, ଯାହାକି ଆପଣମାନେ ଏହି ପୁସ୍ତକରେ ପାଇବେ । ତାହାପରେ ମିହିର ପିତାଙ୍କ ଆଦେଶରେ ପ୍ରିୟତମା ପତ୍ନୀଙ୍କର ଜିହ୍ୱା ଛେଦ କଲେ । ସେହିଦିନଠାରୁ ଖନା ହେଲେ ।ତେଣୁ ଖନାର କଥାକୁ 'ଖଣବାଚନ' କୁହାଯାଏ, ଏହା ହିଁ ବେଶ ପ୍ରଚଳିତ କିମ୍ବଦନ୍ତୀ ବୋଲି ଜାଣିବାକୁ ହେବ । ଇତି ।

ପ୍ରଣେତା

 

ସୂଚୀପତ୍ର

ପ୍ରଥମ ଅଧ୍ୟାୟ

ବିଷୟ

*ଧନୀ ଓ ଦରିଦ୍ର ହେବାର ଲକ୍ଷଣ

*ଶସ୍ୟାଦି ରୋପଣ ସମୟ

*ଦେଶର ଶୁଭ ଲକ୍ଷଣ ନିର୍ଣ୍ଣୟ

*ଧାନ୍ୟ ବେଉଷଣ ନିର୍ଣ୍ଣୟ

*ଧାନ, ମୂଳା, ତୁଳା ଓ ପାନଚାଷ ବିଧି

*ଜମି ଓ ଗୋରୁ କ୍ରୟ କରିବା ବିଧି

*ଧାନ୍ୟ ରୋପଣ ନିର୍ଣ୍ଣୟ

*ହଳଚାଳନା ନିୟମ

*ହଳ ନିଷେଧ ଦିବସ ନିର୍ଣ୍ଣୟ

*ଧାନ ଓ ପାନ ରୋପଣ ସ୍ଥାନ ନିର୍ଣ୍ଣୟ

*ଧାନ୍ୟ ରୋପଣ ବିଧି

*ଧାନ୍ୟ ଛେଦନ କାଳ ନିରୂପଣ

*ପାନ ଲଗାଇବା ମାସ ନିର୍ଣ୍ଣୟ

*ଆଳୁଗଛ ରୋପଣ ନିର୍ଣ୍ଣୟ

*ସାରୁଗଛ ରୋପଣ ନିର୍ଣ୍ଣୟ

*ବାଇଗଣ ରୋପଣ ନିର୍ଣ୍ଣୟ

*କଦଳୀ ରୋପଣ ନିର୍ଣ୍ଣୟ

*ତାଳ ଲଗାଇବା ମନ୍ତ୍ର

*ଆମ୍ବ ଓ ପଣସ ରୋପଣ ବିଧି

*ନଡ଼ିଆଗଛ ଫଳିବା ଉପାୟ

*ବାଉଁଶ ଗଛ ବୃଦ୍ଧି ହେବାର ଉପାୟ

* ସୋରିଷ ବପନ ସମୟ

*ତିଳ ବପନ ସମୟ

*ସୋରିଷ ଓ କପା ରୋପଣ ନିର୍ଣ୍ଣୟ

* ହରିଦ୍ରା ରୋପଣ ସମୟ

*ମୂଳ ଭୂମି ଓ ଆଖୁ ଭୂମି ନିର୍ଣ୍ଣୟ

*ମୂଳା ଓ ଧୂଆଁପତ୍ର ରୋପଣ ବିଧି

*ଲଙ୍କା ମରିଚ ରୋପଣ ବିଧି

*ଗଛ କଲମୀ ରୋପଣ ସମୟ ନିରୂପଣ

*ମହଣସାରୁ, ଖସା ଓ ଲାଉଗଛ ଲଗାଇବାର ପ୍ରଶସ୍ତ ଭୂମି ନିରୂପଣ

*ମଟର କଲାଇର ବପନ ବିଧି

*ମକ୍କା ରୋପଣ ସମୟ ନିର୍ଣ୍ଣୟ

*ଅଳସୁଆ ଲକ୍ଷଣ

*ଵୃଷାଦି ଉତ୍ତମରୂପେ ଜନ୍ମିବାକୁ ଉପାୟ

 

ଦ୍ଵିତୀୟ ଅଧ୍ୟାୟ

*ବୃଷ୍ଟି ଲକ୍ଷଣ

*ବନ୍ୟା (ନଈବଢି) ଲକ୍ଷଣ

 

ତୃତୀୟ ଅଧ୍ୟାୟ

*ଯାତ୍ରା ନିୟମ

*ଉଷା ନିୟମ ନିରୂପଣ

*ଯାତ୍ରାର ଶୁଭ ଲକ୍ଷଣ

* ଯାତ୍ରାର ଅଶୁଭ ଲକ୍ଷଣ

* ବିପରୀତ ଦୃଷ୍ଟେ ଯାତ୍ରାର ଶୁଭଫଳ ନିର୍ଣ୍ଣୟ

* ଶଙ୍କୁ ଦ୍ୱାରା ଯାତ୍ରା ସମୟ ନିରୂପଣ

* କାକ ଦ୍ୱାରା ଯାତ୍ରାର ଶୁଭ ଲକ୍ଷଣ ନିର୍ଣ୍ଣୟ

* କାକ ଦ୍ୱାରା ଯାତ୍ରାର ଅଶୁଭ ଲକ୍ଷଣ ନିର୍ଣ୍ଣୟ

* ତିଥି ଓ ବାରାଦି ଗଣନାକ୍ରମେ ଯାତ୍ରାର ଶୁଭ ନିର୍ଣ୍ଣୟ

* ପ୍ରଶ୍ନଦ୍ୱାରା ଶୁଭାଶୁଭ ନିର୍ଣ୍ଣୟ

* ଦମ୍ପତ୍ତି(ସ୍ତ୍ରୀ ଓ ପୁରୁଷ)ଙ୍କ ମଧ୍ୟରେ ଅପଶ୍ଚାତ୍ ମୃତ୍ୟୁନିରୂପଣ

* ପରମାୟୁ ନିର୍ଣ୍ଣୟ

* ତିଥି ନିରୂପଣ

* ନକ୍ଷତ୍ର ଗଣନା

* ଗର୍ଭସ୍ଥ ସନ୍ତାନ ଗଣନା

 

ଚତୁର୍ଥ ଅଧ୍ୟାୟ

* କୋଷ୍ଠୀ ବିଚାର

 

ପଞ୍ଚମ ଅଧ୍ୟାୟ

* ନବଗ୍ରହଙ୍କର ଶୁଭାଶୁଭ ଫଳବିଚାର ରବିଫଳ

* ଚନ୍ଦ୍ର ଫଳ ଓ ମଙ୍ଗଳ ଫଳ

* ବୁଧ ଫଳ ଓ ବୃହଷ୍ପତ୍ତି ଫଳ

* ଶୁକ୍ରଫଳ ଓ ଶନିଫଳ

* ରାହୁ କେତୁ ଫଳ

* ହଁଚି (ଛିଙ୍କ)ଓ ପଲ୍ଲୀ (ଝିଟିପିଟି) ପତନର ଶୁଭାଶୁଭ ଫଳ

* ମନୁଷ୍ୟମାନଙ୍କ ଦେହରେ ଥିବା ତିଳ ଚିହ୍ନର ଶୁଭାଶୁଭ ଫଳ

* କାଳଜାଇ ମନ୍ଦାର ଶୁଭାଶୁଭ ଫଳ

 

ଷଷ୍ଠ ଅଧ୍ୟାୟ

*କାକ ଶବ୍ଦ ଦ୍ୱାରା ଶୁଭାଶୁଭ ନିର୍ଣ୍ଣୟ

*ପ୍ରଥମ ପ୍ରହର ଫଳ

*ଦ୍ୱିତୀୟ ପ୍ରହର ଫଳ

*ତୃତୀୟ ପ୍ରହର ଫଳ

*ଚତୁର୍ଥ ପ୍ରହର ଫଳ

*ପରିଶିଷ୍ଟ ଡାକ ବଚନ

 

ବୃହତ୍ ଖନା ବଚନ ବା ଡାକଋଷି ବଚନ

ପ୍ରଥମ ଅଧ୍ୟାୟ

ଧନୀ ଦରିଦ୍ର ହେବାର ଲକ୍ଷଣ

ଖଟି ଖଟି ଲାଭ ପାଏ ତା’ର ଅର୍ଦ୍ଧେକ ଯେ ନିତି ଧାଏଁ

ଘରେ ବସି କହେ ବାତ୍ ତା’ର ଘରେ ହା ଭାତ୍ ।୧।

 

ଭୃତ୍ୟକୁ ସଙ୍ଗରେ ଘେନି ସକଳ କାଳରେ । କୃଷିକର୍ମ କରେ ଯେହୁ ଆପଣା ହସ୍ତରେ ।। ଆପେକରି କରାଇବା ଅଭ୍ୟାସ ଯାହାର । ବିଶେଷ ଭାବରେ ଲାଭ ହୁଅଇ ତାହାର ।। ଯେଉଁ ପ୍ରାଣୀ ନିଜେ ନ କରିଣ ଅନ୍ୟ ହସ୍ତେ ।କୃଷିକର୍ମ କରେ ଅର୍ଦ୍ଧଲାଭ ତା ସନ୍ତତେ ।। ଏ ବେନି କଥାକୁ ତେଜି ଅଳସ ଭାବରେ । ଯେଉଁ ପ୍ରାଣୀ ବସି ରହେ ନିଶି ଦିବସରେ ।। ଅନ୍ନବିନା ହାହାକାର ହୋଇଣ ନିରତ । ଜୀବନ ତେଜଇ ସେହୁ ବୁଝ ହେତୁବନ୍ତ ।୧।

 

ଶସ୍ୟାଦି ରୋପଣ ସମୟ

ଶ୍ରାବଣ ପୁର,ଭାଦ୍ରବେ ବାର, ଏହାର ମଧ୍ୟେ ଯେତେ ପାର ।

ଶୁଣ ହେ କୃଷକମାନେ ହୋଇ ହର୍ଷ ଚିତ୍ତ । ଶସ୍ୟ ରୋପଣ ନିୟମ ସେବନ ପ୍ରଶସ୍ତ । ତାହା ବୁଝାଇ କହିବା ସରଳ ଭାବରେ । ଖନା ଯାହା କହିଛନ୍ତି ମିହିର ଆଗରେ । ଶସ୍ୟ ବୋଲନ୍ତେଣ ଧାନ୍ୟ ପ୍ରଭୃତି ଅର୍ଥରେ । ରୋପଣ କରିବ ନେଇ ଯଥା ସମୟରେ ।। ଶ୍ରାବଣ ମାସ ଆଦ୍ୟରୁ ଭାଦ୍ରବ ମାସର । ଦ୍ୱାଦଶ ଦିବସ ଯାଏ ରୋପିଲେ ନିକର ।। ବହୁତ ଫଳ ଫଳଇ ଧାନ୍ୟାଦିରେ ଜାଣ । ଖନାର ବଚନ ଏହା ନୁହେଁ ଅପ୍ରମାଣ ।୨।

 

ଦେଶର ଶୁଭ ଲକ୍ଷଣ ନିର୍ଣ୍ଣୟ

ଅନ୍ଧାର ପରେ ଚନ୍ଦ୍ରର କଳା, କେତେକ କଳା କେତେକ ଧଳା । ଉତ୍ତରେ ଉଚ୍ଚ ଦକ୍ଷିଣେ ନୀଚ, ଧରାରେ ହୁଅଇ ଧାନ୍ୟର ଜାତ ।। ଧାନ ଚାଉଳ ଏବେବି ଶସ୍ତା । ସୁମିଷ୍ଠ ଲାଗଇ ମନୁଷ୍ୟ କଥା ।

 

ଶୁକ୍ଳ ପକ୍ଷ ଆଦ୍ୟେ ଚନ୍ଦ୍ର ଉଦୟ ଦିବସେ । ନିରେଖି ଦେଖିବ ମନେ ରଖି ସୁବିଦୁଷେ । ଚନ୍ଦ୍ରମଣ୍ଡଳର ବର୍ଣ୍ଣ କେତେକ ଧବଳ । କେତେକ ଦିଶଇ ପୁଣି ପ୍ରତିତୁଲ୍ୟ ।। ଉତ୍ତର ପାର୍ଶ୍ୱ ତାହାର ଉଚ୍ଚ ହୋଇଥିବ । ଦକ୍ଷିଣ ଭାଗ ନୀଚାଂଶ ପରାୟେ ଦିଶିବ ।। ସେହି ବର୍ଷ ପୃଥିବୀରେ ବହୁ ଶସ୍ୟ ହେବ । ପ୍ରାଣୀ ମାନଙ୍କର ଭଣ୍ଡାର ଅକ୍ଷୟ ରହିବ ।। ଧାନ୍ୟ ତଣ୍ଡୁଳ ପ୍ରଭୃତି ମିଳିବ ଅବଶ୍ୟ । ପ୍ରାଣୀମାନେ ନିରନ୍ତର ହେବେ ସୁହରଷ ।। ସେହିବର୍ଷ ଅନ୍ନାଭାବ ନ ହୋଇବ କା’ର । ମହୀପରେ ମିଷ୍ଟଭାଷୀ ହେବେ ସର୍ବନର ।। ଆନନ୍ଦ ମନରେ ସବୁ ପ୍ରାଣୀ ନିରନ୍ତର । ଖନା ବୋଲେ କହୁଥିବ ପର ଉପକାର ।୩।

 

ଧାନ୍ୟ ବେଉଷଣ ନିର୍ଣ୍ଣୟ

ଆଷାଢେ କଢାଣ ନାମକୁ, ଶ୍ରାବଣେ ବଢ଼ାଅ ଧାନକୁ ।

ଭାଦ୍ରବେ କଢାଣ ନ୍ୟୁବ, ଆଶ୍ୱିନେ କଢାଣ ଶୂନ୍ ।୪।

 

ଧାନ୍ୟ ବୋଉଷଣ ବିଧି ଚଷାଭାଇ ଶୁଣ । ଆଷାଢ ମାସରେ ଯେବେ ଚଳାଇବୁ ମନ ।। କାହିଁ ହୁଏ କାହିଁ ନୁହେଁ ନୁହଇ ଉତ୍ତମ । ଶ୍ରାବଣ ବେଉଷଣରେ ଫଳେ ବହୁ ଧାନ୍ୟ ।। ଭାଦ୍ରବରେ ଯେବେ ବେଉଷଣ ତୁ କରିବୁ । ସାମାନ୍ୟ ଭାବରେ ତୁହି ଫଳ ପ୍ରାପ୍ତ ହେବୁ ।। ଆଶ୍ୱିନ ମାସକୁ ଯେବେ ରହିବ ପଛାଇ । ଅମଳ ବେଳେ ବସିବୁ ମୁଣ୍ଡେ ହାତେ ଦେଇ ।୪।

 

ଧାନ, ମୂଳା, ତୁଳା ଓ ପାନ ଚାଷ ବିଧି

ଷୋଳ ଚାଷେ ମୂଳା , ତା’ର ଅର୍ଦ୍ଧେକ ତୁଳା ।।

ତା’ର ଅର୍ଦ୍ଧେକ ଧାନ, ବିନା ଚାଷେ ପାନ ।୫।

 

ମୂଳା ଲଗାଇବା ପାଇଁ ବଳାଇଲେ ମନ । ସେ ଜମିକୁ ଷୋଳ ଚାଷ କରି ଷୋଳଦିନ ।। ତୁଳା ଜମିକୁ ଚଷିବ ଦିବସ ଅଷ୍ଟମ । ଧାନ୍ୟ ଜମି ଚାରିଦିନ ଚଷିବ ଉତ୍ତମ ।। ପାନ ଜମିରେ ଯେ ଚାଷ ନାହିଁ ଦରକାର । ବିନା ଚାଷରେ ହୁଅଇ ଅଦ୍ଭୁତ ପ୍ରକାର ।୫।

 

ଜମି ଓ ଗୋରୁ କ୍ରୟ କରିବା ବିଧି

ଘର ପାଖେ ଜମି ବହୁତ ଆଚ୍ଛା, ଜାରଣେ ଯେତେ ମନ ଇଚ୍ଛା । ଚିହ୍ନ ନଚିହ୍ନ ଭାଇ ଭାଇ, ନିଜ ଗାଆଁ ଗୋରୁ କିଣ ଯାଇ । ନ ଦେଖି ଗୋରୁକୁ କିଣିବୁ ନାହିଁ, କିଣିଲେ କାନ୍ଦିବୁ ନାକ ଫୁଲାଇ ।

 

ଗୃହ ନିକଟରେ ଜମି କଲେ ଭୟ ନାହିଁ । ନିରନ୍ତର ତା’ ଉପରେ ଦୃଷ୍ଟିଥାଏ ରହି ।। ଦୂର ଜମିରୁ ଉଜାଡ଼ ହୁଅଇ ବହୁତ । ତେଣୁ ତାକୁ ଆଦରିବ ନାହିଁ କଦାଚିତ ।। ଗୋରୁ କିଣିବାକୁ ଯେବେ ମନ ବଳାଇବ । ନିଜ ଗ୍ରାମ ଗୋରୁ ଦେଖି ନ ଦେଖି କିଣିବ ।। ଦୂରରୁ ଆଣିଲେ ଦେଖି ଶୁଣି ବୁଝିକରି । ନୋହିଲେ ହୀନସ୍ତିଆଙ୍କ ସଙ୍ଗେ ହେବ ସରି ।୬।

 

ବାପ ପୁତ୍ର ମିଳ କରିବା ଚାଷ, ପରା ଆସାରରେ ସର୍ବନାଶ ।ଭାଇ ଭାଇ ମିଳି କରିଲେ କୃଷି, ଅବଶ୍ୟ ବହୁତ ପ୍ରାଣୀଙ୍କି ପୋଷି ।୭।

 

ପରକୁ ନିର୍ଭର ଦେଇ କୃଷି ନ କରିବ । ପିତା ପୁତ୍ର ସାଙ୍ଗ ହୋଇ ଚାଷରେ ଲାଗିବ ।।ଭାଇ ଭାଇ ମିଳି ହୋଇ କରିବେଟି ଚାଷ । ଅବଶ୍ୟ ତହିଁରେ ଲାଭ ହୁଅଇ ବିଶେଷ ।। ପ୍ରତିପୋଷଣ ସେ ଧନେ ବହୁ ପ୍ରାଣୀ ହୋନ୍ତୁ । ଯଶ ପ୍ରସଂଶାମାନ ସବୁଠାରୁ ଲଭନ୍ତି ।୮।

 

 

ଧାନ୍ୟ ରୋପଣ ବିଧି

ଆଷାଢ଼ ମାସରେ ପଞ୍ଚ ଦିବସେ, ଧାନ୍ୟ ରୋପଣ ଯେ କରେ ହରଷେ । ତାକ୍ଷେତ୍ରେ ବହୁତ ଫଳଇ ଫଳ, ପରିପୁର୍ଣ୍ଣ ହୁଏ ଆଶା ସକଳ । ଆଷାଢ ମାସରେ ପାଞ୍ଚ ଦିବସ ମଧ୍ୟରେ । ଧାନ୍ୟ ରୋପଣ କରଇ ଯେହୁ ହରଷରେ ।। ବହୁତ ଫଳ ଲାଭ ହୁଅଇ ତା’ର ଜାଣ । ଆଶା ପୁର୍ଣ୍ଣକରି ମହାନନ୍ଦେ କାଟେ ଦିନ ।୮।

 

ହଳ ଚାଳନା ନିୟମ

ଶୁଭକ୍ଷଣେ ହଳ ଧରି ଯାତ୍ରା, ପଥେ ଯେହ୍ନେ ନୁହେଁ ଅଶୁଭ ବାର୍ତ୍ତା ।

ପ୍ରଥମ ଚୌଦିଗେ ବୁଝିବ ଜାଣି , ପୂର୍ବଦିଗୁ ହଳ ଚାଳିବ ପୁଣି ।

ମନୋରଥ ସବୁ ହୋଇବ ପୂର୍ଣ୍ଣ, ଖନା ବଚନ ଏ ନୁହଇ ଆନ ।

 

ହଳ ଚାଳନାର ବେଳ ବୁଝ ହୋ ସୁଜନ । ଶୁଭବେଳ ଦେଖି ବେଗେ କରିବ ଗମନ ।। ପଥ ମଧ୍ୟେ ଅମଙ୍ଗଳ ଦ୍ରବ୍ୟ ନ ଦେଖିବ । ଦେଖିଣ ଫେରିଣ ପୁଣି ଯାତ୍ରାକୁ ବିହିବ ।। ପ୍ରଥମରେ ଚଉଦିଗ ନିର୍ଣ୍ଣୟ କରିଣ । ପୂର୍ବଦିଗୁ ଆରମ୍ଭ କରିବ ତତକ୍ଷଣ ।। ଏମନ୍ତ ନିୟମ ପାଳି ଯେ ଚଳାଏ ହଳ । ମନୋବାଞ୍ଛା ପୁର୍ଣ୍ଣତା’ର
ହୁଅଇ ଚଞ୍ଚଳ ।। ବିସ୍ତାର ଧନ ତାହାକୁ ପ୍ରାପତ ହୁଅଇ । ଖନାର ବଚନ କେବେ ଅନ୍ୟଥା ନୁହଇ ।୯।

 

ହଳ ନିଷେଧ ଦିବସ ନିର୍ଣ୍ଣୟ

ପୂର୍ଣ୍ଣିମା ଅମାବାସ୍ୟାରେ ଯେ କରଇ ହଳ, ତା କପାଳେ ଦୁଃଖ ଚିରକାଳ ।

ବଳଦର ତା’ର ହୁଅଇ ବାତ, ଖାଇବାକୁ ଗଣ୍ଡେ ନ ମିଳେ ଭାତ ।।

ଖନା କହେ ଶୁଣ ହେ ଚଷାଭାଇ, ମହାପାପ ତା’ର ଅଙ୍ଗେ ଲାଗଇ ।

 

ପୂର୍ଣ୍ଣିମା ଅମାବାସ୍ୟା ଏ ବେନି ଦିବସରେ । ଯେଉଁ ପ୍ରାଣୀ ହଳ କରେ ନୃଶଂସ ଭାବରେ ।। ଚିରକାଳ ଦୁଃଖ ପୀଡ଼ା ସେ ଭୋଗ କରଇ । ହା ଅନ୍ନ ହା ଅନ୍ନ ହୋଇ ଦିବସ ଯାପଇ ।। ଇହକାଳେ ପରକାଳେ ସୁଖ ନ ଲଭଇ । ତା ବଳଦ ଦେହେ ବାତବ୍ୟାଧି ପ୍ରବେଶଇ ।। ଦୁଃଖ ବିନା ସୁଖ ତା’ର ନ ହୁଅଇ ଲେପ । ତା ମୁଖ ଚାହିଁଲେ ଦୋଷ ଲାଗଇ ବିଶେଷ । ଖନା କହେ ମୋର ବାକ୍ୟ ଅନ୍ୟଥା ନୋହିବ । ମହାପାପୀ ତା’ର ମୁଖ କେହି ନ ଚାହିଁବ ।୧୦।

 

ଧାନ୍ୟ ରୋପଣ ସ୍ଥାନ ନିର୍ଣ୍ଣୟ

ଡାକି କରି ଖନା କହେ, ରୌଦ୍ରେ ଧାନ ପାନ ଛାଇଏ ।୧୧।

 

ଡାକିକରି ଖନା କହୁଅଛି ହରଷରେ । ଧାନ୍ୟ ହୁଏ ସୂର୍ଯ୍ୟ କରିଣ ସ୍ଥିତ ସ୍ଥାନରେ । ଛାୟା ଯୁକ୍ତ ସ୍ଥାନରେ ପାନ ହୁଏ ବିଶେଷ । ଶୁଣ ଚଷା ଭାଇମାନେ ମୋର ଉପଦେଶ ।୧୧।

 

ଏକ ମାର୍ଗଶିରେ ଧାନ । ତିନି ଶ୍ରାବଣରେ ପାନ ।। ଧାନ୍ୟଫଳ ଫଳିପାରେ ଏକ ମାର୍ଗଶିରେ । ତିନିଶ୍ରାବଣରେ ଯାଇଁ ପାନ ଭଲା ଫଳେ ।। ଧାନ ପାନ ମଧ୍ୟେ ଏହି ପ୍ରଭେଦ ଅଟଇ । କିଏ ଶୀଘ୍ର କିଏ ଡ଼େରି ବୁଝିବ ହେ ଭାଇ ।୧୨।

ଧାନ୍ୟ ରୋପଣ ବିଧି

କୋଳ ପଖାଳ ନୋଟା ଗୋଚ୍ଛି । ଲକ୍ଷ୍ମୀ ବୋଲନ୍ତି ମୁଁ ସେଇଠି ଅଛି । ଫାଙ୍କଫାଙ୍କ କରି ରୋପଣ କରିବ । ଗଛ ମୋଟ ହୋଇ ସେହି ବିଶେଷ ଫଳିବ ।। ଲକ୍ଷ୍ମୀ କହୁଛନ୍ତି ମୁଁ ରହେ ସେହି ସ୍ଥାନେ । ଏହି ନିୟମରେ ଚଳ ଚଷାଭାଇ ମାନେ ।। ଅବଶ୍ୟ ବହୁତଧାନ ଫଳ ଲଭିବ ନିଜର । ମହାନନ୍ଦେ ମହୀରେ ରହିବ ନିରନ୍ତର ।। ଅଙ୍ଗରୁ ଦାରିଦ୍ର୍ୟ ବ୍ୟାଧିଯିବ ଦୂରହୋଇ । କି ଅଭାବ କହ ଲକ୍ଷ୍ମୀ ବିରାଜିବେ ଯହିଁ ।

 

ଧାନ୍ୟ ଛେଦନର କାଳ ନିରୂପଣ

ମାର୍ଗଶୀର ପୌଟି, ପୌଷେ ଛଅଟି । ମାଘରେ ନଡ଼ା, ଫଗୁଣେ ପାଇବ ଝଡ଼ା ।୧୪।

 

ମାର୍ଗଶିର ମାସରେ କାଟିବ ଯେବେ ଧାନ । ଅମଳ କଲେ ପାଇବ ଷୋଳପଣ ଜାଣ । ପୌଷରେ କାଟିଲେ ଦଶପଣ ଊଣା ହେବ । ଛଅପଣ ମାତ୍ର ଚଷାଭାଇକି ମିଳିବ । ଧାନ୍ୟ ନ ମିଳିବ ମାଘ ମାସରେ କାଟିଲେ ।କେବଳ ନଡ଼ାଯାକ ଆଦାୟ ହେବ ଭଲେ ।। ଫାଲଗୁନରେ ଧାନ୍ୟ ନଡ଼ା କିଛି ନ ମିଳିବ । ଖନାର ବଚନ ଏହା ଅନ୍ୟଥା ନୋହିବ ।୧୪।

 

ଥୋଡେ ତିରିଶ ଫୁଲେବିଂଶ, ଘୋଡାମୂଖା ହେଲେ ତେର ଦିବସ । ବୁଝି ସୁଝି ଚଷା କାଟିଲେ ଶସ୍ୟ, ତହିଁରୁ ଗୋଟିଏ ନ ହୁଏ ନାଶ ।।

 

ଧାନ୍ୟ ଥୋଡ ହେବାଠାରୁ ତିରିଶ ଦିନରେ । ଛେଦନ କରିବା ଧାନ୍ୟ ହରଷ ମନରେ । ଫୁଲ ଉଡାଇବା ଦେଖି ବିଂଶଦିନ ଗଖି । ମୁଖ ନୁଆଁଇବା ଠାରୁ ତେରଦିନ ଶୁଣି । ଏହା ବୁଝି ଯେଉଁ ଚଷା ଭାଇ କାଟେ ଧାନ । ତହିଁରୁ ଗୋଟେ ଉଣା ନ ହୁଅଇ ଜାଣ ।୧୫।

 

ଶିକ୍ଷା ଦେଖିଣ ବିଂଶଦିନେ, କଟିବ ମୋଡିବା ଦଶ ଦିନେ ।୧୬।

 

ଧାନ ଶିଷା ବାହାରିବାଠାରୁ ବିଂଶଦିନେ । ଛେଦନ କରିବ ତାକୁ ମୂଳରୁ ଯତନେ ।। ଦଶଦିନଯାକେ ତାକୁ ଗଦାରେ ମାଡ଼ିବ । ତହୁଁ ତାକୁ କାଢି ବେଗେ ଅମଳ କରିବ ।। ଏମନ୍ତ ଭାବରେ ଏକଗୋଟି ନୁହେଁ ନଷ୍ଟ । ଚଷାଭାଇ ହରଣ ହୁଏ ସବୁ କଷ୍ଟ ।୧୬।

 

ଦିବସେ ଖରା ରାତ୍ରେକାଳ, ଦିନୁଦିନ ବଢେ ଧାନର ବଳ ।୧୭।

 

ଯେଉଁ ବର୍ଷ ବର୍ଷାକାଳେ ଦିବସରେ ଖରା । ରାତ୍ରିରେ ବର୍ଷା ହୁଅଇ ମୁଷଳର ଧାରା ।। ସେହି ବର୍ଷ ଧାନ୍ୟ ଆଦି ଫଳଇ ବହୁତ । ଚଷା ଭାଇ ମାନେ ଶୁଣି ହୋଇ ହରଷିତ ।୧୭।

 

ବାନ୍ଧ ଆଗେ ଆଳି ରୁଅ ତେବେ ଶାଳି ।

ତହିଁ ଯଦି ଫଳ ନ ଫଳେ ଖନା ବୋଲେ ଦେବୁ ଗାଳି ।୧୮।

 

ଆଡ଼ିବନ୍ଧ ଦେଇ କ୍ଷେତରେ ଜଳ ରଖିବ । ଶାଳିଧାନ୍ୟ ନେଇ ତିଥି ମଧ୍ୟରେ ରୋପିବ ।। ବିସ୍ତାର ଫଳଇ ଧାନ୍ୟ ଆଶ୍ଚର୍ଯ୍ୟ ଭାବରେ । ମିଥ୍ୟା ହେଲେ ଗାଳିଦେବ ବରାହ ବିଧିରେ ।୧୮।

 

ଆଉଶ ଧାନର ଚାଷ, ଲାଗେ ତିନିମାସ ।୧୯।

 

ଆଉଶ ଧାନ୍ୟ ବିଆନି ଧାନକୁ ଯେ କେହି । ତିନିମାସ ଠାରେ ଅମଳକୁ ସେ ଆସଇ ।। ଆଉ ସବୁ ଧାନ୍ୟ ରୋପଣର ତିନିମାସେ । ଶେଷ ହୁଏ ବୋଲ ମିହିରଙ୍କ ଜାୟା ଭାଷେ ।୧୯।

 

ପାନ ଲଗାଇବା ମନ୍ତ୍ର

ପାନ ରୋପିଲେ ଶ୍ରାବଣେ, ଲାଭ ହୁଏ ଦ୍ୱିଗୁଣେ ।

ଖାଇଲେ ବହିଲେ ନ ହୁଏ ଶେଷ,

ଖନା ବୋଲେ ଘେନ ଏ ଉପଦେଶ ।୨୦।

 

ପାନ ରୋପଣ କରିଲେ ଶ୍ରାବଣ ମାସରେ । ତହିଁରେ ଲାଭ ହୁଅଇ ଦ୍ୱିଗୁଣ ପ୍ରକାରେ ।। ଖାଇଲେ ବୋହିଲେ କେବେ ଶେଷ ନ ହୁଅଇ । ଖନା ବୋଲେ ଏ ବଚନ ମାନି ଚଳ ଭାଇ ।୨୦।

 

ଆଉଶରେ ଭୂଇଁ ବେଳେ ,ପାଟ ଜମି ଭଲ ମଟାଳେ ।୨୧।

 

ବିଆଳି ଜମି ବାଲିଆ ଜମିରେ ଉତ୍ତମ । ମଟାଳ ଭୂମିରେ ଭଲ ହୁଏ ବଡ଼ ଧାନ୍ୟା ।। ପାଟ ଜମି କହି ଯହିଁ ହୁଏ ଜଳସ୍ଥିତ । ଶାରଦ ଧାନ ତହିଁରେ ଅଟଇ ପ୍ରଶସ୍ତ ।୨୧।

 

ବୈଶାଖ ପ୍ରଥମ ଦିନରେ ବୃଷ୍ଟି, ଆଉଶ ଧାନ୍ୟର ହୁଏ ସୃଷ୍ଟି ।୨୨।

 

ବୈଶାଖ ମାସ ପ୍ରଥମ ଦିନରେ ବର୍ଷିଲେ । ବିଆଳି ଧାନ୍ୟ ବହୁତ ହୁଅଇ ସଂସାରେ ।। ଅଭାବ ବେଳକୁ ଏହି ଭରସା ହୋଇବ । ପ୍ରାଣୀମାନଙ୍କର ଦୁଃଖ କଷ୍ଟ ମେଣ୍ଟିଯିବ ।୨୨।

 

ଆଳୁଗଛ ରୋପଣ ନିର୍ଣ୍ଣୟ

ଆଳୁ ରୋପିଲେ ବାଂଶବନେ, ବହୁତ ଫଳେ ଅଳ୍ପଦିନେ ।୨୩।

 

ବାଂଶ ବଣ ନିକଟେ ଆଳୁ ଯେ ରୋପିବ । ଅଳ୍ପ ଦିବସରେ ବହୁ ଫଳ ଯେ ଫଳିବ । ସେ ଘେନି ସନ୍ତୋଷ ହେବ ମାନବଙ୍କ ମନ । ଆନନ୍ଦ ଭାବରେ ଲକ୍ଷ୍ମୀ ହୁଅନ୍ତି ପ୍ରସନ୍ନ ।୨୩।

 

ଛାୟାର ଓଲୁଅ ଗଲୁ ତୁଣ୍ଡରେ, ରୋପିବା ପ୍ରାଣୀକି ଧନାଢ୍ୟ କରେ ।

ଲକ୍ଷ୍ମୀ ତାହାର ବାସେ , ବିରାଜି ଥା’ନ୍ତି ହରଷେ ।୨୪।

 

ଛାୟା ସ୍ଥାନ ଦେଖି ଯେବେ ଓଲୁଅ ରୋପିବ । ବହୁତ ଫଳ ତହିଁରୁ ନିଶ୍ଚୟ ପାଇବ । ଖାଇଲା ମାତ୍ରକେ ସିନା ତୁଣ୍ଡ ଗଲୁ କରେ । କିନ୍ତୁ ଲକ୍ଷ୍ମୀ ବିରାଜନ୍ତି ତାହାରି ଗୃହରେ ।୨୪।

 

ଫାଲଗୁନେ ଯଦି ନ ରୋପିବ ଓଲ, ଶେଷ ହୋଇଯିବ ଅନ୍ତଗୋଳ ।

 

ଫାଲଗୁନ ମାସେ ଓଲୁଅ କରିବ ରୋପଣ । ଅନ୍ୟମାସେ ରୋପିଲେ ହୁଅଇ ଅକାରଣ ।। ପକ୍ଷୀମାନଙ୍କର ଡ଼ିମ୍ବ ପରାଏ ଦିଶଇ । ଅସ୍ପୃଶ୍ୟ ଅଟଇ ତାକୁ ନ ଛୁଅନ୍ତି କେହି ।୨୫।

 

ଚାଳ ଭରା କୁମୁଡ଼ା ପାତୀ , ଭକ୍ଷୀ ବଲେନ୍ ଆମି ତଥା ।୨୬।

 

କୁଷ୍ମାଣ୍ଡ କି ଅବା ଲାଉ ବୃକ୍ଷ ଚାଳ ପୂର୍ଣ୍ଣ । ହୋଇପାରେ ଯେବେ ଲକ୍ଷ୍ମୀ ଥାନ୍ତି ସେହି ସ୍ଥାନ ।। ତହିଁରୁ ବହୁତ ଲାଭ ନିଶ୍ଟୟ ହୁଅଇ । ଖନାର ବଚନ କେଭେ ଅନ୍ୟଥା ନୁହଇ ।୨୬।

 

ଉଠାନଭରା ଲାଉ ଶସା , ଖନା ବୋଲେ ଲକ୍ଷ୍ମୀର ଦଶା । କାକୁଡ଼ି ଲାଉ ପ୍ରଭୃତି ଯେ କରେ ରୋପଣ । ତହିଁରୁ ବହୁ ଲାଭ ହୁଅଇଟି ଜାଣ ।। ଅଚଳା ହୋଇ କମଳା ତା ଗୃହରେ ଥାନ୍ତି । ତିଳେ ମାତ୍ର ଦୁଃଖ ତାକୁ କେଭେ ନ ଦିଅନ୍ତି ।୨୭।

 

ସାରୁଗଛ ରୋପଣ ବିଧି

ନଦୀ କୂଳରେ ସାରୁଗଛ, ରୋପନ୍ତେ ତିନିହାତ ଉଚ୍ଚ ।

ତା ମୂଳରେ ପାଉଁଶ ଦିଅ, ମନ ଇଚ୍ଛା ଫଳ ନିଅ ।୨୮।

 

ନଦୀକୂଳେ ସାରୁଗଛ କରିଲେ ରୋପଣ । ତିନିହାତ ଉଚ୍ଚ ସେହୁ ହୋଇବ ପ୍ରମାଣ ।। ତା ମୂଳରେ କଳା ପାଉଁଶକୁ ଦେଲେ ନେଇ । ଫଳ ଫଳିବ ବହୁତ ଜାଣ ଚଷାଭାଇ ।୨୮।

 

ବାଇଗଣ ରୋପଣ ନିର୍ଣ୍ଣୟ

ଖନା ବୋଲେ ବରାହ ପୁଅ, ଦଶମାସରେ ବାଇଗଣ ରୁଅ ।

ଚଇତ୍ର ବୈଶାଖ ଦେଇ ବାଦ, ତହିଁ ନାହିଁ କିଛି ବିଷାଦ ।

ଧରିଲେ ପୋକ ଦେବା ଛାଇ , ଏହାଠାରୁ ବଳି ଉପାୟ ନାହିଁ ।

ମାଟି ଶୁଖିଗଲେ ଢାଳିବ ଜଳ , ସକଳ ମାସରେ ଫଳଇ ଫଳ ।।

 

ଚୈତ୍ର ବୈଶାଖ ବେନି ମାସକୁ ତେଜିଣ । ଦଶମାସେ ବାଇଗଣ କରିବ ରୋପଣ । ପୋକ ଧରିଲେ ପାଉଁଶ ପକାଇବ ନେଇ । ମାଟି ଶୁଷ୍କ ହୋଇଗଲେ ଜଳଦେବ ତହିଁ ।। ସବୁ ମାସରେ ଅସଂଖ୍ୟ ଫଳ ହେବ ଜାତ ।ମିହିରକୁ ଡ଼ାକି ଖନା କହନ୍ତି ଏମନ୍ତ ।୨୯।

 

ପୋଟଳ ରୋପଣ ବିଧି

ପୋଟଳ ରୋପିଲେ ଫଗୁଣେ , ଫଳ ଫଳଇ ଦୁଇଗୁଣେ ।୩୦।

 

ପୋଟଳ ରୋପଣ କଲେ ଫାଲଗୁନ ମାସରେ । ଦ୍ୱିଗୁଣ ଫଳଇ ଦେଖ ଶାସ୍ତ୍ର ଅନୁସାରେ ।। ତହିଁରୁ ବହୁତ ଲାଭ ହୁଅଇ ନିୟତ । କମଳା ହୁଅନ୍ତି ତା’ର ଘରେ ଉପସ୍ଥିତ ।୩୦।

 

ମନ ଦେଇ ଶୁଣ ଚଷାର ବେଟା, ମାଟିର ମଧ୍ୟେ ବାଲି ଯେଟା ।

ତହିଁରେ ଯେତେ ରୋପିବୁ ପୋଟଳ, ତେବେ ତୋହର ଆଶା ହେବ ସଫଳ ।୩୧।

 

ଚଷାଭାଇମାନେ ମନ ଦେଇ ଶୁଣ ଏବେ । ବାଲି ମିଶା ମାଟି ପଡ଼ି ରହିଥିବ ଯେବେ ।। ବଳବାନ ମାଟି ପଟୁ ମାଟିମାନ ଦେଇ । ତହିଁରେ ଯେବେ ପୋଟଳ ଲଗାଇବ ନେଇ ।। ବହୁତ ଫଳ ଫଳଇ ତହିଁର ପ୍ରମାଣ । ସେ ଘେନି ବିସ୍ତର ଧନ ମିଳିବ ଯେ ପୁଣ ।। କାମନା ପୂର୍ଣ୍ଣ ନିଶ୍ଚୟ ହେବ ଯେତେବେଳେ । ଚଷା ପୁଅ ହିତପାଇଁ ଖନା କହେ ବଳେ ।୩୧।

 

କଦଳୀ ରୋପଣ ନିର୍ଣ୍ଣୟ

ସାତ ହାତ ତିନି ବିଘାତେ, କଦଳୀ ଲଗାଅ ମାତା ପୁତ୍ରେ ।

ତହିଁରୁ କେଭେ ନକାଟ ପତ୍ର, ନିଶ୍ଚୟ ମିଳିବ ଅନ୍ନ ବସ୍ତ୍ର ।୩୨।

 

ତିନି ଚାଖଣ୍ଡେ ପ୍ରମାଣେ ଗର୍ତ୍ତକୁ ଖୋଳିବ । ସାତହାତ ଅନ୍ତରେ କଦଳୀ ରୋପିବ ।। ପୁଆ ଲଗାଇଣ ଏକା ତାକୁ ଆଣିଥିବ । ସେ ଗର୍ତ୍ତ ମଧ୍ୟରେ ତାକୁ ଯତନେ ପୋତିବ ।। ଖଣ୍ଡିଏ ପତ୍ର ତହିଁରୁ ନ କାଟିବ ଯେବେ । ଅନ୍ନ ବସ୍ତ୍ରେ ସୁଖ ହୋଇ ରହିବଟି ତେବେ ।୩୨। ଯେବେ ରୋପିବ ଫଗୁଣେ କଲା, ତେବେ ହୁଏ ମାସ ସଫଳା ।

 

ଫାଲଗୁନ ମାସରେ ଯେବେ କଦଳୀ ରୋପିବ । ପ୍ରତି ମାସେ ରମ୍ଭାଫଳ ପରାପତ ହେବ ।। ଧନପୁର୍ଣ୍ଣ ହୋନ୍ତେ ଦୁଃଖ ହୋଇଯିବ ଦୂର । ଲକ୍ଷ୍ମୀ ବିରାଜନ୍ତି ଆସି ତାହାର ମନ୍ଦିର ।୩୩।

 

ଡାକ ଛାଡ଼ି କହେ ରାବଣ, କଦଳୀ ଲଗା ଆଷାଢ ଶ୍ରାବଣ ।

ତିନିଶ ଷାଠିଏ କଦଳୀ ରୁଅ ଘରେ ଯାଇ ସୁଖେ ଶୁଅ ।

ଗଛରୁ ପତ୍ର ନ କାଟ ଭାଇ, ଅନ୍ନ ବସ୍ତ୍ରେ ଥିବୁ ସୁଖୀ ହୋଇ ।୩୪।

 

ତିନିଶ ଷାଠିଏ ବୁଦା କଦଳୀ ଗଛ । ଆଷାଢ ଶ୍ରାବଣ ମାସେ ରୋପିବ ପ୍ରତକ୍ଷ୍ୟ ।। ପତ୍ର ଖଣ୍ଡିଏ କାଟିବ ନାହିଁ ସେ ଗଛରୁ । ନିଶ୍ଚୟ ବହୁତ ଲାଭ ହୋଇ ବ ତହିଁରୁ ।। ଅନ୍ନ ବସ୍ତ୍ର ଅଭାବ ଯେ କେଭେ ନ ଘଟିବ । ଧନ ପୂର୍ଣ୍ଣ ହେଲେ ମହା ଆନନ୍ଦେ ରହିବ ।୩୪।

 

ଫାଲଗୁନେ ଏଣ୍ଟି, ପୋତ କାଟି ।

ଲାଗିଯିବ ଗଛକୁ ଗଛ, ଖନା ବଚନ ନୁହେଁ ମିଛ ।୩୫।

 

କଦଳୀଗଛ ମୂଳକୁ ଫାଲଗୁନ ମାସରେ । ଅଳ୍ପ ଖୋଳି ଦେବ ଯତନ ପ୍ରକାରେ ।। ତାହାହେଲେ ସବୁ ଗଛ ଲଗାଲଗି ହୋଇ । ବଡ଼ ବଡ଼ କାନ୍ଦିମାନ ତହିଁରେ ଫଳଇ ।। ତହିଁରୁ ବହୁତ ଲାଭ ହୁଅଇ ନିୟତ । କେତେବେଳେ ଦୁଃଖାବସ୍ଥାନ ହୋଇବ ଜାତ ।। କଦଳୀ ଲଗାଇ ଭାଦ୍ରବ ମାସେ, ନାଶ ହେଲା ଲଙ୍କପତି ସବଂଶେ । ଉତ୍ତର ବାଆ ବଡ଼ ମନ୍ଦ, କେହି ତାର ନ ଜାଣେ ଛନ୍ଦ ।୩୬।

 

ଭାଦ୍ରବ ମାସେ କଦଳୀ ଲଗାଇ ରାବଣ । ସବଂଶେ ବିନାଶ ସେହି ହୋଇଲା ପ୍ରମାଣ ।। ତେଣୁ ସେ ମାସରେ କଦଳୀ କି ନ ରୋପିବ । ରୋପିଲେ ନିଶ୍ଚୟ ପରିଶ୍ରମ ବୃଥା ହେବ ।। ଉତ୍ତରବାୟୁ ସେ ମାସରେ ସିନା ଭଲ । କଦଳୀ ବୃକ୍ଷକୁ କରେ ନାରଖାର ।। କେହି ତା’ର ଛନ୍ଦ ଭାବ ଜାଣି ନ ପାରନ୍ତି । ନ ବୁଝି ନ ସୁଝି ପ୍ରାଣୀ କ୍ଷତିଗ୍ରସ୍ତ ହୋନ୍ତି ।୩୬।

ଆଠହାତ ଅନ୍ତେ କଦଳୀ ରୋପିବ ଯତନେ ପାଣିକୁ ଢାଳି ।

 

ପତର ନ କାଟି ରଞ୍ଜିବ ମୂଳ, ତହିଁରେ ଦେଖିବ କେମନ୍ତ ଫଳ ।।

କଦଳୀ ରୋପିବ ଆଠ ହାତ ଅନ୍ତରରେ । ଖରାଦିନେ ପାଣି ଦେବ ତାହାର ମୂଳରେ ।। ପତର ଖଣ୍ଡିଏ ତହୁଁ କେଭେ ନ କାଟିବ । ମୂଳ ସଫାକରି ମନ୍ଦାମାନ କରିଦେବ ।। ଦେଖିବ କେମନ୍ତ ନ ଫଳିବଟି କଦଳୀ । ଖନା କହେ ଚଷାଭାଇ ଚିତ୍ତେ ଥାଅ ଭାଳି ।୩୭।

 

ସିଂହମୀନ ବଜ୍ଜେ, କଦଳୀ ଖାଅ ଆର୍ଯ୍ୟେ ।୩୮।

 

କଦଳୀ ଭକ୍ଷଣ ବିଧି କହିବା ହେ ଶୁଣ । ଭାଦ୍ରବ ଚଇତ୍ର ବେନି ମାସକୁ ତେଜିଣ ।। ସୁଜ୍ଞଜନମାନେ ଏହା ବିଚାରିଣ ଚିତ୍ତେ । କଦଳୀ ଭକ୍ଷିବ ଆଉ ସବୁ ମାସେ ନିତ୍ୟେ ।୩୮।

 

ଆଗେ ପୁତ କଲା, ବଗ ବଗିଚା ଫଳା । ଶୁଣରେ ବାଣ ଚଷାର ପୁଅ, କ୍ରମେ ନାରୀକେଳ ଗୁବାକ ରୁଅ । ନଡ଼ିଆ ବାର ଗୁବାକ ଆଠ, ଏପରି ମାପି ଘର କାଟ ।୩୯।

 

ବଗିଚା କରିବା ପାଇଁ ଇଚ୍ଛାକରି ଯେବେ । ପ୍ରଥମରେ କଦଳୀ ଲଗାଇ ଦେବ ତେବେ ।। ତା’ପରେ ନଡ଼ିଆ ସେହି ସ୍ଥାନରେ ରୋପିବ । କିଛିଦିନ ପରେ ପୁଣି ଗୁଆ ଲଗାଇବ ।। ନଡ଼ିଆ ରୋପିବ ବାରହାତ ଅନ୍ତରରେ । ଗୁଆ ଲଗାଇବ ଆଠହାତ ଯତ୍ନରେ ।। ଏହିପରି ନିୟମ ଭାବେ ଚଳିଲେ ଅବଶ୍ୟ । ଉପବନ ମଧ୍ୟେ ଫଳ ହୁଅଇ ବିଶେଷ ।

 

ତାଳ ଲଗାଇବା ନିର୍ଣ୍ଣୟ

ଏକ ପୁରୁଷେ ଲଗା ତାଳ, ଦୁଇ ପୁରୁଷେ ତାହା ଫାଳ ।

ତା ପର ପୁରୁଷେ ଖାଇବ ଫଳ, ଚାହିଁ ରହିଥା ତିନିକାଳ ।୪୦।

 

ତାଳଗଛ ରୋପଣ କରିବ ଯେଉଁ ଜନ । ସେ ପୁରୁଷେ ଫଳ ନ ପାଇବ କଦାଚନ । ତା’ ପର ପୁରୁଷେ ପ୍ରତିପାଳନ କରିବେ । ସେ ମଧ୍ୟ ତାହାର ଫଳ ଲଭି ନ ପାରିବେ ।। ତା’ ପୁରୁଷେ ଯାଇଁ ହେବ ଫଳ ପ୍ରାପ୍ତ । କିଏ ତିନିକାଳ ଚାହିଁ ବସିବ ନିୟତ ।୪୦।

 

ବାର ବରଷରେ ଫଳଇ ତାଳ,

ଯେବେ ନ ଲାଗିବ ଗୋମୁଖ ଲାଳ ।୪୧।

 

ତାଳଗଛ ଲଗାଇବ ଅତି ଯତ୍ନ ଭାବେ । ଗୋମୁଖ ତହିଁ ଯେନ୍ହେ ନ ଲାଗିବ କେବେ ।। ତେବେ ବାର ବରଷରେ ନିଶ୍ଚୟ ଫଳଇ । ଖନାର ବଚନ ଏହା ଅନ୍ୟଥା ନୁହଇ ।୪୧।

 

ଗୁଧ୍ର ପାଶେ ଥିଲେ ତାଳ, ଅଳ୍ପଦିନେ ପୂରଇ କାଳ ।

ଗୁଧ୍ର ପକ୍ଷୀ ବସି ତା’ ପରେ, ନାନା ବ୍ୟାଧି ଜାତକରେ ।୪୨।

 

ଗୃହ ନିକଟରେ ଯେବେ ତାଳଗଛ ସ୍ଥିତ । ତାହାକୁ ଛେଦନ ବେଗେ କର ବୁଦ୍ଧିମନ୍ତ । ନୋହିଲେ ତା’ ପରେ ଗୁଧ୍ର ପକ୍ଷୀ ଯେ ବସିବ । ତେଣୁ ନାନା ରୋଗ ଆସି ହୃଦେ ପ୍ରବେଶିବ ।। ଖନା ବାକ୍ୟ ମନା ଏହୁ ଅଛି ଚିରକାଳ । ଯେ ପ୍ରାଣୀ ନ ମାନେ ତା’ ର ପୂରେ ଅଳ୍ପକାଳ ।୪୨।

 

ଆମ୍ବ ଓ ପଣସ ରୋପଣ ବିଧି

କୋଡ଼ିଏ ହାତ କରି ଫାଙ୍କ, ଆମ୍ବ ପଣସ ପୋତି ଦେଖ ।

ଗଛକୁ ଗଛ ଯେବେ ଲାଗଇ, ତେବେ ଫଳ ଲଭିବ ନାହିଁ ।୪୩।

 

ମଝିରେ କୋଡ଼ିଏ ହାତ ଯେ ଫାଙ୍କ ରଖି । ଆମ୍ବ ପଣସ ଗଛକୁ ଲଗାଇ ନ ଦେଖି ।। ଗଛକୁ ଗଛ ଯେବେ କି ଲାଗିଯାଏ ହେଳେ । ତେବେ ସେ ବୃକ୍ଷ କଦାପି ଗୋଟିଏ ନ ଫଳେ ।୪୩।

 

ମାର୍ଗଶିରେ ଯେବେ ନ ହୁଏ ବୃଷ୍ଟି, ଜାଣିବ ନ ହେବ ପଣସ ସୃଷ୍ଟି ।

 

ବରଷା ନ ହୁଏ ଯେବେ ମାର୍ଗଶିର ମାସେ, ନ ଫଳିବ ପଣସ ଜାଣିବ ଅବଶେଷେ । ଖୋଜିଲେ ଲୋଡ଼ିଲେ କାହିଁ ଗୋଟିଏ ନ ମିଳେ । ଖନା କହନ୍ତି ଏହା ମିହିର ଆଗରେ ।୪୪।

 

ନଡ଼ିଆ ଗଛ ଫଳିବା ଉପାୟ

ନଡ଼ିଆ ମୂଳେ ଲବଣ ମାଟି, ଶୀଘ୍ର ଶୀଘ୍ର ଧରେ ଗୃଟି ।୪୫।

 

ନଡ଼ିଆ ଗଛ ମୂଳରେ ଲୁଣ ମାଟି ଦେଲେ । ବହୁତ ଫଳଇ ଫଳ ଖନା ଏହା ବୋଲେ ।। ଗୋଟିଏ ମାତ୍ର ତହିଁରୁ ନଷ୍ଟ ନ ହୁଅଇ । ଏହି କଥା ଗୋଟି ମନେ ରଖିଥାଅ ଭାଇ ।୪୫।

 

ଖନା ବୋଲେ ଶୁଣିଥାଅ, ନଡ଼ିଆ ମୂଳରେ ଚିଟା ଦିଅ ।

ଗଛ ହେବ ବହୁତ ମୋଟା, ଶୀଘ୍ର ଶୀଘ୍ର ଧରେ ଗୋଟା ।୪୬।

 

ଖନା କହୁଅଛି ଡ଼ାକି ଶୁଣ ଚଷା ଭାଇ । ନଡ଼ିଆ ଗଛ ମୂଳେ ଅଗାଡ଼ି ଦିଅ ନେଇ ।। ଗଛ ସବଳ ସତେଜ ହୋଇଣ ଚଞ୍ଚଳ । ବଡ଼ ବଡ଼ କାନ୍ଦି ହୋଇ ହୋଇବଟି ଫଳ ।୪୬।

 

ନାରିକେଳ ଗଛରେ ଛାଇ, ଯେମନ୍ତେ ନ ପଡ଼ିବ କାର ହଇ ।

ସଫା କରିବୁ ତା’ର ମୂଳ, ଖନା କହେ ଫଳିବ ଫଳ ।୪୭।

 

ନାରିକେଳ ଗଛରେ ଅନ୍ୟ ଗଛ ଛାଇ । ଯେପରି ନ ପଡ଼େ ସାବଧାନ ଥିବ ହୋଇ ।। ତା’ ମୂଳରେ ମଲା ଅଂଶ କିଛି ନ ରଖିବ । ନିତି ପ୍ରତି ପରିଷ୍କାର କରି ଦେଉଥିବ ।। ବହୁତ ଫଳ ଫଳଇ ସେ ବୃକ୍ଷରେ ପୁଣି । ଖନା କହେ ଚଷା ଭାଇମାନେ ଥାଅ ଜାଣି ।୪୭।

 

ଗୁଆ ନାରିକେଳ ଚାରା ତୁ ରୁଅ, ଆମ୍ବ ପଣସକୁ କେଭେ ନ ରୁଅ ।।

ଗୁବାକ ନଡ଼ିଆ ବୃକ୍ଷ କ୍ଷୁଦ୍ର ଥିବା କାଳେ । ପୁଷ୍ଟ ହୁଏ ବାରମ୍ବାର ଉତ୍ପାଟନ କଲେ ।। ଆମ୍ବକୁ ସେପରି କଲେ ଫଳ ହୁଏ ସାନ । ପଣସକୁ କଲେ ହୁଏ ବିନାଶ ବିଧାନ ।୪୮।

 

ଶୁଣରେ ବାପ ଚଷାର ପୁଅ, ସୁପାରି ବାଗାନେ ମନ୍ଦାର ରୁଅ ।

ମନ୍ଦାର ପତ୍ର ପଡ଼ି ତା ମୂଳେ, ଶୀଘ୍ର ଶୀଘ୍ର ଗୁଆ ଫଳ ଫଳେ ।୪୯।

 

ଶୁଣ ଚଷା ପୁଅମାନେ ମନ ହରଷରେ । ସୁପାରି ବୃକ୍ଷରୋପଣ କରି ଯତନରେ ।। ତା’ ମଧ୍ୟେ ମନ୍ଦାରଗଛ ଲଗାଇବ ନେଇ । ସେ ପତ୍ର ଝଡ଼ି ତା ମୂଳେ ଯେବେ ପଡ଼େ ଯାଇ ।। ତେବେ ଅତି ବ୍ୟଗ୍ରେ ଗୁଆ ଫଳଇ ବହୁତ । ନୋହିଲେ ଶୂନ୍ୟକୁ ଚାହିଁ ଥିବଟି ନିୟତ ।୪୯।

 

ଗୁବାକେ ଗୋମୟ ବାଉଁଶେ ମାଟି, ଅଫଳା ନଡ଼ିଆଚେରକୁ କାଟି ।

ଓଲୁଅ ଖତ ସାରୁରେ ଛାଇ, ଏହି ରୂପେ କୃଷି କର ହେ ଭାଇ ।୫୦।

 

ଗୁବାକ ଗଛ ମୂଳରେ ଗୋମୟକୁ ଦେବ । ଅଫଳନ୍ତି ନଡ଼ିଆର ଚେରକୁ କାଟିବ ।। ମାଟି ପିନ୍ଧାଇବ ନେଇ ବାଉଁଶ ମୂଳରେ । ଓଲୁଅ ମୂଳରେ ଖତ ଦେବ ଯତନରେ ।। ସାରୁଗଛ ମୂଳେ ପାଉଁଶ ଦେବ ନେଇ । ଅଧିକ ଫଳିବ ନିଶ୍ଚେ କହିଲି ବୁଝାଇ ।୫୦।

 

ଦାତାର ନଡ଼ିଆ କୃପଣର ବଂଶ, କମ ନ ହୋଇ ବଢେ ବାରମାସ ।

ଗଛରେ ଯେବେ ନଡ଼ିଆ ଫଳୁଥିବ ଜାଣ । ସବୁ ତୋଳୁଥିବ ହରଷିତ କରି ମନ ।। ତେବେ ବିଶେଷ ଭାବରେ ସେ ବୃକ୍ଷ ଫଳଇ । ବାଉଁଶକୁ ନ ଛେଦିଲେ ବର୍ଦ୍ଧିତ ହୁଅଇ । ୫୧।

 

ବାଉଁଶ ଗଛ ବୃଦ୍ଧି ହେବାର ଉପାୟ

ଶୁଣରେ ବାପୁ ଚଷୁର ବେଟା, ବାଂଶ ମୂଳେ ଦିଅ ଧାନର ଚିଟା ।

ପାଇଲେ ଚିଟା ବାଂଶର ମୂଳେ, କେମନ୍ତ ବଢିବ ଦେଖ ଫଳରେ ।।

 

ଧାନର ଅଗାଡ଼ି ପୁଣି ଛିଣ୍ଡା ପାଳ ନେଇ । ବାଉଁଶ ଗଛ ମୂଳରେ ଯେବେ ଦେବ ଭାଇ । ବାଂଶବନ ବୃଦ୍ଧି ହୁଏ ଆଶ୍ଚର୍ଯ୍ୟ ଭାବରେ । କିପରି ବଢଇ ଦେଖ ଏ କାର୍ଯ୍ୟଫଳରେ ।୫୨।

 

ଫାଲଗୁନରେ ଅଗ୍ନୀ ଚଇତ୍ରେ ମାଟି, ବାଉଁଶ କହେ ମୁଁ ଶୀଘ୍ର ଉଠି ।୫୩।

 

ବାଂଶ ଗଛ ମୂଳେ ପତ୍ର ପଡ଼ିଥିବ ଯେତେ । ଅଗ୍ନି ଲଗାଇବ ଫାଲଗୁନ ମାସରେ ସୁଚିତ୍ତେ ।। ପୋଡ଼ି ଭସ୍ମକରି ପାଉଁଶ କରିବ । ଗୋଟିଏ ମାତ୍ର ଭୂମିରେ ପତ୍ର ନ ରଖିବ । ଚଇତ୍ର ମାସରେ ମାଟି ପିନ୍ଧାଇ ଦେଖିବ । ଦେଖିବ ବାଉଁଶ କେଉଁ ପ୍ରକାର ବଢିବ ।।

 

ସୋରିଷ ବପନ ସମୟ

ଖନା କହଇ ଚଷାର ପୁଅ, ଶରତ ଶେଷରେ ସୋରିଷ ରୁଅ ।

ଫଳ ଫଳିବ ଅପ୍ରମିତ, ଖନା କଥାରେ ରଖ ଚିତ୍ତ ।୫୪।

 

ଶରତ କାଳ ଶେଷରେ ବୁଣିବ ସୋରିଷ । ଅବଶ୍ୟ ଫଳ ତହିଁରେ ଫଳିବ ବିଶେଷ ।। ଅନ୍ୟ ଦିନେ ବୁଣିଲେ ଏପରି ନ ଘଟିବ । ଖନାର ବଚନ ଏଟା ମନେ ରଖିଥିବ ।୫୪।

 

ସୋରିଷ ସାଙ୍ଗରେ କରାଇ ମୁଗ, ଏକ ସମୟେ କରିବା ଯୋଗ

ଆନନ୍ଦେ ବୁକେ ବାଦ୍ୟ ବାଅ, ଯଥା ଇଛା ଯାଅ ।୫୫।

 

ସୋରିଷ ସଙ୍ଗରେ ବିରି ମୁଗ ଏକ କରି । ଏକକ୍ଷେତ୍ରେ ବୁଣିଲେ ହୁଅଇ ସମ ସରି ।। ଏକକାଳେ ଏକାବେଳେ ତିନିଶସ୍ୟ ମିଳେ । ବିଶେଷ ଲାଭ ତହିଁରୁ ହୁଏ ଅଳ୍ପକାଳେ ।। ଆହେ ଚଷା ଭାଇ ଏ ପ୍ରକାରେ କରି ଚାଷ । ହସ୍ତେ ନିଜ ଛାତିକୁ ବଜାଇ ହୁଅ ତୋଷ ।। ଯେଣେ ଇଚ୍ଛା ତେଣେ ଯାଉଥାଅ ଭାଇ । ଏହି ଉପାୟକୁ ମନୁ ଭୁଲିଯିବ ନାହିଁ ।୫୫।

ଭାଦ୍ରବେ ଚାରି, ଆଶ୍ୱିନ ଚାରି, କଲାଇ ରୋଇବ କିଛି ନ ବାରି ।।

 

ଶେଷ ହେବାକୁ ଭାଦ୍ରବ ଚାରିଦିନ ଥିବ । ଆଶ୍ୱିନ ମାସର ଚାରିଦିନକୁ ଗଣିବ । ଏ ମଧ୍ୟରେ ଯେଉଁ ବିରି ରୋପଣ କରିବ । ଅସଂଖ୍ୟ ଫଳ ପ୍ରାପତ ତାହାକୁ ହୁଅଇ ।। ଅନ୍ୟ ଦିନେ ଏପରି ନ ହୁଏ ଫଳ ଲାଭ । କେବଳ ହୋଇବ ମନ ବହିବାକୁ କ୍ଷୋଭ ।୫୬।

 

ତିଳ ବପନ ସମୟ

ଫାଲଗୁନ ଆଠକୁ ଚୈତ୍ର ଆଠ, ସେହି ତିଳକୁ ଦାଆରେ କାଟ ।

 

ଆଠଦିନ ଥିବ ଫାଲଗୁନ ହେବାକୁ ଶେଷ । ଆଠଦିନେ ମଧ୍ୟେ ହୋଇଥିବ ଚୈତ୍ରମାସ ।। ଏହି ଷୋଳ ଦିବସରେ ଯେ ତିଳ ବୁଣିବ । ବିଶେଷ ଫଳ ତହିଁ ଅବଶ୍ୟ ଲଭିବ ।୫୭।

 

ସୋରିଷ ଓ କପା ରୋପଣ

ବହଳ ସୋରିଷ ପତଳା ଭାଇ, ଲଗା ଲଗା କରି କର୍ପାସ ରୋଇ ।

କପା କହଇ ଚଷା ଭାଇ, ଜ୍ଞାତିର ଜଳ ଯେହ୍ନେ ନ ପାଇ ।୫୮।

 

ବହଳ କରି ସୋରିଷ ବୁଣିବ ଯତନେ । ରାଈ ସୋରିଷକୁ ବୁଣ ପତଳା ବିଧାନେ ।। ଏହି ପରକାରେ କପା କରିବ ବପନ । ଯେହ୍ନେ ତା’ ମୂଳରେ ଛିଡ଼ା ହୋଇବଟି ପୁଣ ।। କାର୍ପାସ ତୋଳିବ ଅତି ଆନନ୍ଦିତ ହୋଇ । ଯେସନେ ଲଗାଅ କପା ମନେ କ୍ଷୋଭ ନୋହି ।। ପାଟକପା ଏକ ସଙ୍ଗେ ଏକଇ ସ୍ଥାନରେ । କଦାପି ରୋପିବ ନାହିଁ କେବଳ କାଳରେ ।। କପାଗଛ ମୂଳେ ପାଟ ଜଳ ପଡ଼େ ଯେବେ । ନିସ୍ତେଜ ହୋଇଣ କପା ନ ବଢଇ କେବେ ।୫୮।

 

ହରିଦ୍ରା ରୋପଣ ସମୟ

ବୈଶାଖ ଜ୍ୟେଷ୍ଠରେ ହରିଦ୍ରା ରୁହ, ପଶାଖେଳ ଆଦି ବାହାରେ ଥୁଅ ।

ଆଷାଢ ଶ୍ରାବଣେ ପୋତିବ ବାଟି ଭାଦ୍ର ନିଗଡ଼ାରେ କରିବ ଖାଣ୍ଟି ।

ଅନ୍ୟ ମାସରେ ପୋତିଲେ ପୁଣ, ପୃଥ୍ୱୀ କହେ ଫଳ ନ ଦେବି ଜାଣ ।୫୯।

 

ହରିଦ୍ରା ରୋପିବ ଯେବେ ବୈଶାଖ ଜ୍ୟେଷ୍ଠରେ । ପଶା ଆଦି ଖେଳମାନ ବର୍ଜିଣ ବ୍ୟଗ୍ରରେ ।। ନିତି ପ୍ରତି ଦେଖୁଥିବ ସେ କ୍ଷେତ୍ରକୁ ଯାଇ । ପଥ କରିଥିବ ଜଳମୁକ୍ତ ହେବାପାଇଁ ।। ଆଷାଢ ଶ୍ରାବଣ ଭାଦ୍ର ଏହି ତିନିମାସେ । ତା ମୂଳକୁ ମାଟି ପିନ୍ଧାଇବ ସୁହରଷେ ।। ବହୁତ ହରିଦ୍ରା ଫଳ ଫଳିବ ମୂଳରେ । ଏ ସୁଯୋଗ ଛାଡ଼ି ଦେବ ନାହିଁ କେତେବେଳେ ।। ଅନ୍ୟମାସେ ରୋପିବା କି ଅବା ବେଉଷଣ । କଲେ ନ ଫଳିବ ଫଳ ଏ ଶାସ୍ତ୍ର ବଚନ ।। ପୃଥିବୀ କହଇ କାହିଁ ତାକୁ ଫଳ ଦେବି । ଚଷା ଭାଇମାନେ ମନେରଖ ଏହା ଭାବି ।୫୯।

 

ମୂଳା ଭୂମି ଓ ଆଖୁ ଭୂମି ନିର୍ଣ୍ଣୟ

ମୂଳାର ଭୂମି ତୁଳା, ଆଖୁର ଭୂମି ମୂଳା ।୬୦।

 

ମୂଳା ଲଗାଇବା ଭୂମି ତୁଳା ପରି କର । ଏକଗୋଟି ଗୋଡ଼ି ଯେହ୍ନେ ନ ରହେ ତହିଁର ।। ଅତ୍ୟନ୍ତ ନରମ ହେଲେ ମୂଳା ହୁଏ ଭଲ । ବିଶେଷ ଲାଭ ତହିଁରୁ ହୁଏ ତତକାଳ ।। ଧୂଳିପ୍ରାୟେ କରି ମାଟି ଆଖୁ ଲଗାଇବ । ମନ ଇଚ୍ଛା ମତେ ତହୁଁ ଲାଭ ଯେ ପାଇବ ।। ଏହା ନ କରିଲେ କେଭେ ନ ମିଳଇ ଯଶ । ବୃଥାରେ ସକଳ କର୍ମ ହୋଇଯାଏ ନାଶ ।୬୦।

 

ମୂଳା ଓ ଧୂଆଁପତ୍ର ରୋପଣ ବିଧି

ଖନା ବୋଲେ ଚଷା ଶୁଣ, ଶରତ ଶେଷରେ ମୂଳା ବୁଣ ।

ଧୂଳି ପରା କରି ତମାଖୁ ମାଟି, ରୋପଣ କରିବ ଗୋଟିକି ଗୋଟି ।

ଘନ ଘନ କରି ପୋତନା, ପୌଷରୁ ଅଧିକ ରଖନା ।୬୧।

 

ଶରତ କାଳରେ ଶେଷ ହୋଇବା ଦେଖି ଶୁଣି । ବହୁ ଚାଷେ ମାଟି ଧୂଳି ପରା କରି ପୁଣି ।। ମୂଳା ବପନ କରିବ ଗୋଟି ଗୋଟି କରି । ପୁଣି ଅନ୍ୟ ସ୍ଥାନେ ମାଟି କରି ଏହିପରି ।। ତହିଁରେ ତମାଖୁ ନେଇ ସୁଖେ ଲଗାଇବ । ଗୋଟି ଗୋଟି କରି ବହଳିଆ ନ କରିବ ।। ପୌଷମାସରୁ ଅଧିକ ସମୟ ନ ରଖି । ବିକ୍ରୟ କରି ସେ ଧନେ ନିଶ୍ଟେହୋଇସୁଖୀ ।୬୧।

 

ଲଙ୍କା ମରିଚ ରୋପଣ ବିଧି

ଭାଦ୍ରବ ଆଶ୍ୱିନେ ନରୋଇ ଝାଳ, ଯେ ପ୍ରାଣୀ ଅଳସ୍ୟେ କାଟଇକାଳ ।।

ରୋପେ କାର୍ତ୍ତିକ ମାର୍ଗଶିର ମାସେ, ପୋକଧରି ଗଛ ମରଇ ଶେଷେ ।।

ଧିକ ତା ବୁଦ୍ଧି ଧିକ ତା ଶ୍ରମ, ଶେଷେ ହୁଏ ସବୁ ଅକାରଣ ।୬୨।

 

ଭାଦ୍ରବ ଆଶ୍ୱିନ ମାସେ ଅଳପ ପଣରେ । ଯେଉଁ ପ୍ରାଣୀ ଲଙ୍କା ନ ରୋପଇ ଯତନରେ ।। କାର୍ତ୍ତିକ ମାର୍ଗଶିରରେ ପୁଣି ଦେଇ ମନ । କ୍ଷେତ୍ରରେ ମରିଚ ଗଛ କରଇ ରୋପଣ ।। ପରିଶ୍ରମଯାକ ତାର ହୁଏ ଅକାରଣ । ପୋକ ଲାଗି ଗଛମାନ କରିଯାଏ ଜାଣ । ତେଣୁ ତା ବୁଦ୍ଧି ଶ୍ରମକୁ ଧିକ ଧିକ କହି । ଏଣୁ ଆଳସ୍ୟ ନକର ତେତେବେଳେ ଭାଇ ।୨।

 

ଲାଉଗଛ ଓ ଲଙ୍କା ମରିଚ ଗଛର ଉପକାରୀ ଦ୍ରବ୍ୟ ନିର୍ଣ୍ଣୟ

ମାଛର ଜଳେ ଲାଉ ବଢେ । ଧାନପଚା ଜଳେ ଝାଲ୍ ବଢେ ।୬୩।

 

ଲାଉଗଛ ମୂଳେ ଏକ ମଳା କରିଦେବ । ମାଛଧୂଆ ପାଣି ନେଇ ତହିଁରେ ଢାଳିବ ।। ଦିନୁଦିନ ସେହି ଗଛ ହୋଇବ ବର୍ଦ୍ଧିତ । ଫୁଲ ଫଳମାନ ତା’ର ହୁଅଇ ବହୁତ ।। ଲଙ୍କା ମରିଚର ଗଛ ମୂଳେ ମନେ କରି । ଧାନ୍ୟ ରାଶି ସଢିଥିବା ଜଳ ଦେଲେ ଢାଳି ।। ବହୁତ ଫଳ ଫଳଇ ଆଶ୍ଚର୍ଯ୍ୟ ଭାବରେ । ମିହିରଙ୍କୁ ଡ଼ାକି ଖନା କହେ ଏ ପ୍ରକାରେ ।୬୩।

 

ଗଛର କଲମ ରୋପଣ ସମୟ ନିରୂପଣ

ଶୁଣରେ ମାଳି କହୁଛି ମୁହିଁ, ଶ୍ରାବଣେ କଲମ ରୋପିବ ନେଇ ।

ଅଳପ ଦିନରେ ପାଇବ ଫଳ, ମନରେ ରଖିଥାଅ ଚିରକାଳ ।୬୪।

 

ଗଛର କଲମ ଲଗାଇବା ଶୁଣ ଏବେ । ଶେଷ ହୋଇବ ଆଷାଢ ମାସ ଗଲା ଯେବେ ।। ଶ୍ରାବଣ ମାସରେ ବହୁ ବୃଷ୍ଟି ହେବା କାଳେ । କଲମ ରୋପିବ ନେଇ ମନ ଆନନ୍ଦରେ ।। ଅଳ୍ପଦିନେ ଫଳ ତହୁଁ ହୋଇବ ପ୍ରାପତ । ଖନାର ବଚନ ମିଥ୍ୟା ନୁହେଁ କଦାଚିତ୍ତ ।୬୪।

 

ମହଣ ସାରୁ, ଖସା ଗଛ ଲଗାଇବାର ପ୍ରଶସ୍ତ ଭୂମି ନିରୂପଣ

କୋଦଳେ ମୁନ ତିଳେ ହଳ, ଆଶ୍ୱିନ କାର୍ତ୍ତିକେ ରୋପ ଚଞ୍ଚଳା ।

ମାଘରେ ରୁଅ କୃଷ୍ଣ ତିଳ, ଛାଇରେ ଲାଉ ବେଶି ଫଳ ।

ଢିପା ଭୂମିରେ ରୋପ ଲଙ୍କା, ମନେ ନ କରି କିଛି ଶଙ୍କା ।୬୫।

 

କୋଦାଳରେ ମାଟି ହାଣି ପେଷଣ କରିବ । ତହିଁରେ ନେଇ ମହଣ ସାରୁ ଲଗାଇବ ।। ତେବେ ଅତ୍ୟଧିକ ଫଳ ହୁଅଇ ମୂଳରେ । ବିଶେଷ ଲାଭ ତହିଁରୁ ହେବ ସେ କାଳରେ ।। ଆଶ୍ୱିନ କାର୍ତ୍ତିକ ମାସେ ଶ୍ୱେତ ତିଳ ବୁଣ । ଭଲ ଚାଷ କରିଥିଲେ ଲାଭ ହୁଏ ପୁଣ ।। ମାଘ ଫାଲଗୁନ ମାସରେ କୃଷ୍ଣତିଳ ନେଇ । ଉତ୍ତମ କର୍ଷିତ ଭୂମି ମଧ୍ୟେ ଦିଅ ଫେଇ ।। ଦେଖିବ ବହୁତ ଫଳ ପ୍ରାପତ ହୋଇବ । ଖନାର ବଚନ କେବେ ଅନ୍ୟଥା ନୋହିବ ।। ଲାଉଗଛ ଯେବେ ପାଉଁଶରେ ଜାତ ହୋଇ । ବଞ୍ଚିରହିଲେ ବହୁତ ଫଳ ସେ ଫଳଇ ।। ଲଙ୍କା ମରିଚ ରୋପିଲେ ଢିପ ଭୂମିପରେ । ଅସଂଖ୍ୟ ଫଳଇ ସେହୁ ଆଶ୍ଚର୍ଯ୍ୟ ଭାବରେ ।। ଏକଥା ନୁହଇ ମିଥ୍ୟା କେତେବେଳେ ଜାଣ । ଖନାର ବଚନ ଏହା ଦୃଢଚିତ୍ତେ ଘେନ ।୬୫।

 

ମଟର କଲାଇର ବପନ ବିଧି

ଆଶ୍ୱିନ ଉନବିଂଶ, କାର୍ତ୍ତିକର ଉନବିଂଶ ।

ଏ ମଧ୍ୟରେ ମଟର କଲାଇ କର ଚାଷ ।୬୬।

 

ମଟର ବପନ କରିବାକୁ ହେଲେ ମନ । ଆଶ୍ୱିନ ମାସର ଛାଡ଼ି ଉନବିଂଶ ଦିନ ।। କାର୍ତ୍ତିକ ମାସର ଊନବିଂଶ ଦିନ ଥାଇ । ଏ ମଧ୍ୟରେ ମଟର ଲଗାଅ ଚଷାଭାଇ ।। ବହୁତ ଫଳ ଫଳିବ ଖାଇଲେ ନ ସରେ । ପୂର୍ବକାଳୁ ଲେଖା ହୋଇ ଅଛିଟି ଶାସ୍ତ୍ରରେ ।୬୬।

 

ମକ୍କା ରୋପଣ ସମୟ ନିର୍ଣ୍ଣୟ

ଟଙ୍କାର ଦରକାର ଥିଲେରେ ପୁଅ, ଚଇତ୍ର ମାସରେ ମକ୍କା ରୁଅ ।୬୭।

ଧନବନ୍ତ ହେବାପାଇଁ ବଳେ ଯେବେ ମନ । ଚଇତ୍ର ମାସରେ କର ମକ୍କାକୁ କର ରୋପଣ ।। ପ୍ରଚୁର ଫଳ ଫଳିବ ବୃହତ୍ ଆକାରେ । ଏପରି ଜାଣ ଖାଇଲେ ବୋହିଲେ ନ ସରେ ।। ଅଳ୍ପ ପରିଶ୍ରମ ବହୁ ଧନ ଲାଭ ହେବ । ଦୁଃଖ ଦରିଦ୍ର ଅବସ୍ଥା ସବୁ ମେଣ୍ଟିଯିବ ।୬୭।

 

ଅଳସୁଆ ଲକ୍ଷଣ

ବଳଦ ଥାଇ ଯେ ନ କରେ ହଳ, ତା’ର ଦୁଃଖ ଚିରକାଳ ।

ନ ମିଳେ ଅନ୍ନ ଜଳ ବାସ, ଆପଣା ଦୋଷେ ହୁଏ ନାଶ ।୬୮।

 

ଯେଉଁ ପ୍ରାଣୀ ନିଜ ବଳଦକୁ ବାନ୍ଧି ରଖି । ଚାଷ ନ କରି କେବଳ ନିତି ପ୍ରତି ଦେଖି ।। ଅଳସ ଭାବରେ ଦିନ କରଇ ଯାପନ । ତାହାକୁ ସୁଖ ପ୍ରାପତ ନୁହେଁ କଦାଚନ ।। ଚିରକାଳ ଦୁଃଖ ଭୋଗ କରଇ ଅପାର । ଅନ୍ନ ବସ୍ତ୍ର ନ ମିଳଇ ହୁଏ ହରବର ।। କାହିଁ ଠାବ ନ ମିଳଇ ସେ ପ୍ରାଣୀକୁ ଜାଣ । ଆପଣା ଦୋଷରୁ ନାଶ ହେବଟି ପ୍ରମାଣ ।। ଏଣୁକରି ଆଳସ୍ୟକୁ ଦୂରେ ପରିହର । ଖନା କହେ ବୁଝି ସୁଝି ସବୁ କାର୍ଯ୍ୟ କର ।୬୮।

 

ବୃକ୍ଷାଦି ଉତ୍ତମ ରୂପେ ଜନ୍ମିବାକୁ ଉପାୟ

ମନୁଷ୍ୟ ମରେ ଯହିଁରେ, ଗଛ ଲଗା ଭାଇ ତହିଁରେ ।

ପଚା ସଢାରେ ଗଛ ବଢେ, ଗନ୍ଧ ବାଜି ମନୁଷ୍ୟ ମରେ ।୬୯।

 

ଯାହାଦ୍ୱାରା ପ୍ରାଣୀମାନେ ବିନାଶ ହୁଅନ୍ତି । ଯହିଁରେ ମଦପ୍ୟମାନେ ଅତ୍ୟନ୍ତ ବଢନ୍ତି ।। ସେହି ଗନ୍ଧରେ ମାନବ ତେଜନ୍ତି ଜୀବନ । ତା’ର ସାର ଲାଗି ବୃକ୍ଷେ ହୋନ୍ତି ଫଳବାନ ।। ଯାହାର ସେ ପ୍ରିୟ ତାକୁ ସେ ହୁଅଇ ଭଲ । ଅନ୍ୟର ପ୍ରାଣ ନାଶକ ଅଟେ ଅମଙ୍ଗଳ ।। ତେଣୁକରି ଯାହାର ଯାହାଠାରେ ସ୍ନେହ ଥିବ । ଅନ୍ୟଲୋକ କେତେବେଳେ ତାକୁ ନ ଭାଙ୍ଗିବ ।। ସେହି ସ୍ନେହ ଥିଲେ ସିନା ଅମୃତ ଅଟଇ । ସ୍ନେହ ଭାଙ୍ଗିଗଲେ ବିଷ ପ୍ରଭାବ ଦେଖାଇ ।। ଖନା ବାକ୍ୟ ମାନି ଚଳ ଆହେ ସୁଜ୍ଞଜନେ । ନିଶ୍ଚୟ ସୁଖ ଲାଭ କରିବ ନିଶି ଦିନେ ।। ପ୍ରଥମ ଅଧ୍ୟାୟେ ଘନ ଲୋହିତ ବଲ୍ଲଭ । ଭଣିଲେ ମଧୁସୂଦନ କୃଷି ତତ୍ତ୍ୱ ଭାବ ।୬୯।

 

Unknown

ଦ୍ୱିତୀୟ ଅଧ୍ୟାୟ

ବୃଷ୍ଟି ଲକ୍ଷଣ

କାର୍ତ୍ତିକରେ ବୃଷ୍ଟି ହେଲେ ଊଣା । ଧାନ ଫଳଇ ଦୁଇଗୁଣା ।୧।

 

କାର୍ତ୍ତିକ ମାସରେ ଅଳ୍ପ ବରଷା ହୋଇଲେ । ଦୁଇଗୁଣ ହୋଇକରି ଧାନ୍ୟ ଫଳ ଫଳେ ।। ସୁସ୍ଥଭାବେ ପ୍ରାଣୀମାନେ ରହନ୍ତି ନିୟତ । ବଡ଼ ଗଉଣୀରେ କ୍ରୟ ବିକ୍ରୟ ପ୍ରଶସ୍ତ ।। ଅନ୍ନଅଭାବ କାହାର ନ ହୁଅଇ ଜାଣ । ମହାଆନନ୍ଦରେ ପ୍ରାଣୀମାନେ ନ୍ୟନ୍ତି ଦିନ ।। ଶସ୍ୟ ଭାରେ ବସୁମତୀ ସୁନ୍ଦର ଦିଶଇ । ଖନାବଚନ କେବେ ଅନାଥ ହଅଇ ।୧।

 

କିକର ଶ୍ୱଶୁର ଲେଖା ଯୋଖା । ମେଘରୁ ବୁଝିବ ଜଳର ରେଖା ।।

କୋଦାଳ କୋଡ଼ିଲା ପରାୟ ହୋଇ । ମଧ୍ୟେ ମଧ୍ୟେ ଯେବେ ପବନବହି ।।

ଚଷାକୁ କହ ବାନ୍ଧ ହଳ । ଆଜି ନୋହିଲେ କାଲି ଜଳ ।୨।

 

ଶୁଣ ହେ ପତିର ପିତା ମୋହର ବଚନ । ଲେଖି ଲେଖି କିମ୍ପାଇ ଭ୍ରମାଅ ନିଜ ମନ ।। ଅଳପ ସୂକ୍ଷ୍ମରେ ସିନା ସକଳ ଜାଣିଲେ । ଲୋକରେ ପୂଜିତ ପ୍ରାଣୀ ହୁଅନ୍ତି ଯେ ଭଲେ ।। ମେଘକୁ ଦେଖିଣ ତା’ର ଲକ୍ଷଣ ବୁଝିବ । ବରଷା ହେବା ନ ହେବା ସକଳ ଜାଣିବ ।। ଯେଉଁଦିନ ମେଘ ଦେଖ କୋଡ଼ିଲା ପରାୟେ । କୋଦାଳ ଘେନି ଯେମନ୍ତ କୋଡ଼ି ଅଛି କିଏ ।। ପବନ ବହୁଣ ଥିବ ତା ମଧ୍ୟରେ ଯେବେ । ଦୁଇଦିନ ମଧ୍ୟରେ ବରଷା ହେବ ତେବେ ।। ଚଷାକୁ କହିବି ହଳ ବଳଦଙ୍କୁ ତା’ର । ଆଖିଥାଉ ଯତ୍ନକରି ହେଲାଣି ସେ ବେଳ ।। ଆଉ ଦୁଇ ଚାରିଦିନେ ବାହିବଟି ହଳ । ଅକାରଣେ କାହିଁପାଇଁ ହେଉଛ ବିକଳ ।। ପାଣ୍ଡୁର ବର୍ଣ୍ଣର ମେଘ ବରଷେ ବହୁତ । ଶ୍ୱଶୁରଙ୍କୁ ଡ଼ାକି ଖନା କହନ୍ତି ଏମନ୍ତ ।୨।

 

ପଶ୍ଚିମ ଧନୁ ନିତ୍ୟ ଖରା, ପୂର୍ବ ଧନୁ ବର୍ଷେ ଝରା ।୩।

 

ପଶ୍ଚିମ ଦିଗରେ ଜାଣ ଧନୁ ଉଦେ ହେଲେ । ସନ୍ଧ୍ୟା ସମୟରେ ଅବା ପ୍ରଭାତ କାଳରେ । ଅନାବୃଷ୍ଟି ହେବାକଥା ଜାଣିବ ନିକର । ଅନ୍ନ ବିନା ଦେଶରେ ପଡ଼ିବ ହାହାକାର ।। ପୂର୍ବଦିଗେ ଯେବେ ସେହୁ ଉଦୟ ହୁଅଇ । ପ୍ରବଳ ବରଷା ଯୋଗେ କୃଷି ନାଶ ଯାଇ ।। ଆଗ କରି ଚଷାଭାଇ ବେଉଷଣ କର । ନୋହିଲେ ପଶ୍ଚାତେ ସିନା ହେବୁ ହରବର ।୩।

 

ଚୈତ୍ରମାସେ ଥରହର, ବୈଶାଖରେ ଝଡ଼ ପଥର ।

ଜ୍ୟେଷ୍ଠ ମାସରେ ତାରା ଫୁଟେ, ମହୀରେ ଅଧିକ ବର୍ଷା ଘଟେ ।୪।

 

ଶୀତ ହୁଅଇ ଯେ ବର୍ଷ ଚଇତ୍ର ମାସରେ । ବୈଶାଖରେ ଝଡ଼ ବୃଷ୍ଟି ପଥର ସଙ୍ଗରେ ।। ପ୍ରବଳ ବରଷା ହୋଇ ଦିନେ ନ ଛାଡ଼ଇ । ମହାଗରଜନେ ବସୁନ୍ଧରା କମ୍ପିଯାଇ ।। ଆକାଶ ଅତି ନିର୍ମଳ ଜ୍ୟେଷ୍ଠ ମାସେ ଦିଶି । ସୂର୍ଯ୍ୟ ତାରାମାନେ କିତ୍ୟନ୍ତ ପ୍ରକାଶି ସେ ବର୍ଷ ମହୀରେ ବରଷା ହୁଅଇ । ଆଗକରି କୃଷିକର୍ମ କର ଚଷାଭାଇ ।୪।

 

ରାମଧନୁ ପୂର୍ବେ ଉଠିଲେ, ବର୍ଷାର ମହୀ ଏକାକାରେ ।୫।

 

ପୂର୍ବଦିଗେ ରାମଧନୁ ଯେବେ ଉଦେ ହୋଇ । ସେ ବର୍ଷ ଏହା ଜାଣି ପୂର୍ବୁ ହୋଇଥିବ ସାବଧାନ ।। ଆଳସ୍ୟ ଭାବରେ ବସି ରହିବ ଯେ ଜନ । ଶେଷକୁ ନିଶ୍ଚୟ ସେହୁ ହେବ ହୀନିମାନ ।। କେତେବେଳେ ଏ ବଚନ ଅନ୍ୟଥା ନୁହଇ । ମିହିରଙ୍କ ଅଗ୍ରତରେ ଖନା ଏହା କହି ।୫।

 

ପୌଷ ଗରମି ବୈଶାଖେ ଝଡ଼, ପହିଲି ଆଷାଢେ ବରଷେ ଗଡ଼ ।

ଖନା କହେ ଶୁଣ ହେ ସ୍ୱାମୀ, ଶ୍ରାବଣ ଭାଦ୍ରବେ ନ ହୁଏ ପାଣି ।୬।

 

ପୌଷରେ ଶୀତ ନ ହୁଏ ଯେଉଁ ବରଷରେ । ଆବର ଶୀତ ହୁଅଇ ବୈଶାଖ ମାସରେ ।। ଆଷାଢ ମାସରେ ଆଦ୍ୟ ଭାବେ ବର୍ଷା ହୋଇ । ଶ୍ରାବଣ ଭାଦ୍ରବେ ଏକବିନ୍ଦୁ ପଡ଼େ ନାହିଁ ।। ଅନାବୃଷ୍ଟି ହେବ ବୋଲି ଜାଣିବ ସୁଜନ । ପୂର୍ବରୁ ସଞ୍ଚୟ କରି ଗୃହେ ରଖ ଧାନ୍ୟ ।। ନୋହିଲେ ପଛକୁ ବହୁ ଅବସ୍ଥା ଭୋଗିବ । ମିହିରଙ୍କୁ ଖନା କହେ ଏମନ୍ତ ପ୍ରସ୍ତାବ ।୬।

 

ଦିବସେ ବରଷା ରାତିରେ ତାରା, ସେ ବରଷ ଧରା ଦୁଃଖରେ ଭରା ।

 

ବର୍ଷାର ଆରମ୍ଭ କିମ୍ବା ବରଷାର କାଳେ । ଦିବସରେ ବରଷା ହୁଅଇ ପ୍ରବଳରେ ।। ରଜନୀରେ ଆକାଶ ହୁଅଇ ସୁନିର୍ମଳ । ଏହୁ ଅଟେ ପୃଥିବୀକି ବଡ଼ ଅମଙ୍ଗଳ ।। ଅନାବୃଷ୍ଟି ଯୋଗୁଁ ଶସ୍ୟହାନୀ ହୁଏ ଜାଣ । ଲୋଡ଼ିଲେ ନ ମିଳେ ଧାନ୍ୟ ପୃଥିବୀରେ ପୁଣ ।। ଅନ୍ନ ବିନା ହାହାକାର ପଡ଼ଇ ଦେଶରେ । ଖନା କହଇ ଏମନ୍ତ ସ୍ୱାମୀଙ୍କ ଆଗରେ ।୭।

 

ବେଙ୍ଗ ଡ଼ାକିଲେ ଘନ ଘନ, ଶୀଘ୍ର ବୃଷ୍ଟି ହେବ ଜାଣ ।୮।

 

ଶୁଣ ଚଷା ଭାଇମାନେ ମନ ଆନନ୍ଦରେ । ବେଙ୍ଗମାନେ ଘନ ଘନ ରାବନ୍ତି ଯେବେଳେ ।। ନିକଟରେ ବର୍ଷା ହେବ ବୋଲିଣ ଜାଣିବ । ଆଳସ୍ୟ ତେଜିଣ କୃଷି କର୍ମ ଆଚରିବ ।। ପଛମନ କଲେ ନିଶ୍ଚେ ହେବ ହୀନିମାନ । ଖନାର ବଚନ ହେତୁକର ସୁଜ୍ଞଜନ ।୮।

 

ଚନ୍ଦ୍ରମଣ୍ଡଳର ମଧ୍ୟରେ ତାରା, ଜଳ ବରଷେ ମୂଷଳ ଧାରା ।୯।

 

ଚନ୍ଦ୍ରମଣ୍ଡଳ ମଧ୍ୟରେ ତାରା ଯେବେ ଥାଇ । ପ୍ରବଳ ବରଷା ଅଳ୍ପ ଦିନରେ ହୁଅଇ ।। ବାଟଘାଟ ପୁଷ୍କରିଣୀ ଜଳପୁର୍ଣ୍ଣ ହେବ । ଗତାଗତ ପଥ ପ୍ରାଣୀମାନଙ୍କୁ ନ ଥିବ । ସାବଧାନ ଭାବେ ଯେଝା କର୍ମ ଆଚରିବ । ବୃଷ୍ଟି ମଧ୍ୟେ କେଉଁ କର୍ମ କରି ନ ପାରିବ ।୯।

 

ଦୂର ସଭା ନିକଟେ ଜଳ, ନିକଟ ସଭା ରସାତଳ ।୧୦।

 

ଆକାଶରେ ଚନ୍ଦ୍ରମଣ୍ଡଳକୁ ଦେଖ ଭାଇ । ବହୁତ ଦୂରରେ ସଭା ଯେବେ ଥିବ ହୋଇ ।। ଅତି ନିକଟରେ ଜଳ ବରଷଇ ଜାଣ । ବର୍ଷାର ଆଗମ ହୁଏ ବୁଝ ହୋ ପ୍ରମାଣ ।। ନିକଟରେ ଯେବେ ସଭା ହୁଅଇ ଚନ୍ଦ୍ରର । ବହୁ ବିଳମ୍ବରେ ବର୍ଷା ହେବାର ଏ ଫଳ ।। ଅନାବୃଷ୍ଟି ହୁଏ ପୁଣି ଏପରି ଲକ୍ଷଣେ ମହୀରେ ଦୁଃଖ ଭୋଗ କରନ୍ତି ପ୍ରାଣାମାନେ । ୧୦।

 

ଭାଦ୍ରବ ମେଘେ ବିପରୀତ ବାୟୁ ସେଦିନ ବୃଷ୍ଟି ଯେ ପଡ଼ିବ କାହୁଁ ।୧୧।

 

ଭାଦ୍ରବ ମାସରେ ମେଘ ଯେ ଦିଗେ ଉଠିବ । ତା’ର ବିପରୀତ ଦିଗୁଁ ପବନ ବହିବ ।। ସେଦିନ ପ୍ରବଳ ବର୍ଷା ହୋଇବ ନିଶ୍ଚୟ । ଜଳାର୍ଣ୍ଣବ ହେବ ଧରା ନ କର ସଂଶୟ ।। ବାହାରକୁ ଯାଇଥିଲେ ଗୃହକୁ ଆସିବ ।। ନୋହିଲେ ବହୁତ କଷ୍ଟ ଅବସ୍ଥା ଭୋଗିବ । ଆହେ ସୁପଣ୍ଡିତମାନେ ଏହା ରଖ ହୃଦେ । ନିଶ୍ଚେ ଯଶ ପ୍ରଶଂସା ଲଭିବ ଅପ୍ରମାଦେ ।୧୧।

 

ଅଦିନ କୁହୁଡ଼ି ଦୁଇ ପ୍ରହରେ, ଦେଖାଯାଏ ଯେବେ କେଉଁ ଦିନରେ । ଆଠଦିନ ମଧ୍ୟେ ବରଷେ ଜଳ, ପ୍ରାଣୀଙ୍କୁ ନାହିଁ ନ ମିଳଇ ସ୍ଥଳ ।୧୨।

 

ଅଦିନେ କୁହୁଡ଼ି ଯେବେ ମଧ୍ୟାହ୍ନରେ ହୋଇ । ଚୌଦିଗେ ଘୋଟଇ ଋତୁ ବେଳ କାଳ ନୋହି ।। ଗ୍ରାମ ଆଦି ନ ଦିଶଇ ନ ଦିଶଇ ରବି । ସୁଜ୍ଞଜନମାନ ମନେ ଏହା ଥାଅ ଭାବି ।। ଆଠଦିନ ମଧ୍ୟରେ ବରଷେ ଘନଘନ । ଜଳୟ ପ୍ରଳୟତାକୁ ଭୁବନ ଉଚ୍ଛନ୍ନ ।। ପଶୁପକ୍ଷୀ ତରୁଗଣ ବିନାଶ କରନ୍ତି । ମିହିର ଅଗ୍ରତେ ଖନା ଏହା କହିଛନ୍ତି ।୧୨

 

ବନ୍ୟା (ନଈବଢ଼ି) ଲକ୍ଷଣ

ପୂର୍ଣ୍ଣ ଆଷାଢ଼େ ଦକ୍ଷିଣା ବହେ, ସେହି ବରଷଟି ବନ୍ୟାହୁଏ ।୧୩।

 

କେଉଁ ବର୍ଷା ଆଷାଢ଼େ ମାସର ପରବେଶ। ଦକ୍ଷିଣା ପବନ ଯେବେ ବହଇ ବିଶେଷ ।। ମାସ ପୂର୍ଣ୍ଣ ପରିଯନ୍ତେ ନ ହୁଅଇ ସ୍ଥିର । ଜାଣିବ ସେ ବର୍ଷ ବନ୍ୟା ହୋଇବ ପ୍ରବଳ ।। ଶସ୍ୟ ଆଦି ବିନାଶ ହୋଇ ହେତୁ କର । ପୂର୍ବରୁ ସାବଧାନରେ ଚଳ ନାରୀ ନର ।୧୩। ବର୍ଷ ପ୍ରଥମ ଈଶାନେ ଯେବେ, ବାୟୁ ବହଇ ଅବିଚ୍ଛିନ୍ନ ଭାବେ । ଉଚିତ୍ ବରଷା ହୁଅଇ ତେବେ , ଖନା କହେ ମିଛ ନୁହଇ କେବେ ।୧୪।

 

ବର୍ଷ ଆରମ୍ଭରୁ ଯେବେ ଈଶାନ କୋଣରୁ । ପବନ ବହଇ ଖରେ କେଉଁ କାରଣରୁ ।। ସେ ବରଷ ପୃଥିବୀକି ସୁବୃଷ୍ଟି ହୁଅଇ । ତେଣୁ ଶସ୍ୟ ବୃଦ୍ଧି ହୁଏ ଯଥାକାଳେ ବରଷା ହେବାର ବେଳ ଜାଣି । ସବୁ ଶସ୍ୟମାନେ ଉପୁଜନ୍ତି ତହୁଁ ପୁଣି ।୧୪।

 

ବ୍ରାହ୍ମଣ, ନାୟକ, ବର୍ଷା , ବଢ଼ି, ଦକ୍ଷିଣା ପାଇଲେ ଯାଆନ୍ତି ଛାଡ଼ି ।୧୫।

 

ବ୍ରାହ୍ମଣ, ନାୟକ, ବର୍ଷା, ନଈବଢ଼ି ଚାରି । ବହୁତ ଜଞ୍ଜାଳ କରୁଥାନ୍ତି ଆସି ଫେରି ।। ଦକ୍ଷିଣା ପାଇ ବ୍ରାହ୍ମଣ ନାୟକେ ଗମନ୍ତି । ଦକ୍ଷିଣା ପବନେ ବର୍ଷା ନଈବଢ଼ି ଯାନ୍ତି ।। ଦକ୍ଷିଣା ନ ପାଇ କରୁଥାନ୍ତି ସେ ଜଞ୍ଜାଳ । ଦକ୍ଷିଣା ପାଇଲେ ହଟି ପଳାନ୍ତି ସତ୍ଵର ।୧୫।

 

ଅଧିକ ଆମ୍ବ, ଅଧିକ ଧାନ ।

ଅଧିକ ତେନ୍ତୁଳି ବନ୍ୟା ପ୍ରମାଣ ।୧୬।

 

ଯେଉଁ ବର୍ଷ ଆମ୍ବଫଳ ବହୁତ ହୁଅଇ । ସେ ବର୍ଷ ବିସ୍ତାର ଧାନ୍ୟ ମହୀରେ ଜନ୍ମଇ ।। ତେଣୁ ମହା ଆନନ୍ଦରେ ଥାନ୍ତି ପ୍ରାଣୀଗଣ ଯେଉଁ ଦ୍ରବ୍ୟ ଅଭାବ ନୁହଇ କେବେ ପୁଣ ।। ବହୁତ ତେନ୍ତୁଳି ଫଳ ହୁଏ ଯେଉଁ ବର୍ଷ । ନଦୀ ବୃଦ୍ଧି ହେତୁ ଶସ୍ୟ ଆଦି ଯାଏ ନାଶ ।। ପ୍ରାଣୀମାନେ ବହୁ କ୍ଲେଶ ଲଭନ୍ତି ନିଶ୍ଚୟ । ସୁପଣ୍ଡିତମାନେ ମନେ ନ କର ସଂଶୟ ।୧୬।

 

ପୌଷର କୁହୁଡ଼ି ବୈଶାଖେ ଫଳ,

ଯେଉଁଦିନ କୁହୁଡ଼ି ସେହିଦିନ ଜଳ ।

 

ଶନିର ସାତ ମଙ୍ଗଳ ତିନି, ଆଉ ସବୁ ବାରେ ଦିନ୍ ଦିନ ।୧୭।

 

କୁହୁଡ଼ି ଗୁଣ ଏବେ ଶୁଣ ମନଦେଇ । ପୌଷମାସ ଯେଉଁ ଦିନ କୁହୁଡ଼ି ହୁଅଇ ।। ବୈଶାଖ ମାସରେ ବୃଷ୍ଟି ହେବ ସେହିଦିନ । ଏ କଥା ନିଶ୍ଚୟ କେବେ ନ ହୁଅଇ ଆନ ।। ସେହି ବର୍ଷା ଯେବେ ଶନିବାର ଦିନ ହୁଏ । ବରଷା ନ ଛାଡ଼େ ପୁଣି ସାତ ଦିନ ଯାଏ ।। ମଙ୍ଗଳବାରେ ବରଷା ଆରମ୍ଭଇ ଯେବେ । ତିନି ଦିନଯାଏ ବୃଷ୍ଟି ହୁଅଇଟି ତେବେ ।। ଆଉ ସବୁ ଦିବସରେ ବୃଷ୍ଟି ହେଲେ ଜାଣ । ସେହିଦିନ ଛାଡ଼ିଯାଏ ଶାସ୍ତ୍ରର ପ୍ରମାଣ ।୧୭।

 

କର୍କଟେ ଛରକଟ ସିଂହେ ଶୁଖା କନ୍ୟା ଜାଣେ ଜାଣେ ବାଣ ।

ବିନା ବାୟେ କୁଲାରେ ବର୍ଷିଲେ କାହିଁରେ ରଖିବୁ ଧନ ।୧।

 

ଶ୍ରାବଣରେ ଯେଉଁ ବର୍ଷା ବହୁତ ଦର୍ଶଇ । ଦିନେ ମାତ୍ରେ ହେଲେ କେବେ ଛାଡ଼ିଣ ନ ପାଇ ।। ଭାଦ୍ରବ ମାସରେ ବୃଷ୍ଟି ଅଳ୍ପ ହୋଇବାରୁ ପାଣିଯାକ ଶୁଖିଯାଏ ଧାନ୍ୟଗଛ ମୁଳୁ ।। ଆଶ୍ଵିନରେ ପୁଣି ବୃଷ୍ଟି ହୁଅଇ ବହୁତ । ପ୍ରାଣୀମାନେ ହୋଇ ନ ପାରନ୍ତି ଆତଯାତ ।। କାର୍ତ୍ତିକ ମାସେ ପବନ ନ ଥାଇ ବରଷା । କେବଳ ଅଳ୍ପକେ ହୋନ୍ତେ ଆର୍ଦ୍ରି ଥାଇ ରସା* ।। ଧାନ୍ୟ ଆଦି ସେ ବରଷ ବିଶେଷ ହୁଅଇ । ଯେବେ ଖାଇଲେ ବହିଲେ କେବେ ନ ସରଇ ।। ମହା ଆନନ୍ଦରେ ପ୍ରାଣୀମାନେ ନ୍ୟନ୍ତି ଦିନ । ଶସ୍ୟପୂର୍ଣ୍ଣେ ବସୁନ୍ଧରା ଦିଶଇ ଶୋଭନ ।। ଧାନ୍ୟ ରଖିବାକୁ ସ୍ଥାନ ଚାଷୀକୁ ନ ମିଳେ । ଖନାବଚନ ଅନ୍ୟଥା ନୁହେଁ କେତେବେଳେ । ୧୮।

 

ନୁହେଁ ବର୍ଷେ ଅଗ୍ରାଣେ , ରାଜା ଯାଏ ମଗଣେ ।

ବର୍ଷେ ଯଦି ପୌଷେ, କଉଡ଼ି ହୁଏ କୁଷେ ।

ଯଦି ବରଷଇ ମାଘର ଶେଷ ,

ଧନ୍ୟ ସେ ରାଜା ଧନ୍ୟ ସେ ଦେଶ ।

ଯଦି ବର୍ଷେ ଫାଲଗୁନେ ,ଚିନା ନାଉ ଫଳେ ଦ୍ଵିଗୁଣେ । ୧୯।

 

ବରଷା ହୁଅଇ ମାର୍ଗଶିର ମାସେ ଯେବେ । ଶସ୍ୟ ମାନଙ୍କରେ କୀଟ ଲାଗିଥାନ୍ତି ତେବେ ।। ସେ ଦେଶରେ କର ପ୍ରଜା ନ ପାରନ୍ତି ଦେଇ । ଭିକ୍ଷା ମାଗି ବୁଲୁଥାନ୍ତି ଦ୍ଵାରେ ଦ୍ଵାରେ ଯାଇ ।। ପୌଷ ମାସେ ବରଷିଲେ ବଡ଼ ଅମଙ୍ଗଳ । ଅଗାଡ଼ି ହୁଅଇ ଶସ୍ୟ କ୍ଷେତ୍ରରେ କେବଳ ।। କାନ୍ତାର ପଡ଼ଇ ଜାଣ ସେହି ବରଷରେ । ମନ ଦୁଃଖେ ପ୍ରାଣୀମାନେ ଥାନ୍ତି ନିରନ୍ତରେ ।। ମାଘ ମାସେ ବର୍ଷା ହେଲେ ରବି ଶସ୍ୟମାନ । ଅଧିକ ଲାଭ ହୁଅଇ ହେତୁକରି ଘେନ ।। ସବୁ ଶସ୍ୟମାନେ ଆଗାମୀକୁ ହୁଏ ଜାତ । ସେ ଦେଶରେ ଦୁଃଖ ନ ପଡ଼ଇ କଦାଚିତ ।। ତେଣୁ ସେ ଦେଶକୁ ଧନ୍ୟ କହିବା ଅଟଇ । ଆବର ସେ ଦେଶେ ନରପତି ଧନ୍ୟ ହୋଇ ।। ମେଘ ବରଷଇ ଯେବେ ଫାଲ୍‌ଗୁନ ମାସରେ । ଚିନା ଆଦି ଶସ୍ୟମାନେ ହୁଏ ବିଶେଷରେ ।। ପ୍ରାଣୀମାନଙ୍କ ହିତରେ ଖନାଛନ୍ତି କହି । କେତେବେଳେ ଏହି ବାକ୍ୟ ଅନ୍ୟଥା ନୁହଇ ।୧୯।

 

ଆଷାଢ଼ ନବମୀ ଶୁକ୍ଳପକ୍ଷେ , କି କର ଶ୍ଵଶୁର ଲେଖେ ଯୋଖେ ।

ଯଦି ବରଷଇ ମୂଷଳଧାରେ, ମଝି ସମୁଦ୍ରରେ ବଗ ଚରେ ।

ଯଦି ବରଷଇ ଅଳପେ ଘନ, ପର୍ବତ ଉପରେ ଖେଳଇ ମୀନ ।

ବରଷଇ ଯଦି ଝିମି ଝିମି, ଶସ୍ୟର ଭାର ନ ସହେ ମେଦିନୀ ।୨୦।

 

ଆଷାଢ଼ ମାସରେ ଶୁକ୍ଳପକ୍ଷ ନବମୀରେ । ମେଘ ବରଷଇ ଯେବେ ପ୍ରଳୟ ଭାବରେ ।। ମୂଷଳ ଧାରା ପରାୟେ ବରଷିଲେ ଜଳ । ସେହି ବର୍ଷ ଅନାବୃଷ୍ଟି ହେବ ହେତୁ କର ।। ମରୁଡ଼ିରେ ଜଳ ପୋଡ଼ି କୃଷି ନାଶଯାଏ । ସମୁଦ୍ର ମଧ୍ୟରେ ବଗପକ୍ଷୀ ଚରୁଥାଏ ।। ଅଳ୍ପ ବର୍ଷା ହୁଏ ସେହି ଦିବସରେ ଯେବେ । ପ୍ରବଳ ବୃଷ୍ଟି ହୁଅଇ ସେ ବର୍ଷରେ ତେବେ ।। ପର୍ବତ ଅଗ୍ରଭାଗକୁ ଜଳ ଲାଗିଯାଇ । ତାହାର ଶିଖରେ ତେଣୁ ମୀନ ଯେ ଖେଳଇ ।। ଏହି ଦୁଇ ପ୍ରକାରେ ଦୁର୍ଭିକ୍ଷ ହୁଅଇ । ଧାନ୍ୟ ଆଦି ଶସ୍ୟମାନ ଲୋଡ଼ିଲେ ନ ପାଇ ।। ଯେବେ ଝିପିଝିପି ବର୍ଷା ହୁଏ ସେହିଦିନ । ଧାନ୍ୟାଦି ଶସ୍ୟରେ ଧରା ହୁଏ ପରିପୂର୍ଣ୍ଣ ।। ଅନ୍ନାଭାବ ସେ ଦେଶରେ ନୁହଁଇ କାହାର । ଖନା କହେ ସୁଜ୍ଞଜନମାନେ ହେତୁକର ।୨୦।

 

ଜ୍ୟେଷ୍ଠ ଶୁକ୍ଳ ଆଷାଢ଼େ ଧରା, ଶସ୍ୟର ଭାର ନ ସହେ ଧରା ।୨୧।

 

ଯେଉଁ ବର୍ଷା ନୁହଇ ଜ୍ୟେଷ୍ଠମାସେ । ଶୁକ୍ଳଭାବେ ବସୁମତୀ ରହଇ ବିଶେଷେ ।। ଆଷାଢ଼ ମାସରେ ବୃଷ୍ଟି ହୁଏ ଘନ ଘନ । ସେ ବର୍ଷ ପୃଥ୍ଵୀରେ ଶସ୍ୟ ହୁଏ ପରିପୂର୍ଣ୍ଣ ।। ପ୍ରାଣୀମାନଙ୍କର ମନ ଆନନ୍ଦ ହୁଅଇ । କ୍ଷୁଧା ତୃଷ୍ଣା ଆଦି ସବୁଯାକ ଦୂର ହୋଇ ।। ଶୁଭ ସୁଲକ୍ଷଣ ଏହି ରୀତିରୁ ବୁଝିବ । ପଣ୍ଡିତମାନେ ସଂଶୟ ଦହିବ ।୨୧।

 

କାର୍ତ୍ତିକ ପୂର୍ଣ୍ଣିମାକୁ କର ଆଶା । ଖନା ଡ଼ାକି କହେ ଶୁଣରେ ଚଷା ।

ନିର୍ମଳ ଆକାଶେ ନୁହେଁ ମରୁତ । ସେ ବର୍ଷ ରବି ଫସଲ ବହୁତ ।।

ରାତ୍ରିରେ ବରଷା ହୋଇଲେ ଜଳ । କ୍ଷେତ୍ରକୁ ଯିବା ଅଟଇ ନିଷ୍ଫଳ ।।

 

ଖନା କହେ ଚଷାଭାଇ ଶୁଣ ମୋର ବାଣୀ । କାର୍ତ୍ତିକ ମାସ ପୂର୍ଣ୍ଣିମା ରାତ୍ରକାଳେ ପୁଣି ।। ପରିଷ୍କାର ହୋଇଣ ଆକାଶ ଶୋଭା ପାଇବ । ତିଳେ ମାତ୍ର ପବନ ବହେ ଯେବେ ନ ବହଇ ।। ବିନ୍ଦୁମାତ୍ରେ ବରଷା ନ ହୁଏ ପୁଣି ଯେବେ । ରବି ଶସ୍ୟ ପ୍ରାପତ ଅଧିକ ବେବ ତେବେ ।। ସେହିଦିନ ପ୍ରବଳ ବର୍ଷା ଯେବେହୋଇ । ତାହାରସଙ୍ଗେ ପବନ ଉତ୍ତରୁ ବହଇ ।। ଶସ୍ୟ ଆଦି ନଷ୍ଟ ହୋଇଯିବଟି ନିୟତ । ପରିଶ୍ରମମାନ ସବୁ ହୁଅଇ ଅନର୍ଥ ।। ଅକାରଣେ ରବି କ୍ଷେତ୍ରେ ଯିବ କାହିଁ ପାଇଁ । ନିରାଶେ ଫେରିବ ସିନା ମୁଣ୍ଡେ ହାତ ଦେଇ ।୨୨।

 

ମାଘ ମାସେ ବର୍ଷା ହେବା, ରାଜ୍ୟ ଛାଡ଼େ ପ୍ରଜାର ସେବା ।୨୩।

ଯେଉଁ ବର୍ଷ ଘନ ଘନ ବୃଷ୍ଟି ମାଘମାସେ । ସେହି ବର୍ଷ ଶସ୍ୟ ବୃଦ୍ଧି ହୁଅଇ ଯେ ଦେଶେ ।। ଚଷା ଭାଇଙ୍କର ଗୃହେ ନ ମିଳଇ ସ୍ଥାନ । ନୃପତିର ଭଣ୍ଡାଇ ହୁଅଇ ପରିପୂର୍ଣ୍ଣ ।। ପ୍ରଜାମାନେ ମହା ଆନନ୍ଦରେ ନ୍ୟନ୍ତି ଦିନ । ଶସ୍ୟଲାଭ ଯୋଗୁଁ ସଦା ହରଷିତ ମନ ।। ବ୍ୟାଧିମାନେ ହଟିଯାନ୍ତି ପ୍ରାଣୀଙ୍କ ଦେହରୁ । ଶୁଭ ସୁଲକ୍ଷଣ ଭାବ ବୁଝିବେ ପୂର୍ବରୁ । ଜ୍ୟେଷ୍ଠରେ ମାରି ଆଷାଢ଼େ ଡ଼ର, କାଟିମାଡ଼ି କରେ ଘର ।୨୪।

 

ଜ୍ୟେଷ୍ଠ ମାସେ ତିଳେ ମାତ୍ରେ ବରଷା ନ ହୋଇ । ସମ ଶୀତଳ ଭାବରେ ଯେବେ ଥାଇ ମହୀ ।। ଆଷାଢ଼ ମାସ ଆଦ୍ୟରୁ ବରଷେ ପ୍ରବଳ । ଜାଣିବ ପୃଥ୍ଵୀକି ଏହା ଅଟେ ସୁମଙ୍ଗଳ ।। ସେ ବର୍ଷ ଶସ୍ୟରେ ପୂର୍ଣ୍ଣ ହୁଏ ବସୁମତୀ । ପ୍ରାଣୀମାନଙ୍କର ଧର୍ମ ପଥେ ରହେ ମତି ।। କାହାର ନୁହଇ ଅନ୍ନାଭାବ କେତେବେଳେ । ଖନାର ବଚନ ମନେରଖ ଅବହେଳେ ।୨୪।

 

ଯଦି ହୁଏ ଚଇତ୍ରେ ବୃଷ୍ଟି, ତେବେ ଏ ଧାନର ସୃଷ୍ଟି ।୨୫।

 

ବରଷା ହୁଅଇ ଯେବେ ଚୈତ୍ର ମାସରେ । ସେ ବର୍ଷ ବହୁତ ଶସ୍ୟ ହୁଅଇ ମହୀରେ ।। ତେଣୁ ସବୁ ପ୍ରାଣୀମାନେ ରହନ୍ତି ସୁଖରେ । କୋମଳ ବଚନମାନେ ଭାଷଇ ମୁଖରେ ।। ଦରିଦ୍ରାବସ୍ଥା ଅଙ୍ଗରୁ ହୋଇଯାଏ ଦୂର । ତିଳେମାତ୍ରେ ମନ ଦୁଃଖ ନଥାଇ କାହାର ।୨୫।

 

ବରଷିଲେ ମେଘ ମକରେ, ଧାନ ଫଳ ହୁଏ ଟେକରେ ।୨୬।

 

ମାଘମାସେ ବରଷା ହୋଇଲେ ଘନ ଘନ । ଟେକ ଜମିମାନେ ହୁଏ ଶସ୍ୟେ ପରିପୂର୍ଣ୍ଣ ।। ଖାଲ ଢ଼ିପ ସବୁ କର୍ଷିତ ହୁଅଇ । ତେଣୁକରି ଫଳ ଲାଭ ବିଶେଷ ଅଟଇ ।।

ଆନନ୍ଦରେ ପ୍ରାଣୀମାନେ ରଜନୀ ଦିବସେ ମହୀରେ ରହନ୍ତି ମିହିରଙ୍କୁ ଖନା ଭାଷେ ।୨୬।

 

ଜ୍ୟେଷ୍ଠ ଶେଷେ ବର୍ଷିଲେ ଜଳ, ଦେଶେ ହୁଅଇ ସୁମଙ୍ଗଳ ।

ଆଷାଢ଼େ ଜଳ ଶସ୍ୟେ ଭରା, ଶ୍ରାବଣେ ଭାର ନ ସହେ ଧରା ।

ଭାଦ୍ରବ ମେଘ ନୁହେଁ ଭଲ , ଆଶ୍ଵିନ ଜଳରେ ସୁଫଳ ।

କାର୍ତ୍ତିକ ବରଷା ହୀନିମାନ, ଆଗ୍ରାଣେ ବରଷା ଲୋକସାନ ।

ପୌଷେ ଶସ୍ୟ ଯାଇ ନାଶ, ଖନା କହେ ସର୍ବଶେଷ ।୨୭।

 

ଜ୍ୟେଷ୍ଠ ମାସ ଶେଷେ ଯେବେ ବରଷା ହୁଅଇ ଦେଶକୁ ମଙ୍ଗଳ ବୋଲି ଜାଣିଥାଅ ଭାଇ ।। ଆଷାଢ଼ ମାସେ ବରଷା ହୋଇଲେ ପ୍ରବଳ । ଶସ୍ୟେ ପରିପୂର୍ଣ୍ଣ ଧରା ହୁଅଇ କେବଳ ।। ଶ୍ରାବଣ ବରଷା ରସା ଶସ୍ୟ ବୃଦ୍ଧି ଭାବ । ଭାଦ୍ରବର ମେଘ କେବେ ନୁହେଁ ଶସ୍ୟ ଲାଭ ।। ଆଶ୍ଵିନେ ବର୍ଷିଲେ ଶସ୍ୟ ବିଶେଷ ଫଳଇ । କାର୍ତ୍ତିକରେ ବୃଷ୍ଟି ହୀନିମାନୀ କରୁଥାଇ ।। ମାର୍ଗଶିର ବୃଷ୍ଟି କ୍ଷତି କରଇ ବହୁତ । ପୌଷ ବରଷଣେ ଶସ୍ୟ ନାଶ ସୁନିଶ୍ଚିତ ।। ଯେତେ ଶସ୍ୟ ଥିବ ସବୁ ବିନାଶ ହୁଅଇ । ଖନାର ବଚନ କେବେ ଅନ୍ୟଥା ନୁହଇ ।୨୭।

 

ଚଇତ୍ର କୁହୁଡ଼ି ଭାଦ୍ରବେ ବଢ଼ି, ମନୁଷ୍ୟ ମୁଣ୍ଡ ଯାଏ ଗଡ଼ିଗଡ଼ି ।୨୮।

 

ଚଇତ୍ରେ ମାସେ କୁହୁଡ଼ି ପ୍ରବଳ ଭାବରେ । ରଜନୀ ଦିବସେ ବ୍ୟାପିଥାଏ ନିରନ୍ତରେ ।। ନଦୀ ବୃଦ୍ଧି ଲଭେ ପୁଣି ଭାଦ୍ରବ ମାସରେ । ଶସ୍ୟହାନୀ ପ୍ରାଣପୀଡ଼ା ହୁଏ ଜଗତରେ ।। ପ୍ରାଣୀମାନେ ବିନାଶ ଲଭନ୍ତି ଅକସ୍ମାତେ । ନର ମୁଣ୍ଡମାନେ ମହୀରେ ଯେ ଗଡ଼େ ନିତ୍ୟେ ।୨୮।

 

ଯେ ବାର ଗୁଟିକା ପାତ ସମୁଦ୍ରର ତୀରେ,

ସର୍ବଦା ମଙ୍ଗଳ ବୋଲି କହଇ ଶାସ୍ତ୍ରରେ ।

ନାନା ଶସ୍ୟେ ପରିପୂର୍ଣ୍ଣ ହୁଅଇ ମେଦିନୀ,

ଖନା କହେ ମିହିରଙ୍କୁ ଏହା ଥାଅ ଜାଣି ।୨୯।

 

ସମୁଦ୍ରକୂଳେ କୁଆ ପଥର ବର୍ଷିଲେ । ସେହି ବର୍ଷ ବହୁ ଶସ୍ୟ ହୁଅଇ ସଂସାରେ ।। ଶସ୍ୟ ଲାଭ ଘେନି ଆନନ୍ଦରେ ଥାନ୍ତି ପ୍ରାଣୀ । କାହା ମନରେ ବିରସ ନ ଥାଇ ଯେ ପୁଣି ।। ଶସ୍ୟର ଲାଭ ମେଦିନୀ ସହି ନ ପାରଇ । ପ୍ରାଣୀମାନଙ୍କ ହିତରେ ବହୁତ ଫଳଇ ।। ହରଷ ହୋଇଣ ନିତି ମତିକରି ସ୍ଥିର । ମହୀପରେ ଜନ୍ମି ପ୍ରାଣୀ ହରୁଥାନ୍ତି ସୁଖେ କାଳ ।। ମିହିରଙ୍କୁ ଡ଼ାକି ଖନା ଏମନ୍ତ କହଇ । ଏ କଥା ଗୋଟିକରେ ସଂଶୟ କିଛି ନାହିଁ ।୨୯।

 

ଶନି ରାଜା ମଙ୍ଗଳ ପାତ୍ର, ଚାଷ ଚଷୁଆ କେବଳ ମାତ୍ର ।୩୦।

 

ଯେଉଁ ବର୍ଷ ଶନିଗ୍ରହ ରାଜା ଥାଏ ହୋଇ । ତାହାର ସଙ୍ଗରେ ମନ୍ତ୍ରୀ ମଙ୍ଗଳ ଅଟଇ ।। ଶସ୍ୟହାନି ସେ ବରଷ ହୋଇବ ନିଶ୍ଚୟ । ଶ୍ରମ ବୃଥା ହୁଏ ମନେ ନକର ସଂଶୟ ।। ଅନ୍ନ ବିନା ପ୍ରାଣୀମାନେ ଲଭୁଥାନ୍ତି ଦୁଃଖ । ଦିନେ ମାତ୍ର ସେ ବରଷ ନ ମିଳଇ ସୁଖ ।୩୦।

 

ବୁଧ ରାଜା ଶୁକ୍ର ମନ୍ତ୍ରୀ, ଶସ୍ୟେ ପରିପୂର୍ଣ୍ଣ ହୁଏ ଧରିତ୍ରୀ ।୩୧।

ବୁଧ ରାଜା ହୋଇ ଶୁକ୍ର ମନ୍ତ୍ରୀ ହେଲେ ତା’ର । ସହି ନ ପାରଇ ମହୀ ଶସ୍ୟାଦରି ଭାର ।। ପୂର୍ଣ୍ଣ ପ୍ରାପତ ହୁଅନ୍ତି ପ୍ରାଣୀମାନେ । ବିହାର କରନ୍ତି ନିତ୍ୟେ ଆନନ୍ଦିତ ମନେ ।। ମାନବମାନଙ୍କ ଦେହୁ ଘୁଞ୍ଚେ ସବୁ ରୋଗ । ଆଗହୁଁ ଜାଣିବ ନିଶ୍ଚେ ଶୁଭଫଳ ଯୋଗ ।୩୧।

 

ଡାକ ଦେଇ କହେ ମିହିରର ସ୍ତ୍ରୀ ଶୁଣ ହେ ପତିର ପିତା ।

ଭାଦ୍ରବ ମାସରେ ଜଳ ବର୍ଷେ ଯେବେ ଥରହର ବସୁମାତା

ରାଜ୍ୟ ନାଶ ଯାଏ ଗୋ- ମଡ଼କ ହୁଏ ଆବର ବନ୍ୟା ପ୍ରବଳ ।

ମାଉଣୀ ଧରିଣ ଚାଷୁଣୀ ଫେରେଇ ଧାନ୍ୟ ନ ପାଇ କେବଳ ।୩୨।

 

ମିହିରର ନାରୀ ଖନା କହୁଛି ଏମନ୍ତ । ଶୁଣ ହେ ଶ୍ଵଶୁର ମୋର ମୋର କଥା ଦେଇ ଚିତ୍ତେ ।। ଭାଦ୍ରବ ମାସରେ ହୋଇ ପ୍ରବଳ ବରଷା । ଜଳରେ କେବଳ ପରିପୂର୍ଣ୍ଣ ହେଲେ ରସା ।। ସେ ମଧ୍ୟରେ ଭୂମିକମ୍ପ ଯେବେ କି ହୁଅଇ । ଜାଣିବ ପୃଥ୍ଵୀକି ତେବ ବିପଦ ଘଟଇ ।। ପ୍ରାଣୀମାନଙ୍କ ଶରୀରରେ ହୁଏ ନାନା ରୋଗ । ଗୋ ମଡ଼କ ଦୁର୍ଭିକ୍ଷାଦି ଅମଙ୍ଗଳ ଯୋଗ ।। ନଦୀ ବୃଦ୍ଧି ହୁଏ ପୁଣି ପ୍ରବଳ ଭାବରେ । ମାଉଣୀ ଘେନି ଚଷୁଣୀ ବୁଲଇ ଦାଣ୍ଡରେ ।। ଲୋଡ଼ିଲେ ନ ମିଳେ ଧାନ୍ୟ କେବେ ସେ ଦେଶରୁ । ନିର୍ଣ୍ଣୟ କରିବ ଏହା ଦେଖିଣ ଆଗରୁ ।୩୨।

 

ମାସେ ପାଞ୍ଚ ରବି ଯାଏ । ଝରା କିବା ଖରାରେ ଯାଏ ।୩୩।

 

ଶୁଣ ହେ ମୋହର ସ୍ଵାମୀ ଖନା କହୁଛନ୍ତି । ଅମଙ୍ଗଳ ଫଳ ଏବେ ଚିତ୍ତେ ଘେନ ବାଛି ।। ଯେବଣ ବରଷେ ଏକ ମାସରେ ନିକର । ପାଞ୍ଚଥର ହୋଇଣ ପଡ଼ଇ ରବିବାର ।। ସେ ବରଷ ବହୁତ ବରଷା ହୁଏ ଜାଣ । ନୋହିଲେ ଏକାବେଳେ ଅନାବୃଷ୍ଟି ପୁଣ ।। ମହା ଦୁର୍ଭିକ୍ଷ ହେବାକୁ ପ୍ରାଣୀମାନେ ନିତି । ସେ ବରଷ ଦୁଃଖରେ କାଟନ୍ତି ଦିବାରାତି ।। ଅମଙ୍ଗଳ ଚିହ୍ନ ଏହା ଜାଣିବା ଆଗରୁ । ଧନ ବ୍ୟୟ ନ କରିବ କେବେ ନିଜ ଘରୁ ।୩୩।

 

ଫାଲ୍‌ଗୁନେ ରୋହିଣୀ ଯତନେ ରାଇ, ଆଗାମୀ ବତ୍ସର ଗଣିଣ ପାଇ

ସପ୍ତମୀ ଅଷ୍ଟମୀରେ ହୁଏ ଧାନ । ନବମୀରେ ବନ୍ୟା ଦଶମୀରେ ମୂଳହୀନ ।୩୪।

 

ଫାଲଗୁନ ମାସ ସପ୍ତମୀ ଅଷ୍ଟମୀ ତିଥିରେ । ରୋହିଣୀ ନକ୍ଷତ୍ର ଯେବେ ପଡ଼ଇ ଯୋଗରେ ।। ପୃଥ୍ଵୀ ମଧ୍ୟେ ତେବ ବହୁ ଶସ୍ୟ ହେବ ଜାତ । ପ୍ରାଣୀଙ୍କର ତେଣୁ ସିନା ହରଷିତ ଚିତ୍ତ ।। ନବମୀ ତିଥିରେ ଯେବେ ରୋହିଣୀ ହୁଅଇ । ନଦୀ ବୃଦ୍ଧି ଲଭି ଶସ୍ୟମାନେ ନାଶ ଯାଇ । ଦଶମୀରେ ରୋହିଣୀ ପ୍ରବେଶ ହୁଏ ଯେବେ । ସବୁ ଶସ୍ୟ ବିନାଶ ହୁଅଇ ବୁଝ ତେବେ ।। ଚଷାଭାଇର ମୂଳ ବିହନ ନ ମିଳଇ । ପୂର୍ବୁ ଏହା ଜାଣି ସାବଧାନେ ଥିବ ହୋଇ ।୩୪।

 

ପାଞ୍ଚଗ୍ରହ ଏକତ୍ରେ ରହେ, ସେହି ବର୍ଷ ଦୁର୍ଭିକ୍ଷ ହୁଏ ।

ଷଡ଼ ସପ୍ତ ଅଷ୍ଟ ହେଲେ, ରାଜ୍ୟ ନାଶ ବିଶୃଙ୍ଖଳେ ।୩୫।

 

ପାଞ୍ଚଗ୍ରହ ଯେବେ ଏକ ରାଶିରେ ରହନ୍ତି । ଦୁର୍ଭିକ୍ଷରେ ପ୍ରାଣୀମାନେ ତେବେ ନାଶ ଯାନ୍ତି ।। ଷଡ଼ଗ୍ରହ ସପ୍ତଗ୍ରହ ଅଷ୍ଟଗ୍ରହ ଅବା । ଏକଘରେ ଯେବେ କେଉଁକାଳେ ଯୋଗଲ କିବା ।। ପ୍ରାଣୀମାନେ ମହାକଷ୍ଟ ଲଭନ୍ତି ଶରୀରେ । ରାଜ୍ୟହାନି ଦୁର୍ଭିକ୍ଷ ପଡ଼ଇ ଅବହେଳେ ।। ମହା ଅଶାନ୍ତିରେ ପ୍ରାଣୀମାନେ ନ୍ୟନ୍ତି ଦିନ । ବହୁ ଅମଙ୍ଗଳ ବୋଲି ଚିନ୍ତ ନିଜ ମନ ।୩୫।

 

କନ୍ୟେ ଶନିଶ୍ଚର ସ୍ଥିତି ଯେବେ, ଦୁର୍ଭିକ୍ଷରେ ପ୍ରଜାପୀଡ଼ା ତେବେ ।

ମୀନେ ଶନି ମହାଦୋଷ , ପ୍ରଜାପୀଡ଼ା ରାଜ୍ୟନାଶ ।୩୬।

 

କନ୍ୟା ରାଶିସ୍ଥିତ ଯେବେ ହୁଏ ଶନିଶ୍ଚର । ଦୁର୍ଭିକ୍ଷ ହେବାରୁ ଦେଶେ ପଡ଼େ ହାହାକାର ।। ପ୍ରାଣୀମାନେ କଷଣ ଲଭନ୍ତି ଦିନୁଦିନ । ଧନୁହାନି ପ୍ରାଣପୀଡ଼ା ଘେନି ହୀନମାନ ।। ମୀନ ରାଶିରେ ଯଦ୍ୟପି ଶନିଶ୍ଚର ସ୍ଥିତ । ସଂସାରକୁ ମହାକ୍ଲେଶ ହୁଏ ଉପସ୍ଥିତ ।। ପ୍ରାଣୀମାନେ ଶୁଭକାର୍ଯ୍ୟ କରି ନ ପାରନ୍ତି । ନ ଦେଖିବା ନ ଶୁଣିବା ଦେଖନ୍ତି ଶୁଣନ୍ତି ।୩୬।

 

ମଧୁମାସେ ପ୍ରଥମ ଦିବସେ ହୁଏ ଯେଉଁ ବାର ।

ରବିଶେଷେ କୁଜ ବର୍ଷେ ଦୁର୍ଭିକ୍ଷ ବୁଧବାର ।।

ସୋମ, ଶୁକ୍ର , ଗୁରୁବାର ପୃଥିବୀ ନ ସହେ ଶସ୍ୟର ଭାର ।

ପାଞ୍ଚ ଶନି ମୀନ ପାଏ, ଘୃଣାରେ ଶକୁନି ମାଂସ ନ ଖାଏ ।୩୭।

 

ଚଇତ୍ର ମାସ ପ୍ରଥମ ଦିବସରେ ଜାଣ । ରବିବାର ହେଲେ ଅନାବୃଷ୍ଟି ପ୍ରମାଣ ।। ମଙ୍ଗଳବାର ପଡ଼ିଲେ ଜାଣିଲେ ନିୟତ । ସେ ବରଷ ସଂସାରକୁ ବରଷା ବହୁତ ।। ବୁଧବାର ହେଲେ ମହାଦୁର୍ଭିକ୍ଷ ହୁଅଇ । ଶସ୍ୟହାନୀ ପ୍ରାଣପୀଡ଼ା ଜଗତକୁ ଥାଇ ।। ଚଇତ୍ର ମାସ ଆଦ୍ୟେ ଗୁରୁ, ଶୁକ୍ର, ସୋମବାର । ପଡ଼ିଥିଲେ ଶସ୍ୟ ଲାଭ ହୁଅଇ ପ୍ରଚୁର ।। ଯଦି ଆଦ୍ୟ ଦିନେ ଶନିବାର ପଡ଼େ ଯୋଗ । ଦେଶକୁ ନ ହେବ ତେବେ ଶୁଭଫଳ ଭୋଗ ।। ପାଞ୍ଚ ଶନିବାର ସେ ମାସରେ ଯେବେ ହୋଇ । ଘୃଣାବଶେ ନରମାଂସ ଗୃଧ୍ର ଥାଏ ଖାଇ ।। ଶ୍ଵାନ ଶୃଗାଳାଦି ନରମାଂସ ଭକ୍ଷି ନିତି । ଖନା କହେ ଆଉ ତାଙ୍କ ନ ବଳଇ ମତି ।୩୭।

 

ମଧୁମାସେ ତେରଦିନ ରହେ ଯେବେ ଶନି ।

ଖନା କହେ ସେ ବତ୍ସର ହୁଏ ଶସ୍ୟହାନୀ ।୩୮।

 

ଚୈତ୍ର ମାସେ ତେରଦିନ ଯେବେ ଶନି ରହେ । ପୃଥିବୀ ମଧ୍ୟରେ ତେବେ ଶସ୍ୟହାନି ହୁଏ ।। ଅନ୍ନ ଅଭାବ ହୁଅଇ ପ୍ରାଣୀମାନଙ୍କର । ଭିକ୍ଷାମାଗି ବୁଲୁଥାନ୍ତି କେତେ ନାରୀ ନର ।। ନାନାବ୍ୟାଧି ଆକ୍ରମଣ କରେ ମାନବକୁ । ମିଥ୍ୟା ନ ମଣିବ କେହି ଖନା ବଚନକୁ ।୩୮।

 

ଅସ୍ତ ହେଲେ ସୂର୍ଯ୍ୟ ହସି । ମହୀରେ ନ ହୁଏ ଶସ୍ୟ ରାଶି ।୩୯।

 

ଆଷାଢ଼ ମାସରେ ସୂର୍ଯ୍ୟ ଅସ୍ତ ସମୟରେ । ହସି ହସି ଅସ୍ତ ହୋନ୍ତି ଯେବଣ ବର୍ଷରେ ।। ସେ ବରଷ ଶସ୍ୟହାନୀ ହୁଅଇ ନିଶ୍ଚୟ । ଖନାର ବଚନେ ଚିତ୍ତୁ ବିନାଶ ସଂଶୟ ।୩୯।

 

ତେର ଦିନେ ତେର ପକ୍ଷ, ଭିକ୍ଷା ମାଗି ବୁଲେ ପକ୍ଷ ।୪୦।

 

କୌଣସି ମାସରେ ପକ୍ଷ ହେଲେ ତେରଦିନ । ପକ୍ଷପ୍ରାୟେ ବ୍ୟକ୍ତି ସୁଦ୍ଧା ଲଭେ ହୀନମାନ ।। ରାଜ୍ୟନାଶ ଅମଙ୍ଗଳ ନାନା ରୋଗ ହୋଇ । ହାହାକାର ଶବଦ ଜଗତେ ପ୍ରକାଶଇ ।। ପ୍ରାଣୀମାନେ ବିନାଶ ହୁଅନ୍ତି ଚାହୁଁ ଚାହୁଁ । ଦୁର୍ଭିକ୍ଷ ହୋଇଲେ ସୁଖ ମିଳିବଟି କାହୁଁ ।। ନିଜ ହୃଦୁ ହିଂସା ଅହଙ୍କାର କଲେ ଦୂର । ସେ କାଳେ ରହିବ ବର୍ତ୍ତି ଚିତ୍ତେ ହେତୁକର ।୪୦।

 

ଶୟନ ଉତ୍‌ଥାନ ପାର୍ଶ୍ଵମୋଡ଼ା, ତା’ର ମଧ୍ୟେ ଭୀମ ଛଡ଼ା ।

ଦୁଇ ପୁଅଙ୍କର ଜନ୍ମ ତିଥି, ଅଷ୍ଟମୀ ନବମୀ ପ୍ରଶସ୍ତ ଦୋଟି ।

ପାଗଳ ଚଉଦ ପାଗଳି ଆଠ, ଏହା ଜାଣିକରି ସମୟ କାଟ ।୪୧।

 

ଦେବଶୟନ ଉତ୍‌ଥାନ ବେନି ପୂର୍ଣ୍ଣିମାରେ । ପାର୍ଶ୍ଵ ଏକାଦଶୀ ପୁଣି ଭୌମୈକାଦଶୀରେ ।। ହରି ଜନ୍ମାଷ୍ଟମୀ ରାମନବମୀ ସେ ଦୁଇ । ଶିବ ଚତୁର୍ଦ୍ଦଶୀ ମହାଷ୍ଟମୀ ଆଦି ସେହି ।। ଏ ଦିନମାନଙ୍କେ ପ୍ରାଣୀ ହୋଇ ନିଷ୍ଠାପର । ଧର୍ମ ପଥେ ମତି ଦେଇ ଚିତ୍ତ କର ସ୍ଥିର ।।

 

ଉପବାସ କରି ଯେହୁ ଗର୍ବ ନ କରନ୍ତି । ଜନ୍ମାନ୍ତରେ ବହୁ ସୁଖ ଫଳ ସେ ଲଭନ୍ତି । ଏ ନିୟମ ମାନି ସର୍ବ ପ୍ରାଣୀମାନେ ଚଳ । ନିଶ୍ଚୟ ପ୍ରବେଶ ହେବ ଅମର ମଣ୍ଡଳ ।। ଜୀବ ଥିବାଯାଏ ଜରା ବ୍ୟାଧି ନ ଗ୍ରାସିବ । ଖନାର ବଚନ ଏହୁ ଅନ୍ୟଥା ନୋହିବ ।। ସକଳ ଜନମାନଙ୍କୁ ହିତକାମନାରେ । ଖନା ବଚନକୁ କହିଲଇଁ ପ୍ରକୃତରେ ।। ସୁଜ୍ଞଜନମାନେ ମୋର ଦୋଷ ନ ଧରିବ । ଘନଲୋହିତ ବଲ୍ଲଭଙ୍କର ସୂଷ୍ମଭାବ ।। ଦ୍ଵିତୀୟ ଅଧ୍ୟାୟ ପୂର୍ଣ୍ଣ ହେଲା ଏ ସ୍ଥାନରେ । କହନ୍ତି ମଧୁସୂଦନ ହରଷ ମନରେ ।।

 

ଇତି ଦ୍ଵିତୀୟୋଽଧ୍ୟାୟଃ ।

 

ତୃତୀୟ ଅଧ୍ୟାୟ

ଯାତ୍ରା ନିୟମ

ମଙ୍ଗଳ ରାତି, ବୁଧ ପାହାନ୍ତି, ଯେଣେ ଇଚ୍ଛା କଲେ ତେଣେ ଯାଆନ୍ତି ।

ମଙ୍ଗଳବାର ରଜନୀ ପାହି ଯାଇଥିବ । ବୁଧବାର ପ୍ରଭାତ ଯେ ହୋଇ ଆସୁଥିବ ।। ନୁହଇ ମଙ୍ଗଳବାର ନୁହେଁ ବୁଧବାର । ଏମନ୍ତ ସମୟ ଦେଖି ଅନୁକୂଳେ କର ।। ତିଥି ନକ୍ଷତ୍ର ଚନ୍ଦ୍ରମା କିଛି ନ ଖୋଜିବ । କେବଳ ମନଦୃଢ଼ରେ ଯାତ୍ରା ଆରମ୍ଭିବ ।। ସକଳ କାର୍ଯ୍ୟରେ ସିଦ୍ଧି ଲଭିବ ନିଶ୍ଚୟ । ବାଞ୍ଛା ପୂର୍ଣ୍ଣ ହେବ ଚିତ୍ତେ ନ କର ସଂଶୟ ।। ଏ ସମୟେ ସର୍ବଜନ ଅନୁକୂଳ କର । ଖନା ବୋଲେ କେତେବେଳେ ନୋହିବ ଫଳ ।୧।

 

ରବି, ଗୁରୁ , ମଙ୍ଗଳ ଉଷା, ଆଉ ସବୁ ଫସରଫସ ।୨।

 

ରବିବାର, ଗୁରୁବାର, ମଙ୍ଗଳବାରେ । ଏ ଦିନ ପ୍ରଶସ୍ତ ଏକା ଅଟେ ଉଷାକାଳେ ।। ଅନ୍ୟକିଛି ନ ଲୋଡ଼ିଣ ଯାତ୍ରା ଆରମ୍ଭିଲେ । ନିଶ୍ଚେ ସଫଳ ହୁଅଇ ଏହା ଖନା ବୋଲେ ।୨।      

 

ଉଷା ନିୟମ ନିରୂପଣ

ଡାକେ ପକ୍ଷୀ ନ ଛାଡ଼େ ବସା, ଉଡ଼ିବ ସେ ଭୁକ୍ଷିବାର ଆଶା ।

ବସାକୁ ଫେରଇ ନ ପାଇ ଦିଶା, ଖନା କହେ ଡ଼ାକି ସେହିଟି ଉଷା ।।

ଉଡ଼ି ପକ୍ଷୀ ନ ଖାଏ ଯେବେ , ସେ ବେଳେ କିମ୍ପା ନ ଯାଅ ଯେବେ ।୩।

 

ପକ୍ଷୀମାନେ ଯେବେ ରଜନୀ ଶେଷ କାଳରେ । ନିଜ ବସାରେ ବସି ରାବନ୍ତି ଆନନ୍ଦରେ ।। ଉଡ଼ିବାକୁ ବଳାଇଣ ଥାନ୍ତି ନିଜ ମତି । ମାତ୍ର ଦିଗ ନିର୍ମଳ ନୁହନ୍ତେ କରି ଭୀତି ।। ନ ଉଡ଼ିଣ ଭକ୍ଷିବାକୁ ବଳାନ୍ତି ମାନସ । ନ ମିଳଇ ଅନ୍ଧକାର ଯୋଗେ ଦଶଦିଶ ।। ଉଷାକାଳ ବୋଲିଣ ଭାବିବ ଯେ ବେଳକୁ । ଏ ଯୋଗରେ ଯାତ୍ରା କଲେ ଲଭି ସୁଫଳକୁ ।। ଧନମାନ ଯଶ ଆଦି ଲଭିବ ନିୟତ । ମନୋରଥ ସିଦ୍ଧ ସର୍ବ କର୍ମ ପରାପତ ।। ପକ୍ଷୀ ଉଡ଼ି ଯେବେ ସେହୁ ନ ପାଏ ଆହାର । ଚଉଦିଗ ଦିଶୁଥାଇ ଅଳ୍ପ ଅନ୍ଧକାର ।। ଏମନ୍ତ ସମୟେ ଶୀଘ୍ର କର ଯାତ୍ରା ବିଧି । ଖନା କହେ ନିଶ୍ଚେ ହୋଇବ କାର୍ଯ୍ୟସିଦ୍ଧି ।୩।

 

ଯାତ୍ରାର ଶୁଭ ଲକ୍ଷଣ

ବାମେ ଥାଏ ଶିଆଳ ମଡ଼ା, କୁମ୍ଭ ଘୋଡ଼ା ଅଜା ଘୋଡ଼ା ।

ଦକ୍ଷିଣେ ଗୋରୁ , ମୃଗ, ଦ୍ଵିଜ, ଶୁଭ ମନରେ ହେଜ ।

ନକୁଳ ଶୁଭ ସର୍ବ ପାଖ, ଗୋରୁ ପୃଷ୍ଠେ କାକ ଦେଖ ।

ଖନା କହେ ଶୁଭଫଳ , ସାର ଅଟେ ଅନୁକୂଳ ।୪।

 

ଯାତ୍ରାର ଶୁଭ ଲକ୍ଷଣ ସୁଜ୍ଞଜନେ ଶୁଣ । ଗୀତରେ ବୁଝାଇ ତାହା କହୁଅଛି ପୁଣ ।। ଶୃଗାଳ ଦେଖିବ ବାମ ପାରୁଶରେ ଯହିଁ । ମୃତ ପ୍ରାଣୀଙ୍କୁ ମାନବେ ନେଉଥିବେ ବହି ।। କି ଅବା ଜଳପୂର୍ଣ୍ଣ କଳସ ଦୈବଯୋଗେ । ନୟନ ଗୋଚର ହେବ ନିଜ ବାମ ଭାଗେ ।। ଘୋଟକ କି ଅବା ମେଷ ବାମରେ ରହନ୍ତି । ଶୁଭଫଳ ହୁଏ ମନେ ନ କରିଣ ଭ୍ରାନ୍ତି ।। ଦକ୍ଷିଣ ପାରୁଶେ ଯେବେ ଥିବେ ଧେନୁଗଣ । ମୃଗ କି ଅବା ବ୍ରାହ୍ମଣ ଥିଲେ ଶୁଭ ଜାଣ ।। ବାମେ କିମ୍ବା ଦକ୍ଷିଣରେ ଦେଖିଲେ ନକୁଳ । କି ଅବା ଗୋପୃଷ୍ଠେ କାକ ଦେଖିବ ସେ ବେଳ ।। ସୁଫଳ ଫଳଇ ନିଶ୍ଚେ ସେ ଯାତ୍ରାରେ ପୁଣ । ଖନା କହେ ସୁଖେ ଗମ ସୁବିବେକୀ ଗଣ ।୪।

 

ଯାତ୍ରାର ଅଶୁଭ ଲକ୍ଷଣ

ମାର୍ଜାର ସମର ମହାଘୋର , ଧରାଧରି ଯେବେ ସହୋଦର ।

ନିଜର ଯୁବତୀ ରଜୋବତୀ, ଜନନୀର ଦୁଃଖ ଥିଲେ ମତି ।

ସୁତକ ମୃତକ ଆଦି ଦୋଷ, ଅସମୟ ବୃଷ୍ଟି ନମିଳେ ବାସ ।

ଖନା ଡ଼ାକିକହେ ଶୁଣହେ ଭାଇ, ଏମନ୍ତ ଘଟିଲେ ନଯିବ କାହିଁ ।୫।

 

ଶୁଣ ହେ ସୁଜନ ଜନେ ମନ ଆନନ୍ଦରେ । ଯାତ୍ରାର ଅଶୁଭ କଥା କହିବା ଆଗରେ ।। ଆରମ୍ଭ କରିବ ଯାତ୍ରା ଯେବଣ ବେଳରେ ମୀର୍ଜାରଙ୍କ କଳହ ଦେଖିଲେ ନୟନରେ ।। କୁଟୁମ୍ବ ମଧ୍ୟେ କଳହ ଆଗୁଥିବ ହୋଇ । ନିଜ ଭାର୍ଯ୍ୟା ରଜସ୍ଵଳା ହୋଇ ଯେବେ ଥାଇ ।। ନିଜର ଜଜନୀ କିମ୍ବା ଗୁରୁଜନ ସମ । ଗୃହ ମଧ୍ୟେ ଯେବେ ମନ ନଥାଏ ଉତ୍ତମ ।। ସୁତକ ମୃତକ ଆଦି ଅଶୌଚ ମଧ୍ୟରେ । ଅକାଳରେ ବୃଷ୍ଟି ଯେବେ ହୁଏ ସେ କାଳରେ ।। ପିନ୍ଧିବାର ବସ୍ତ୍ର ଯଦି ଖୋଜିଲେ ନମିଳେ । ଜାଣିଥାଅ ଅମଙ୍ଗଳ ଘଟିବ କପାଳେ ।। ଏପରି ଘଟିଲେ କେବେ ଯାତ୍ରା ନ କରିବ । ନ ମାନି ଗମିଲେ ମନ୍ଦଫଳକୁ ଭୋଗିବ ।୫।

 

ଶୂନ୍ୟ କଳସ ଶୁଖିଲା ନାଆ , ଶୁଖିଲା ଡ଼ାଳରେ ଡ଼ାକଇ କୁଆ ।

ଦେଖିବ ଯଦି ମାଖୁନ ଧୋପା, ଆଗୁଆ ପାଦ ନ ବଢ଼ା ବାପା ।

ଖନା ଡ଼ାକି କହେ ନ ଯିବୁ ଠେଲି, ଯଦି ଦେଖିଥିବୁ ସମ୍ମୁଖେ ତେଲି ।୬।

 

ଯାତ୍ରା କରିବାର ବେଳେ ଶୂନ୍ୟ କଳସକୁ । ନେତ୍ରରେ ଦେଖିବ ଯେବେ ପ୍ରଚ୍ଛନ୍ନ ତାହାକୁ ।। ଜଳ ଶୁଖିଲାରେ ଥିବା ନୌକା ଯେବ ଦେଖି । ଶୁଷ୍କ ଡ଼ାଳେ ବସି ରାବୁଥିବ କାକପକ୍ଷୀ ।। ମାଖୁନା ଲୋକ କିଅବା ରଜକ କିବା ତେଲିକି ଦେଖିଲେ । ଅଶୁଭ ହୁଅଇ ଯାତ୍ରା ଜାଣିଥାଅ ଭଲେ ।। ଏହି ସବୁ ନେତ୍ରେ ଯଦି ଦେଖିବ ହେ ଭାଇ । ଗୃହକୁ ଫେରି ଆସିବ ବିରସ ନହୋଇ ।। ନ ମାନିଣ ଗମନ କରିବ ଯେବେ ବଳେ । ଖନା କହେ ନିଶ୍ଚେ ଅମଙ୍ଗଳ ଫଳେ ଫଳେ ।୬।

 

ବିପରୀତ ଦୃଷ୍ଟେ ଯାତ୍ରା ଫଳାଫଳ

ଭରାଠାରୁ ଶୂନ୍ୟ ଭଲ ଯଦି ଭରିବାକୁ ଯାଏ ।

ଆଗଠାରୁ ପଛ ଭଲ ମାଆ ଯେବେ ଡ଼ାକିଦିଏ ।।

ମରାଠାରୁ ଜୀଅନ୍ତା ଭଲ ମରିବାକୁ ଯେବେ ଥାଏ ।

ବାଆଁଠାରୁ ଡ଼ାହାଣ ଭଲ ଫେରି ଯଦି ଚାହେଁ ।।

ବନ୍ଧଠାରୁ ଖୋଲା ଭଲ ମୁଣ୍ଡ ଟେକି ଟେକି ଚାହିଁଲେ ।

ହସିବା ଠାବରୁ କାନ୍ଦିବା ଭଲ କାନ୍ଦେ ଯେବେ ବାଆଁରେ ।୬।

 

ଯାତ୍ରାକାଳେ ଶୂନ୍ୟ କଳସାକୁ କେହୁ ନେଇ । ଯାଉଥାଏ ଯେବେ ଜଳ ଆଣିବାର ପାଇଁ ।। ତେବେ ଶୁଭଫଳ ହୁଏ ଜାଣିବ ନିଶ୍ଚୟ । ଗମନ କରିବ ମନେ ନ କରି ସଂଶୟ ।। ପଛରେ ଡ଼ାକିବା ସିନା ଅଶୁଭ ଅଟଇ । ନିଜ ମାତା ଯେବେ ଡ଼ାକେ ଶୁଭ ପ୍ରକାଶଇ ।। ନିକଟ ମୃତ୍ୟୁ କରିବା ଜୀବନ୍ତ ପ୍ରାଣୀକି । ଯାତ୍ରାକାଳେ ଯେବେ ତାକୁ ନୟନରେ ଦେଖି ।। ଶବ ଦର୍ଶନରୁ ଅତି ଶୁଭ ବୋଲି ଜାଣ । ସକଳ କାର୍ଯ୍ୟେ ସୁଫଳ ହୁଅଇ ପ୍ରମାଣ ।। ବାମ ପାର୍ଶ୍ଵେ ଶୃଗାଳ ଶୁଭ ସିନା ଅଟଇ । ତାହାଠାରୁ ଶୁଭ ଦକ୍ଷିଣପାଶେ ଯେବେ ରହି ।। ପଛକୁ ଚାହିଁଣ ଯେବେ ପଳାଏ ଚଞ୍ଚଳ । ତା’ ହେଲେ ଅତ୍ୟନ୍ତ ଶୁଭ ବୋଲି ହେତୁକର ।। ବନ୍ଧା ଗୋରୁଠାରୁ ଖୋଲା ଗୋରୁ ଅଟେ ଶୁଭ । ମୁଣ୍ଡ ଟେକି ଚାହିଁଲେ ହୋଇବ ବହୁ ଲାଭ ।। ଯାତ୍ରାକାଳେ ଉଚ୍ଚହାସ୍ୟ ଶବଦ ଶୁଣିଲେ । ସର୍ବଶୁଭ ହୁଏ ବୋଲି ଶୁଣିଛ ଗ୍ରନ୍ଥରେ ।। ତାହାଠାରୁ ଶୁଭ ବାମ ପାର୍ଶ୍ଵରେ କ୍ରନ୍ଦନ । ଯାତ୍ରାକାଳେ କର୍ଣ୍ଣକୁ ଶୁଭିଲେ ଘନଘନ ।। ଅତ୍ୟନ୍ତ ଶୁଭ ହୁଅଇ ସେହି ଅନୁକୂଳେ । ଧନମାନ ଯଶ ପରାପତ ଅବହେଳେ ।। ପ୍ରାଣୀଙ୍କ ହିତରେ ଏହା ଖନା କହିଛନ୍ତି । ସୁଜ୍ଞଜନମାନେ ଏହା ଚିତ୍ତେ ଥାଅ ଚିନ୍ତି ।।

 

ସଙ୍କୁ ଦ୍ଵାରା ଯାତ୍ରା ସମୟ ନିରୂପଣ

ଘେନ ଦ୍ଵାଦଶାଙ୍ଗୁଳ କାଠ । ସୂର୍ଯ୍ୟମଣ୍ଡଳେ ଦିଅ ଦୃଷ୍ଟି ।

ରବିରେ କୋଡ଼ିଏ ସୋମେ ଷୋହଳ, ପଞ୍ଚଦଶଙ୍ଗୁଳ ମଙ୍ଗଳେ ଭଲ

ବୁଧେ ଏକାଦଶ ଗୁରୁବାର, ଶୁକ୍ର, ଚତୁର୍ଦ୍ଦଶ ଶନିରେ ତେର

ଛିଙ୍କ ଟିକେ ଟିକେ ପଡ଼ଇ ଯେବେ , ଅଷ୍ଟଗୁଣ ଲାଭ ହୁଅଇ ତେବେ ।

ସଳଖ ଭାବରେ କାଠି ଗୋଟିଏ ଘେନିବ । ସୂର୍ଯ୍ୟ କିରଣରେ ନେଇ ଯତନେ ପୋତିବ ।।

ଭୂମିପରେ ବାହାରକୁ ବାରାଙ୍ଗୁଳ ଥିବ । ତାହାର ଛାୟାକୁ ଦେଖି ଗଣନା କରିବ ।। ରବିବାର ଯେବେ ହୋଇଥିବ ସେହିଦିନ । ସେ ଛାୟା ବିଂଶ ଆଙ୍ଗୁଳରେ କରିବ ଗମନ ।। ସୋମବାରେ ଷୋଳ ଆଙ୍ଗୁଳେ ଯାତ୍ରା କର । ମଙ୍ଗଳବାରେ ଗମିବ ଗଣିଣ ପନ୍ଦର ।। ବୁଧବାରେ ଏଗାର ଆଙ୍ଗୁଳେ ଛାୟା ବେଳେ । ଗମନ କରିବ ଭ୍ରାନ୍ତି ନରଖି ଚିତ୍ତରେ ।। ଗୁରୁବାରେ ହେଲେ ବାର ଆଙ୍ଗୁଳରେ । ଶୁକ୍ରବାର ଚତୁର୍ଦ୍ଦଶ ଆଙ୍ଗୁଳ ଛାୟାରେ ।। ଶନିବାର ତେର ଆଙ୍ଗୁଳ ବେଳରେ ଛାଇ । ହୋଇଥିଲେ ଯାତ୍ରା ଆରମ୍ଭିକ ଆହେ ଭାଇ ।। ତିଥି ବାର ନକ୍ଷତ୍ରାଦି କିଛି ନ ଖୋଜିବ । କେବଳ ଏ ଛାୟା ଗଣି ଗମନ କରିବ ।। ଶୁଭଫଳ ପରାପତ ତିହିଁରେ ହୁଅଇ । ଧନ ମାନ ଯଶ ଆଦି ଚଞ୍ଚଳ ମିଳଇ ।। ଯାତ୍ରାକାଳେ ଯେବେ ଛିଙ୍କ ପଡ଼ଇ ନିଜର । ଅଥବା ପଲ୍ଲୀପତନ ହୁଅଇ ତତ୍କାଳ ।। ମହାଶୁଭ ଫଳ ପୋଲି ଜାଣିବ ନିୟତ । ଲାଭ ହେବ ଅଷ୍ଟଗୁଣେ ମହାସୌଖୀ ଜାତ ।। ଏହିବେଳେ ଦେଖି ଯେବେ ଯାତ୍ରା ଆରମ୍ଭିବ । ଖନା ବୋଲେ ବିତ୍ତ ଅର୍ଜି ଆନନ୍ଦେ ରହିବ ।୮।

 

କାକଦ୍ଵାରା ଯାତ୍ରାର ଶୁଭ ଲକ୍ଷଣ ନିର୍ଣ୍ଣୟ

ଗୋରୁ ପୃଷ୍ଠେ ଯାତ୍ରାକଲେ, ଯଦି କାକ ବସେ ଭଲେ ।

ଧନରତ୍ନ ବହୁମିଳେ, ଭାଗ୍ୟ ଶୁଭଫଳ ଫଳେ ।୯।

 

ଯାତ୍ରା ସମୟରେ କାକ ଗୋରୁ ପୃଷ୍ଠେବସି । ମିଷ୍ଠାରବ କଲେ ଶୁଭଯୋଗ ଶୀଘ୍ର ଆସି ।। ସେ ପ୍ରାଣୀକି ପ୍ରବେଶ ହୁଅଇ ବଳେ ବଳେ । ଅସଂଖ୍ୟ ଧନରତ୍ନାଦି ପାଶେ ଆସି ମିଳେ ।। ଶୁଭଫଳ ଫଳଇ ତା ଭାଗ୍ୟରେ ଚଞ୍ଚଳ । ଖନା ବାକ୍ୟ ମିଥ୍ୟା ବୋଲି ମନରେ ନ ଭାଳ ।୯।

 

କାକ ଦ୍ଵାରା ଯାତ୍ରାର ଅଶୁଭ ଲକ୍ଷଣ ନିର୍ଣ୍ଣୟ

ଗୋ ପୁଚ୍ଛେ କାକ ବସେ ଯେବେ, ସର୍ପଦଂଶନ ହୋଇତେବେ ।

ମହିଷ ପୃଷ୍ଠେ ଯେବେ ବସେ, ଗମିବା ବ୍ୟକ୍ତିର ପ୍ରାଣ ନାଶେ ।୧୦।

 

ଯାତ୍ରାକାଳେ ଗୋରୁପୁଛେ କାକ ବସିଥିଲେ । ଗମିବା ବ୍ୟକ୍ତି ଯଦ୍ୟପି ଦେଖଇ ନେତ୍ରରେ । ମାର୍ଗରେ ସର୍ପଦଂଶନ ହୋଇବଟି ଜାଣ । ମରୁ ବା ନମରୁ ସର୍ପଦଂଶନ ପ୍ରମାଣ ।। ମହିଷ ପୃଷ୍ଠରେ କାକ ବସିଥିବ ଯେବେ । ସଦ୍ୟ ଜ୍ଵର ହୋଇ ମୃତ୍ୟୁଦଶା ଘଟେ ତେବେ ।। ଏ ବେନି ଯୋଗକୁ ଜାଣି ସ୍ଵସ୍ଥାନେ ଫେରିବ । ଅନୁକୂଳେ ଭାଙ୍ଗି ନିଜେ ସାବଧାନେ ହେବ ।। ଗୃହରେ ବାହାରକୁ ନ ଯିବ ଏ ଯୋଗରେ । ଚିତ୍ତ ପ୍ରବେଶ କରିବ ଶ୍ରୀହରି ନାମରେ ।। ତାହହେଲେ ଏ ଦଣ୍ଡରୁ ଲଭିବ ନିସ୍ତାର । ଖନାର ବଚନ ସୁଜ୍ଞଜନେ ହେତୁକର ।୧୦।

 

ତିଥି ଓ ବାରାଦି ଗଣନା କ୍ରମେ ଯାତ୍ରରେ ଶୁଭାଶୁଭ ନିର୍ଣ୍ଣୟ

ତିଥିବାର ସ୍ଵନକ୍ଷତ୍ର ମାସରେ ଯେତେ ଦିନ

ଏକତ୍ର କରି ସାତରେ କରିବ ହରଣ ।

ଏକେ ଶୁଭ ଦ୍ଵୟେ ଲାଭ ତିନି ଶତ୍ରୁ କ୍ଷୟ

ଚତୁର୍ଥରେ ସର୍ବସିଦ୍ଧି ପଞ୍ଚମେ ସଂଶୟ

ଷଷ୍ଠେ ମୃତ୍ୟୁ ହେଲେ ପାଏ ବହୁ ଦୁଃଖ ।

ଖନା ବୋଲେ ଏ ଯାତ୍ରାରେ ନାହିଁ କେବେ ସୁଖ ।୧୧।

 

ଯାତ୍ରା କରିବାକୁ ଯେଉଁଦିନ ଭାବିଥିବ । ସେ ଦିନର ବାର ଯତନେ ଥୋଇବ ।। ଆପଣା ଜନ୍ମ ନକ୍ଷତ୍ର ସଂଖ୍ୟାକୁ ନେଇ । ତାହାର ତଳକୁ ଥୁଅ ହରଷିତ ହୋଇ ।। ମାସ ସଂଖ୍ୟା ପୁଣମାସ ଯେତେଦିନ ହୋଇ । ଏକତ୍ର ମିଶାଇ ସାତଦ୍ଵାରା ହର ନେଇ ।। ଲବ୍‌ଧ ଅଙ୍କରେ ନାହିଁ କିଛି ଦରକାର । ଅବଶିଷ୍ଟ ଅଙ୍କକୁ ଚିତ୍ତରେ ହେତୁ କର ।। ଏକ ରହିଲେ ସକଳ ଶୁଭ ଯେ ହୁଅଇ । ଦୁଇରେ ପ୍ରଚୁର ଧନ ଲାଭ ଜାଣ ତହିଁ ।। ତିନି ରହଇ ଯଦ୍ୟପି ହୁଅଇ । ଚାରିରେ ସକଳ କାର୍ଯ୍ୟ ସିଦ୍ଧି ଯେ ନିଶ୍ଚୟ ।୧। ପାଞ୍ଚ ଯେବେ ଅବଶେଷ ରହିଛି ନିୟତ । ଅବଶ୍ୟ ସେ କାର୍ଯ୍ୟ ହୁଅଇ ସଂଶୟ ଜାତ ।। ତେବେ ଶୁଭ ନୁହେଁ ଅଳ୍ପ ଶୁଭ ଯେ ହୁଅଇ । ଷଷ୍ଠ ରହିଲେ ମରଣ ଦଶା ପ୍ରବେଶଇ ।। ଶୂନ୍ୟ ରହିଲେ ବହୁତ ଦୁଃଖ ହୁଏ ଜାତ । ଖନାର ବଚନ ମିଥ୍ୟା ନୁହେଁ କଦାଚିତ ।।

 

ଉଦାହରଣ ଯଥା –

କୌଣସି ବ୍ୟକ୍ତି ବିଦେଶ ଯାତ୍ରାର ମନ ବଳାଇ ଶୁଭାଶୁଭ ଜାଣିବାକୁ ପଞ୍ଜିକାରେ ଦେଖିଲା, ସେଦିନର ତିଥି, ତ୍ରୟୋଦଶୀ, ମାର୍ଗଶିର ଦିନ, ରବିବାର ଅଟେ ।।

 

ହିସାବ:      

ତିଥି ‘ତ୍ରୟୋଦଶୀ... ସଂଖ୍ୟା ...............୧୩

ବାର ‘ରବିବାର.......................... ୧

ନିଜର ଜନ୍ମ ନକ୍ଷତ୍ର ‘ଅନୁରାଧା’............. ............୧୭

ମାସ ‘ମାର୍ଗଶିର’…………………………………………..୮

ଦିନ ମାର୍ଗଶିର ଦି୫ନ’ .........................

ମୋଟ - ୩୬

୪୪/୭=୫ ଲବ୍ଧ ଅବଶିଷ୍ଟାଂଶ ।

 

ଏଥିରୁ ଜଣାଗଲା ଅବଶିଷ୍ଟ ୨ ରହିବାରୁ ଯାତ୍ରା କରିବା ବ୍ୟକ୍ତିର ବହୁତ ଧନ ଲାଭହେବ ।

ଯେ କୌଣସି ଦିନରେ ଯାତ୍ରା କରିବାକୁ ଇଚ୍ଛା କରିଲେ ଉପରୋକ୍ତ ନିୟମାନୁଯାୟୀ ଶୁଭାଶୁଭ ଫଳ । ସମସ୍ତ ସହଜରେ ଜାଣି ପାରିବ । ଇତି ।

 

ପ୍ରଶ୍ନଦ୍ଵାରା ଶୁଭାଶୁଭ ନିର୍ଣ୍ଣୟ

ସାତ ପାଞ୍ଚ ତିନି କୁଶଳ ବାତ୍, ନୟେ ଏକ ହାତେ ହାତ୍ ।

କି କରିବ ଛଟେ ଛଟେ, କାର୍ଯ୍ୟ ନାଶ ଦୁଇ ଆଠ ।୧୨।

 

ଯେଉଁ ବ୍ୟକ୍ତି ପ୍ରଶ୍ନ ପଚାରିବ ଗଣକଙ୍କୁ । ତା’ର ନାମାକ୍ଷରେ ସଂଖ୍ୟା ହେଜିବ ମନକୁ । ଶ୍ରୋତା ବା ଉତ୍ତର କର୍ତ୍ତାଙ୍କର ନାମାକ୍ଷର । ସଂଖ୍ୟାକୁ ବାର ସାଙ୍ଗେ ନେଇ ଯୋଗ କର ।। ସେଦିନ ନକ୍ଷତ୍ର ତିଥି ବାର ମାସ ଅଙ୍କ । ସବୁ ଏକତ୍ର କରିଣ ଯେତେ ହେଲାଦେଖ ।। ଦଶଦ୍ଵାରା କରିବ ତତ୍‌କାଳ । ଲବ୍ଧ ଫଳରେ କିଛି ନାହିଁ ଦରକାର ।। ଅବଶେଷ ଯେ ରହିଲା ତାହାକୁ ଘେନିଣ । ବୁଝିବ ସକଳ ଶୁଭାଶୁଭ ଫଳମାନ ।। ଯେବେ ଏକ କିମ୍ବା ନଅ ରହଇ ଅବଶେଷ । ପ୍ରତ୍ୟକ୍ଷରେ ଶୁଭଫଳ ଅଟଇ ବିଶେଷ ।।

 

ତିନି ପାଞ୍ଚ ସାତ ଯେଣେ ରହଇ ନିର୍ଣ୍ଣୟ । ଶୁଭ ସମାଚାର ମନେ ନକର ସଂଶୟ ।। ଦୁଇ କିମ୍ବା ଆଠ ଥିଲେ କାର୍ଯ୍ୟ ନାଶ ହୋଇ । ଚାରି ଛଅ ରହିଲେ ଯେ ବିଫଳ ଅଟଇ ।। ଶୂନ୍ୟେ ସର୍ବନାଶ ବୋଲି ଜାଣିବା ନିକର । ଖନା ବୋଲେ ଏହା ବୁଝି ସର୍ବ କର୍ମ କର ।।

 

ଉଦାହରଣ ଯଥା-

ବନମାଳୀ ନାମରେ ଜଣେ ବ୍ୟକ୍ତି ଚକ୍ରଧର ଅବଧାନଙ୍କ ନିକଟକୁ ଯାଇ ପଚାରିଲା, ମୋର ମନସ୍ଥ କର୍ମରେ ଶୁଭ ହେବ କି ନାହିଁ ? ତହୁଁ ଅବଧାନେ ନିମ୍ନଲିଖିତ ହିସାବନୁଯାୟୀ ପ୍ରଶ୍ନ ବୁଝି ଫଳ କହିଲେ-

 

ହିସାବ:

ବନମାଳୀ             (ଅକ୍ଷରସଂଖ୍ୟା)      

ଚକ୍ରଧର                  (ଅକ୍ଷରସଂଖ୍ୟା)             

ଆଷାଢ଼ ମାସ ସଂଖ୍ୟା      (ଅକ୍ଷରସଂଖ୍ୟା)             

ଦ୍ଵିତୀୟା ତିଥି            (ଅକ୍ଷରସଂଖ୍ୟା)            

ରୋହିଣୀ ନକ୍ଷତ୍ର            (ଅକ୍ଷରସଂଖ୍ୟା)            

ବୁଧବାର                  (ଅକ୍ଷରସଂଖ୍ୟା)            

ମୋଟ -            ୨୧

୨୧/୧୦=ଲବ୍ଧ ଅଂଶ ୧ ।

 

ଏଥିରୁ ଜଣାଗଲା ଅବଶିଷ୍ଟ ୧ ରହିବାରୁ ବିଶେଷ ଶୁଭଫଳ ହେବ । ଉକ୍ତ ପ୍ରକ୍ରିୟାନୁସାରେ ଯେକୌଣସି ଦିନରେ ଶୁଭାଶୁଭ ନିରୂପଣ ହେବ ।ଇତି।

 

ଦମ୍ପତ୍ତି (ସ୍ତ୍ରୀଓ ପୁରୁଷ) ଙ୍କ ମଧ୍ୟରେ ଅଗ୍ରପଶ୍ଚାତ୍

ମୃତ୍ୟୁନିରୂପଣ

ଅକ୍ଷର ଦ୍ଵିଗୁଣ ଚଉଠ ଗୁଣ ମାତ୍ରା, ନାମେ ନାମେ କରି ସମତା ।

ତିନି ଦେଇ ହରି ଆଣ, ତହୁଁ ମରା ବଞ୍ଚା ଜାଣ ।

ଏକ ଶୂନ୍ୟେ ମରେ ପତି, ଦୁଇ ରହିଲେ ମରେ ଯୁବତୀ ।୧୩।

 

ଶୁଣ ହେ ସୁଜନମାନେ ଏକଚିତ୍ତ ହୋଇ । ଦମ୍ପତ୍ତିଙ୍କ ଆଗପଛ ମୃତ୍ୟୁ ଦେବା କହି ।। ସେ ବେନିପ୍ରାଣୀଙ୍କ ନାମାକ୍ଷର ଯେତେ ହେବ । ତାହାକୁ ଦ୍ଵିଗୁଣ କରି ଯତନେ ରଖିବ ।। ପୁଣି ସେ ଅକ୍ଷର ମଧ୍ୟେ ଯେତେ ମାତ୍ରା ଥିବ । ନିରେଖି ଗଣିଣ ତାକୁ ଚୌଗୁଣ କରିବ ।। ଦୁଇ ଗୁଣ ଚଉଦିଗ କରିବା ଅଙ୍କକୁ । ଏକତ୍ର ଯୋଗ କରିବ ତତ୍କାଳେ ତାହାକୁ ।। ଯେତେ ହେବ ତାକୁ ତିନି ଦେଇଣ ହରିବ । ଅବଶେଷକୁ ଦେଖିଣ ଫଳ ବିଚାରିବ ।। ଏକ କିମ୍ବାଶୂନ୍ୟ ଯଦି ଅବଶିଷ୍ଟ ରହି । ତେବେ ସ୍ଵାମୀ ମୃତ୍ୟୁ ଆଗ ବୁଝିବ ହେ । ଦୁଇ ରହିଲେ ଯୁବତୀ ମରଇ ଆଗରେ । ଖନାର ବଚନ ଏହା ମନେରଖ ଧୀରେ ।୧୩।

 

ଉଦାହରଣ ଯଥା-

କୌଣସି ପୁରୁଷର ନାମ ଭଗବାନ ଏବଂ ସ୍ତ୍ରୀର ନାମ ଚାନ୍ଦ, ତେବେ ଏ ଦୁହିଁଙ୍କ ମଧ୍ୟରେ କିଏ ଆଗ ମରିବ ଜାଣିବ ।

ହିସାବ-      ପତିର ନାମ ‘ଭଗବାନ’ ଅକ୍ଷର ସଂଖ୍ୟା       

ପତ୍ନୀର ନାମ ‘ଚାନ୍ଦ’ ଅକ୍ଷର ସଂଖ୍ୟା             

ଉଭୟ ଅକ୍ଷରର ମୋଟ ମାତ୍ରା ସଂଖ୍ୟା      

୬*୨ =୧୨

ପତିର ନାମ ମଧ୍ୟରେ କେବଳ ‘ବ’ ଥିବାରୁ ମାତ୍ରା ସଂଖ୍ୟା       

ପତ୍ନୀର ନାମ ମଧ୍ୟରେ କେବଳ ‘ଚା’ଥିବାରୁ ମାତ୍ରା ସଂଖ୍ୟା       

ଉଭୟଙ୍କର ମୋଟ ମାତ୍ରା ସଂଖ୍ୟା             

      ୨*୪=୮

ଉଭୟ ଅକ୍ଷର ଦ୍ଵିଗୁଣ ସଂଖ୍ୟା ୧୨+୮=୨୦/୩=୬ ଲବ୍ଧ ୨ ଅବଶିଷ୍ଟାଂଶ । ଏଥିରୁ ସ୍ପଷ୍ଟ ଜଣାହେଲା ଅବଶିଷ୍ଟ ୨ ରହିବାରୁ ଅଗ୍ର ପତ୍ନୀ (ଚାନ୍ଦ)ର ମୃତ୍ୟୁ ହେବ ।

ପାଠକେ! ଉକ୍ତ ନିୟମାନୁଯାୟୀ ସମସ୍ତଙ୍କ ଅଗ୍ରପଶ୍ଚାତ ନିର୍ଣ୍ଣୟ କରିବା ହେବେ ।ଇତି।

 

ପରମାୟୁ ନିର୍ଣ୍ଣୟ

କେଉଁଥିରେ ବାର । ଜନ୍ମ ନକ୍ଷତ୍ର କର ସାର ।।

କି କର ଶ୍ଵଶୁର ମତିହୀନ । ଫଲକୁ ଜୀବନ ବାରଦିନ ।୧୦।

 

ଶ୍ଵଶୁରକୁ ଡାକି ଖନା କହୁଛି ବୁଝାଇ । ଭ୍ରମରେ ପଡ଼ିବୁ ମନ ଭ୍ରମଇ କିମ୍ଫାଇ ।। ସୂ୍କ୍ଷ୍ମଭାବେ ପରମାୟୁ ନିର୍ଣ୍ଣୟ ହୋଇବ । ବାରତିଥି ଆଦି କିଛି ଲୋଡ଼ା ନ କରିବ ।। କେବଳ ଜନ୍ମ ନକ୍ଷତ୍ର ଅବଶେଷ ଧର । ତହିଁରୁ ପରମାୟୁ ନିରୂପଣ କର ।। ଯେତେ ଦଣ୍ଡ ଯେତେ ଲିତା ବାକି ରହିଥିବ । ତାହାକୁ ଫଳ କରିଣ ଯତନେ ରଖିବ ।। ଫଳ ବୋଲନ୍ତେଣ ଲିତା ବୋଲି ହେତୁକର । ଫଳକୁ ଜୀବନ ବାର ଦିବସ ନିକର ।। ଯେତେ ଫଳଥିବ ତେତେ ବାର ଦିନ ଜାଣ । ତହିଁରୁ ବର୍ଷ ମାସାଦି ବୁଝିବ ସୁଜନ ।୧୪।

 

ଉଦାହରଣ ଯଥା -

କୌଣସି ବ୍ୟକ୍ତିର ଜନ୍ମ ସମୟକୁ ରୋହିଣୀ ନକ୍ଷତ୍ରରୁ ଅବଶିଷ୍ଟ ଥିଲା ଦ ୧୫ । ୨୪ ଲିତା, ତେବେ ତାର ପରମାୟୁ କେତେ ?

ହିସାବ –

୧ ଦଣ୍ଡକ ୬୦ ପଳ ହେଲେ ଦ୧୫|୨୪ ଫଳ ଯେ କେତେ ?

୧୫ ଗୁଣନ ୬୦=୯୦୦+୨୪=୯୨୪ ପଳ ବା ଲିତା ।

ପ୍ରତି ପଳକୁ ପରମାୟୁ ୧୨ ଦିନ ହିସାବରେ –

୯୨୪*୧୨=୧୧୦୮୮ ଦିନ ଅର୍ଥାତ୍ ବା ୩୦|୯|୨୮ ଦିନ ।

ଏଥିରୁ ଜଣାହେଲା ସେ ବ୍ୟକ୍ତିର ପରମାୟୁ ବ ୩୦।୯।୨୮ ଦିନ ଅଟେ ।

 

ଶଦ୍ଦର ଦ୍ଵିଗୁଣ ଏକଦିନ , ତିନିବାର ନକ୍ଷତ୍ର କରିବ ଗଣନ । ଏକଶତ ବିଂଶେ ହରିବ ନେଇ, ଯେତେ ରହେ ତେତେ ପରମାୟୀ । ଜନ୍ମ ଶକାଦ୍ଦକୁ ରଖି ଦ୍ଵିଗୁଣ କରିବ । ଯେତେ ହେଲା ତିଥିମଧ୍ୟୁ ଏକ ଫେଡ଼ିଦେବ, ତହୁଁ ଯେତେ ଅବଶିଷ୍ଟ ରହିବ ନିକର । ତା’ସଙ୍ଗେ ଯୋଗ କରିବ ଜନ୍ମତିଥିବାର ।। ଆବର ତା ସଙ୍ଗେ ଯୋଗ କରିବ ନକ୍ଷତ୍ର । ଏକଶତ ବିଂଶେ ତାକୁ ହରିବ ନିୟତ ।। ଲବ୍‌ଧରେ କିଛି ମାତ୍ର ନାହିଁ ପ୍ରୟୋଜନ । ଅଂଶ ଯେ ରହିବ ସେହି ପରମାୟୁ ଜାଣ ।୧୫।

 

ଉଦାହରଣ ଯଥା-

କୌଣସି ବ୍ୟକ୍ତି ଯେବେ ଶକାଦ୍ଦ ୧୮୧୧ ବୈଶାଖ ଶୁକ୍ଳପକ୍ଷ ତୃତୀୟ ରବିବାର ଅନୁରାଧା ନକ୍ଷତ୍ରରେ ଜନ୍ମ ହୋଇଥାଏ, ତେବେ ତାହାର ପରମାୟୁ କେତେ ?

ହିସାବ

ଜନ୍ମଶକାଦ୍ଦ....       ସଂଖ୍ୟା            .୧୮୨୧

ତିଥି ‘ତୃତୀୟା’….      ସଂଖ୍ୟା            

ବାର ରବିବାର …      ସଂଖ୍ୟା            

ଜନ୍ମ ନକ୍ଷତ୍ର ଅନୁରାଧା ସଂଖ୍ୟା       ୧୭

ଶକାଦ୍ଦ୧୮୧୧ ଗୁଣନ ୨ =୩୬୪୨-୧=୩୬୪୧

୩୬୪୧+୩=୩୬୪୪+୧=୩୬୪୫+୧୭=୩୭୬୨

୩୬୪୨/୧୨୦=୩୦ ଭାଗଫଳ, ଅବଶିଷ୍ଟାଂଶ ୬୨

ଏଥିରୁ ଜଣା ହେଲା ସେ ବ୍ୟକ୍ତିର ପରମାୟୁ ୬୨ବର୍ଷ ଅଟେ । ପାଠକେ! ଉକ୍ତ ପ୍ରକ୍ରିୟାନୁସାରେ ସମସ୍ତଙ୍କ ପରମାୟୁ ନିର୍ଣ୍ଣୟ କରିବା ହେବେ ।ଇତି ।

 

ତିଥି ନିରୂପଣ

ଖାଲ ଛାଗଳ ବୃକ୍ଷେ ଚାନ୍ଦ, ମିଥୁନେ ପୂରି ଏ ବେଦ ।

ସିଂହ ବସୁ କର କି ବସେ, ଆଉ ସବୁ ପୂରଣ ଦିଶେ ।

 

ବର୍ଷ ଆରମ୍ଭ ଦିବସ ଥିବ ଯେଉଁ ତିଥି । ଯେଉଁଦିନ ସେ ମାସର ତିଥିରେଣ ମତି ।। ଏକତ୍ର କରିଣ ପୁଣି ତାହାର ସଙ୍ଗର । ବୈଶାଖ ହୋଇଲେ ତହିଁ ଶୂନ୍ୟ ଯୋଗ କର । ଜ୍ୟୋଷ୍ଠମାସେ ଏକ ଯୋଗ କରିବା ସୁଜନ । ଅଷାଢ଼ରେ ଚାରି ଭାଦ୍ରବର ଆଠଗୁଣ ।। ଏହି ମାସେ ଭିନ୍ନ ଅନ୍ୟ ମାସ ହୋଇଥିଲେ । ଦଶ ଯୋଗ କରିବ ତହିଁରେ ଜାଣ ଭଲେ ।। କୃଷ୍ଣ ଶୁକ୍ଳ ପକ୍ଷ ଘେନି ତିରିଶ ଦିବସ । ଶୁକ୍ଳପକ୍ଷ ଯୋଗ ନେଇ ଫେଡ଼ି ପଞ୍ଚଦଶ ।। ଅବଶିଷ୍ଟ ଅଙ୍କ ଶୁକ୍ଳପକ୍ଷ ତିଥି ହେବ । ପନ୍ଦରରୁ ଊଣା ଥିଲେ କୃଷ୍ଣପକ୍ଷ ଭାବ ।। ଏକ ରହିଥିଲେ ପ୍ରତିପଦ ଯେ ଅଟଇ । ଦୁଇରେ ଦ୍ଵିତୀୟା ତିନି ତୃତୀୟା ବୋଲାଇଲ ।। ଚାରି ରହିଲେ ଚତୁର୍ଥ ବୋଲିଣ ଜାଣିବ । ପାଞ୍ଚରେ ପଞ୍ଚମୀ ଷଷ୍ଠେ ଷଷ୍ଠୀ ପ୍ରମାଣିବ ।। ସାତରେ ସପ୍ତମୀ ଆଠେ ଅଷ୍ଟମୀ ନିକର । ନଅରେ ନବମୀ ବୋଲି ଚିତ୍ତେ ହେତୁ କର ।। ଦଶ ରହନ୍ତେ ଦଶମୀ ତିଥି ଯେ ଅଟଇ । ଏଗାରରେ ଏକାକଦଶୀ ବୁଝ ମନଦେଇ ।। ବାରରେ ଦ୍ଵାଦଶୀ ତେରେ ତ୍ରୟୋଦଶୀ ହୁଏ । ଚଉଦରେ ଚତୁର୍ଦ୍ଦଶୀ ପରକାଶ ପାଏ ।। ପନ୍ଦରର ପୂର୍ଣ୍ଣିମା ଶୂନ୍ୟରେ ଅମାବାସ୍ୟା । କୃଷ୍ଣ ଶୁକ୍ଳପକ୍ଷ ତିଥି ଏସନ ସମସ୍ୟା ।। ଏବେ ଶୁଣ ଖନା ବାକ୍ୟେ ଯାହା ଲେଖାଅଛି । ଛାଗଳକୁ ବଇଶାଖ ମାସ ଘେନି ବାଛି ।। ବୃଷମାସ ଜ୍ୟେଷ୍ଠ ବୋଲି ମନେ ହେତୁକର । ଆଷାଢ଼କୁ ମିଥୁନ କହନ୍ତି ନିରନ୍ତର । ଭାଦ୍ରବର ସିଂହ ନାମ ସୁଜନ ବୁଝିବ । ଚିତ୍ତରୁ ସଂଶୟମାନ ବିନାଶ କରିବ ।।

 

ଉଦାହରଣ ଯଥା-

ବର୍ଷର ପ୍ରଥମ ଦିନ ଦଶମୀ ହେତୁ ତାର ସଂଖ୍ୟା.....      ୧୦

ଆଷାଢ଼ ମାସର ଦିନ ସଂଖ୍ୟା .....                  ୧୨

ଆଷାଢ଼ ମାସ ହେତୁ ଅତିରିକ୍ତ ....            

                  ମୋଟ=୨୬

୨୬-୧୫=ଅବଶିଷ୍ଟ ୧୧

ଏଥିରୁ ଜଣାଗଲା ଆଷାଢ଼ ୧୨ ଦିନ ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀ ହେବ ।।ଇତି।।

 

ନକ୍ଷତ୍ର ଗଣନା

ମାସ ନକ୍ଷତ୍ର ତିଥି ଶୁତା । ତାହା ସଙ୍ଗେ ମିଶାରେ ପୁତା ।।

ଅନ୍ଧାର ଚବିଶ, ଆଲୋକେ ବାର । ସତାଇଶେ ହରି ନକ୍ଷତ୍ର ସାର ।।

 

ନକ୍ଷତ୍ର ଜାଣିବା ଭାବ କହିବା ବୁଝାଇ । ଖଡ଼ୀକାରମାନେ ଶୁଣ ହରଷିତ ହୋଇ ।। ମାସ ନାମକୁ ଘେନି ନକ୍ଷତ୍ରକୁ ନାମ । କହୁଅଛୁ ଶୁଣ ଏବେ ତାହାର ମରମ ।। ବୈଶାଖ ମାସେ ବୈଶାଖା, ଜ୍ୟେଷ୍ଠା ଜ୍ୟେଷ୍ଠ ମାସେ । ଆଷାଢ଼ରେ ପୂର୍ବାଷାଢ଼ା ବୁଝିବ ହରଷେ ।। ଶ୍ରାବଣରେ ଶ୍ରବଣ ଭାଦ୍ରବେ ପୂର୍ବ ଭାଦ୍ର । ଆଶ୍ଵିନେ ଅଶ୍ଵିନୀ , କାର୍ତ୍ତିକେ କୃତ୍ତିକା ସିଦ୍ଧ ।। ମାର୍ଗଶିର ମୃଗଶିରା ଅଟଇ ନିୟତ ।। ପୌଷମାସେ ପୁଷ୍ୟା ବୋଲି ଜାଣିରଖ ଚିତ୍ତ । ମାଘରେ ମାଘନକ୍ଷତ୍ର ବୋଲି ହେତୁକର । ଫାଲ୍‌ଗୁନେ ପୂର୍ବାଫାଲ୍‌ଗୁନେୀ ନାମଟି ନିକର ।। ଚଇତ୍ର ମାସରେ ଚିତ୍ରା ନାମ ଯେ ଅଟଇ । ଘଟକ ନକ୍ଷତ୍ର ବୋଲି ମନେରଖ ଭାଇ ।। ଯେଉଁଦିନ ଯେବଣ ନକ୍ଷତ୍ର ହୋଇଥିବ । ପଞ୍ଜିକା ନଦେଖି ଯେହ୍ନେ ନିର୍ଣ୍ଣୟ କରିବ ।। ତାହା ସହଜ ଭାବରେ ବୁଝାଇଣ ଦେବ । ତୁମ୍ଭମାନଙ୍କର ମନୁ ସଂଶୟ ଦହିବା ।। ପ୍ରଥମରେ ଘଟକ ନକ୍ଷତ୍ରକୁ ଥୋଇବ । ସେ ଦିନର ତିଥି ତାର ସଙ୍ଗେ ମିଶାଇବ ।। କୃଷ୍ଣପକ୍ଷ ହୋଇଥିଲେ ମିଶାଅ ଚବିଶ । ଶୁକ୍ଳପକ୍ଷ ହେଲେ ଯୋଗ କରିହ ଦ୍ଵାଦଶ ।। ସମୁଦାୟ ଯେତେକ ହୋଇବ ଯୁକ୍ତଫଳ । ଶତାଇଶେ ହରି ଶେଷ ବୁଝ ହୋ ଚଞ୍ଚଳ ।। ଯେଉଁ ଅଙ୍କ ଅବଶିଷ୍ଟ ରହିବ ନିୟତ । ସେ ଅଟଇ ସିନା ସେହିଦିନର ନକ୍ଷତ୍ର ।। ଏମନ୍ତ ଭାବରେ ସୂକ୍ଷ୍ମେ ବୁଝିଣ ପାରିବ । ଖନା ବଚନ ସର୍ବଦା ଅଟଇ ଯେ ଧ୍ରୁବ । ୨୧।

 

ଉଦାହରଣଯଥା-

ମନେକର ବର୍ତ୍ତମାନ ଆମ୍ଭମାନଙ୍କର ନିକଟରେ ପାଞ୍ଜିନାହିଁ । କେବଳ ଏତିକି ଜାଣୁ ଆଜି ମାଘମାସ କୃଷ୍ଣପକ୍ଷ ଦଶମୀ, ତେବେ ଆଜି କେଉଁ ନକ୍ଷତ୍ର ବୋଲି ଜାଣିବା ?

 

ମାଘ ମାସର ଘଟକ ନକ୍ଷତ୍ର ‘ ମାଘ’ ଏହା ଅଙ୍କ ସଂଖ୍ୟା       ୧୦

                        ତିଥି      ୧୦

            କୃଷ୍ଣ ପକ୍ଷ ହେତୁ ଅତିରିକ୍ତ       ୨୪

                        ମୋଟ      ୪୪

୪୪/୨୭=୧ ଭାଗଫଳ , ୧୭ ଅବଶିଷ୍ଟ ।

 

ଏଥିରୁ ଜଣାଗଲା ଅବଶିଷ୍ଟ ୧୭ ରହିବାରୁ, ମାଘ ମାସର କୃଷ୍ଣପକ୍ଷ ଦଶମୀ ଦିନ ଅନୁରାଧା ନକ୍ଷତ୍ର ହେବ ।

ଉପରୋକ୍ତ ହିସାବ ମତେ ମୋଟ ଯୋଗଫଳ ଯେବେ ସତାଇଶିରୁ ଊଣା ହୁଏ, ତେବେ ତାହାକୁ ନକ୍ଷତ୍ର ବୋଲି ଭାବିବାକୁ ହେବ । ଉକ୍ତ ନିୟମାନୁସାରେ ଯେ କୌଣସି ଦିନର ନକ୍ଷତ୍ର ସହଜରେ ଜଣା ହୁଅଇ ।

 

ଚନ୍ଦ୍ର ଗ୍ରହଣ ନିରୂପଣ

ଯେ ଯେ ମାସ ସେ ସେ ରାଶି , ତାହାର ସପ୍ତମେ ଥିଲେ ଶଶୀ । ସେ ଦିନ ଯଦି ହୁଏ ପୌର୍ଣ୍ଣମାସୀ, ଅବଶ୍ୟ ରାହୁ ଗ୍ରାସେ ଶଶୀ ଦୁଇ, ତିନି, ପାଞ୍ଚ, ଛଅ, ଏକାଦଶେ ଦେଖିନିଅ ।୮।

 

ଚନ୍ଦ୍ର ଗ୍ରହଣ ଗଣନା ଶୁଣ ସାଧୁଜନେ । ଯେଉଁମାସେ ସେହି ରାଶି କରିବ ଭାବନ ।। ବଇଶାଖ ହେଲେ ମେଷ ବୋଲି ହେତୁକର । ଜ୍ୟେଷ୍ଠେ ବୃଷ ଆଷାଢ଼େ ମିଥୁନ କରି ସ୍ଥିର ।। ଶ୍ରାବଣରେ କର୍କଟ ଭାଦ୍ରବେ ସିଂହ ହୋଇ । ଆଶ୍ଵିନରେ କନ୍ୟା କାର୍ତ୍ତିକେ ତୁଳା ଅଟଇ ।। ମାର୍ଗଶିର ବୃଶ୍ଚିକ ପୌଷରେ ଧନୁ ଅଟେ । ମାଘ ମାସରେ ମକର ବୋଲିଣ ପ୍ରକଟେ ।। ଫାଲ୍‌ଗୁନକୁ କୁମ୍ଭ ବୋଲି ଚିତ୍ତରେ ଭାବିବ । ଚଇତ୍ର ମାସକୁ ମୀନ ବୋଲି ପ୍ରମାଣିବ ।। କୌଣସି ମାସର ରାଶିକୁ ଚିତ୍ତେ ଧରି । ଗଣନା କରିବ ମନେ ସଂଶୟ ନକରି ।। ଏହି ରାଶିରୁ ସପ୍ତମ ଗଣନା କରିବ । ଯେଉଁ ଚନ୍ଦ୍ର ହୋଇବ ତାହାକୁ ମନେ ଭାବ।। ସେହିଦିନ ଯେବେ ପୂର୍ଣ୍ଣିମା ହୁଅଇ ଜାଣ । ଖନା କହେ ହୋଇବ ଚନ୍ଦ୍ରଗ୍ରହଣ ।। ଗ୍ରହଣେ ଦର୍ଶନେ ଶୁଭ ଅଶୁଭ କହିବା । ସକଳଜନଙ୍କ ଚିତ୍ତୁ ସଂଶୟ ଦହିବା ।। ନିଜ ରାଶିଠାରୁ ଯେବେ ସପ୍ତମ ବା ଏକ । ହୋଇଲେ ଗ୍ରହଣ ନ ଦେଖିବ ସୁବିବେକ ।। ଦ୍ଵିତୀୟ ତୃତୀୟ ହେଲେ ଦେଖିବ ଗ୍ରହଣ । ଚତୁର୍ଥରେ ନ ଦେଖିବ କେତେବେଳେ ଜାଣ ।। ପଞ୍ଚମ ଷଷ୍ଠରେ ଭୟ ନକରି ଦେଖିବ । ସପ୍ତମ ଅଷ୍ଟମ ହେଲେ ବର୍ଜିତ କରିବ ।। ନବମ ଦଶମେ ନ ଦେଖିବଟି ନିୟତ । ଏକାଦଶେ ଗ୍ରହଣକୁ କର ଦୃଷ୍ଟିପାତ ।। ଦ୍ଵାଦଶେ ଅଶୁଭ କେବେ ନେତ୍ରେ ନ ଦେଖିବ । ଖନା ବଚନକୁ ମିଥ୍ୟା ବୋଲି ନ ଭାବିବ ।୧୮।

 

ଗର୍ଭସ୍ଥ ସନ୍ତାନ ଗଣନା

ବାଣର ପୃଷ୍ଠେ ଦେଇ ବାଣ, ପେଟର ପିଲା ଗଣି ଆଣ ।

ନାମ ମାସ କରିଣ ଏକ, ଆଠରେ ହରି ସନ୍ତାନ ଦେଖ ।

ଏକ ତିନି ଥିଲେ ବାଣ, ତେବେ ନାରୀର ପୁତ୍ର ଜାଣ ।

ଦୁଇ ଚାରି ଛଅ ଥିଲେ, କନ୍ୟା ଜନମ ହୁଏ ଭଲେ ।।

ଯେବେ ରହଇ ଶୂନ୍ୟ ସାତ, ତେବେ ନାରୀର ଗର୍ଭପାତ ।୧୯।

 

ସନ୍ତାନ ଗଣନା ଏବେ ଶୁଣ ମନଦେଇ । ବାଣ ଅର୍ଥ ପାଞ୍ଚକୁ ବୁଝିବ ଚିତ୍ତେ ହୋଇ ।। ପାଞ୍ଚ ପୃଷ୍ଠେ ପାଞ୍ଚ ଦେଲେ ହେଲା ପଞ୍ଚାବନ । ତାହାକୁ କରିବଲ ଏକ ସ୍ଥାନରେ ସ୍ଥାପନ ।। ଗର୍ଭଣୀ ନାରୀର ନାମାକ୍ଷର ଅଙ୍କ ଯେତେ । ତା ସଙ୍ଗେ ଦେଇ ମିଶାଇ ହରଷିତ ଚିତ୍ତେ ।। ଗର୍ଭୋଦୟ ମାସକୁ ତା ସଙ୍ଗେ ମିଶାଇବ । ସମୁଦାୟ ଯୋଗଫଳ ଯେତେକ ହୋଇବ ।। ଆଠଦ୍ଵାରା ହରଣ କରିବ ତାକୁ ପୁଣି । ଲବ୍‌ଧରେ କିଛି ମାତ୍ର ନାହିଁ ପ୍ରୟୋଜନ ।। ଅବଶିଷ୍ଟ ଯେତେ ଅଙ୍କ ରହିବ ନିୟତ । ତହିଁରୁ ସୁତ ଦୁହିତା ବୁଝିବ ତଦନ୍ତ ।। ଏକ ତିନି ପାଞ୍ଚ ଯେବେ ରହି ଅବଶେଷ । ଜାଣିବ ପୁତ୍ର ଜନମ ହୋଇବ ଅବଶ୍ୟ ।। ଦୁଇ ଚାରି ଛଅ ଅଂଶ ରହିଲେଟି ଜାଣ । ନିଶ୍ଚୟ ଦୁହିତା ବୋଲି ଜାଣିବ ପ୍ରମାଣ ।। ଶୂନ୍ୟ କିମ୍ବା ସାତ ଯଦି ଅବଶିଷ୍ଟ ରହି । ତେବେ ସେ ନାରୀର କଷ୍ଟେ ଗର୍ଭପାତ ହୋଇ ।। ଏହିରୂପେ ସୂତ ଦୁହିତା ହୋଇବ ଜାଣିବ । ଖନାର ବଚନ କେବେ ଅନ୍ୟଥା ନୋହିବ ।୧୯।

 

ଉଦାହରଣ ଯଥା-

କୌଣସି ବ୍ୟକ୍ତି ଗଣକଙ୍କ ନିକଟକୁ ଯାଇ ପଚାରିଲେ- ‘କନକ’ ନାମରେ ଗୋଟିଏ ନବମ ମାସିଆ ଗର୍ଭିଣୀ ସ୍ତ୍ରୀ ବର୍ତ୍ତମାନ ପ୍ରସବ ଯନ୍ତ୍ରଣା ଅନୁଭବ କରୁଅଛି , ତାହାର ପୁତ୍ର ହେବ କି ଦୁହିତା ହେବ ଶୀଘ୍ର କହନ୍ତୁ । ଗଣକ ଏହା ଶୁଣି ସେ ବ୍ୟକ୍ତିଙ୍କୁ ଯାହା ଉତ୍ତର ଦେଲେ ତାର ମର୍ମ ଏ ସ୍ଥାନରେ ଉଦାହରଣ ସ୍ଵରୂପ ପ୍ରଦତ୍ତ ହେଲା ।

 

ହିସାବ-

ବାଣରେ ବାଣ ଅର୍ଥାତ୍ ପାଞ୍ଚରେ ପାଞ୍ଚ             ୫୫

ଗର୍ଭିଣୀର ନାମ “କନକ” ଅକ୍ଷର ସଂଖ୍ୟା             

ଗର୍ଭୋଦୟ ହେବାର ମାସ ସଂଖ୍ୟା                  

                  ମୋଟ-            ୬୭

୬୭/୮=୮ ଭାଗଫଳ, ୩ ଅବଶିଷ୍ଟାଂଶ ।

ଏଥିରୁ ଜଣାହେଲା ଅବଶିଷ୍ଟ ୩ ରହିବାରୁ ସେ ସ୍ତ୍ରୀ (କନକ) ର ପୁତ୍ର ଜାତ ହେବ ।

ଗ୍ରାମ ଗର୍ଭିଣୀ ଫଳ ଯୁତା, ତିନି ଦେଇ ହରରେ ପୁତା ।

ଏକେ ସୁତ ଦ୍ଵିତୀୟେ ସୁତା, ଶୂନ୍ୟ ରହିଲେ ଗର୍ଭ ମିଥ୍ୟା ।

ଏକଥା ଯେବେ ମିଥ୍ୟା ହୁଅଇ, ତେବେ ସେ ପୁଅ ବାପର ନୁହଇ ।୨୦।

 

ଗର୍ଭଣୀର ବାସ ଗ୍ରାମ ଯେତେ କ୍ଷର । ତାହାକୁ ରଖିବ ନେଇ ଯତନପ୍ରକାର ।। ପ୍ରଶ୍ନ କରତାକୁ ପୁଚ୍ଛ ଏକ ଫଳ ନାମ । ତାଙ୍କ କହିବା ଫଳରେ ଅକ୍ଷର ପ୍ରମାଣ ।। ଗର୍ଭଣୀର ନାମାକ୍ଷର ଘେନି ଯୋଗକର । ଯେତେ ହେଲା ତାକୁ ତିନି ଘେନି ବେଗେ ହର ।। ଲବ୍‌ଧରେ ପ୍ରୟୋଜନ ନାହିଁଟି କାହାର । ଅବଶେଷକୁ ଦେଖିଣ ଫଳ କର ସ୍ଥିର ।। ଯଦି ଅଂଶ ରହେ ଏକ ସୁତ ହେବ ଜାତ । ଦୁଇ ରହିଲେ ଦୁହିତା ବୁଝିବ ନିୟତ ।। ଶୂନ୍ୟ ରହିଲେ ମିଥ୍ୟା ବୋଲି ହେତୁକର । ସନ୍ତାନାଦି ବିନାଶ ଅଟଇ ଅମଙ୍ଗଳ ।। ଏହି ଫଳ ଯେତେ ବିନିମୟରେ ହୁଅଇ । ତେବେ ସେ ସନ୍ତାନକୁ ଜାରଜ ବୋଲି କହି ।୨୦।

 

ଉଦାହରଣ ଯଥା-

ଗର୍ଭଣୀର ବାସ ଗ୍ରାମ ନାମ “ସୁଜଙ୍ଗ” ଅକ୍ଷର ସଂଖ୍ୟା      

ଗର୍ଭଣୀର ନାମ “ସୁନ୍ଦରମଣି” ଅକ୍ଷର ସଂଖ୍ୟା             

ଫଳର ନାମ “ଗୁବାକ”                        

                        ମୋଟ       -୧୧

୧୧/୩=୩ ଭାଗଫଳ, ୨ ଅବଶିଷ୍ଟାଂଶ ।

ଏଥିରୁ ଜଣାଗଲା ଅବଶିଷ୍ଟ ୨ ରହିବାରୁ ସେ ଗର୍ଭିଣୀର ନିଶ୍ଚୟ ଦୁହିତା ଜନ୍ମ ହେବ ।

 

ଯେତେ ମାସ ଗର୍ଭନାରୀ ନାମ ଯେତେକ୍ଷର ।

ଯେତେ ଜଣ ପ୍ରଶ୍ନସ୍ଥାନେ ଥିବେ ଯୋଗକର ।

ସାତେ ହରି ଚନ୍ଦ୍ର ନେତ୍ର ବାଣ ଯଦି ରହେ ।

ଏଥେ ପୁତ୍ର ଆନେ-କନ୍ୟା ଜାଣିବ ନିଶ୍ଚୟେ ।୨୧।

 

ଗର୍ଭିଣୀର ନାମାକ୍ଷର ସଂଖ୍ୟାକୁ ଗଣିବ । ତା ସଙ୍ଗେ ଗର୍ଭ ଉଦୟ ମାସ ମିଶାଇବ ।। ପ୍ରଶ୍ନ ଗଣନା ସମୟେ ସେଠାବରେ ପୁଣି । ଯେତେ ଲୋକ ଥିବେ ତାକୁ ମନ ଦେଇ ଗଣି ।। ସେ ଲୋକ ସଂଖ୍ୟା ଅଙ୍କକୁ ତହିଁରେ ମିଶାଅ । ସାତ ଦ୍ଵାରା ହରି ଅବଶିଷ୍ଟ ବୁଝି ନିଅ ।। ଏକ , ତିନି, ପାଞ୍ଚ ଥିଲେ ପୁତ୍ର ଜନମିବ । ଦୁଇ , ଚାରି, ଛଅରେ ଯେ ଦୁହିତା ହୋଇବ ।। ଶୂନ୍ୟ ରହିଲେ ସନ୍ତାନ ପକ୍ଷେ କଷ୍ଟକର । ଖନା ବଚନ ନୁହଇ ଅନ୍ୟାଥା ପ୍ରକାର ।୨୧।

ଉଦାହରଣ ଯଥା-

ଗର୍ଭିଣୀ ନାମ ‘ରତ୍ନମଣିଅକ୍ଷର ସଂଖ୍ୟା      

ଗର୍ଭୋଦୟ ହେବାର ମାସ       ଅକ୍ଷର ସଂଖ୍ୟା      

ଗଣନକାରୀ ଓ ପ୍ରଶ୍ନକର୍ତ୍ତା      ଅକ୍ଷର ସଂଖ୍ୟା      

ଗଣନା ସ୍ଥାନରେ ଅତିରିକ୍ତ ଲୋକ ସଂଖ୍ୟା      

                  ମୋଟ-୧୯

୧୯/୭=୨ ଭାଗଫଳ , ୫ ଅବଶିଷ୍ଟାଂଶ ।

 

ଏଥିରୁ ଜଣାଗଲା ଅବଶିଷ୍ଟ ୫ ରହିବାରୁ ସେ ଗର୍ଭଣୀର ପୁତ୍ର ଜନ୍ମ ହେବ ।

ନାମ ମାସ କରିଣ ଏକ, ତାକୁ ଦ୍ଵିଗୁଣ କରି ଦେଖ ।

ସାତ ମିଶାଇ ଆଠରେ ହରି, ସମରେ ପୁତ୍ର ବିଷମେ ନାରୀ ।୨୨।

 

ଗର୍ଭିଣୀର ନାମାକ୍ଷର ପୁଣି ଗର୍ଭମାସ । ଏକତ୍ର କରିଣ ନିୟତ । ଆଠରେ ହରିଣ ଶେଷଠାରେ ରଖ ଚିତ୍ତ ।। ଏକ ତିନି ପାଞ୍ଚ ସାତକୁ ବିଷମ କହି । ଏଥୁ ଯେବେ ଅବଶିଷ୍ଟାଂଶ ରହେ କେହି ।। ତାହାହେଲେ ପୁତ୍ର ଜାତ ହୋଇବ ନିଶ୍ଚୟ । ସୁପଣ୍ଡିତମାନେ ବୁଝି ନ ରଖି ସଂଶୟ ।। ଦୁଇ ଚାରି ଛଅ ଶୂନ୍ୟ ହେଲେ ବୋଲି ସମ । ଏଥି ମଧ୍ୟୁ ଅଂଶ କେହି ରହିଲେ ଜାଣିବ ।। ନିଶ୍ଚୟ ଦୁହିତା ଜନ୍ମ ହୋଇବ ତାହାର । ଖନା ବଚନତୁ ସତ୍ୟ ବୋଲି ମନେ ଧର ।୨୨।

 

ଉଦାହରଣ ଯଥା-

ଗର୍ଭିଣୀ ନାମ ‘କମଳା’ ଅକ୍ଷର ସଂଖ୍ୟା            

ଗର୍ଭୋଦୟ ମାସ ସଂଖ୍ୟା                        

                        ମୋଟ-୧୨

୧୨*୨=୨୪+୭=୩୧

୩୧/୮=୩ ଭାଗଫଳ, ୭ ଅବଶିଷ୍ଟାଂଶ ।

ଅବଶିଷ୍ଟ ୭ (ବିଷମ) ହେବାରୁ କମଳାର କନ୍ୟା ଜାତ ହେବ ।

 

ଚତୁର୍ଥ ଅଧ୍ୟାୟ

କୋଷ୍ଠୀ ବିଚାର

ଖନା କହେ ଶ୍ଵଶୁର ହେ କେଉଁ ଲଗ୍ନ ଦେଖ,

ଲଗ୍ନର ସପ୍ତମ ଘରେ କେଉଁ ଗ୍ରହ ଲେଖ,

ଥିଲେ ଶନି ସପ୍ତମ ଘରେ, ଅବଶ୍ୟ ତାଙ୍କୁ ଛୋଟା କରେ ।

ରବି ଥିଲେ ଭ୍ରମାଏ ଭୂଖଣ୍ଡ, ଚନ୍ଦ୍ରଥିଲେ କରେ ନବଖଣ୍ଡ ।

ମଙ୍ଗଳ ଥିଲେ କରେ ଖଣ୍ଡ ଖଣ୍ଡ , ଅସ୍ତ୍ରାଘାତେ କଟେ ତାର ମୁଣ୍ଡ ।

ବୁଧ ଥିଲେ ଧନ ବୃଦ୍ଧି କରାଏ , ଗୁରୁ ଶୁକ୍ର ଥିଲେ ବହୁ ଧନ ପାଏ ।

ଲଗ୍ନର ସପ୍ତମ ରାହୁ କେତୁ, ମାତା ପିତା ପୀଡ଼ା କରେ ହେତୁ ।।

 

କୋଷ୍ଠୀର ବିଚାର ଏବେ ଶୁଣ ସାଧୁଜନ । ଲଗ୍ନ ଘେନି ସବୁ ଫଳ କରିବ ଗଣନ ।। ଲଗ୍ନର ସପ୍ତମେ ଶନି ଯେବେ ହୁଏ ସ୍ଥିତ । ତେବେ ସେହି ପ୍ରାଣୀ ଛୋଟା ହୁଅଇ ନିୟତ ।। ରବି ଥିଲେ ମହୀରେ ଭ୍ରମଇ ସେହି ପ୍ରାଣୀ । ଚନ୍ଦ୍ର ଥିଲେ ରାଜଦଣ୍ଡ ଭୋଗ କରେ ପୁଣି ।। ମଙ୍ଗଳ ରହିଲେ ଅସ୍ତ୍ରେ ଖଣ୍ଡ ଖଣ୍ଡ ହୁଏ । ବୁଧ ଥିଲେ ବିଶେଷ ଧନ ବୃଦ୍ଧି କରାଏ ।। ଗୁରୁ କିମ୍ବା ଶୁକ୍ର ଥିଲେ ମିଳେ ବହୁ ଧନ । ରାହୁ କେତୁ ଥିଲେ ପିତା ମାତା ପୀଡ଼ା ପୁଣ ।। ଖନାର ବଚନ କେବେ ଅନ୍ୟଥା ନୁହଇ । କୋଷ୍ଠୀ ଦେଖି ଉକ୍ତ ଫଳ କହିବ ବୁଝାଇ ।୧।

 

ଲଗ୍ନେ ଆଙ୍କା, ଲଗ୍ନେ ବାଙ୍କ*, ଲଗ୍ନେ ଯଦି ଭାନୁ ତନୁଜା ।

ଲଗ୍ନର ଚତୁର୍ଥ ସପ୍ତମେ ପାପ*, ମରେ ଜନନୀ ପୀଡ଼ାପାଏ ବାପ ।

ଲଗ୍ନେ ଶନି ଥିଲେ ଅଙ୍ଗହୀନ ।

ଗୁରୁ ଯଦି ଥାଏ ତାସଙ୍ଗେ, ଆୟୁ ଲକ୍ଷ୍ମୀ ବଢ଼େ ରଙ୍ଗେ ।

ଚନ୍ଦ୍ର ସୁନ୍ଦର ବୁଧରେ ଚିରାୟୁ, ଶୁକ୍ରେ ଧନବାନ୍ ବୃଦ୍ଧି ପରମାୟୁ ।

ଲଗ୍ନେ ରାହୁ କରେ ରୋଗ, କେତୁ ଲଗ୍ନେ ସହଜେ ଶୋକ ।୨।

 

ଲଗ୍ନସ୍ଥିତ ଗ୍ରହ ଏବେ ଶୁଣ ସାଧୁଜନ । ଶୁଭାଶୁଭ ଫଳମାନ କରିବା ବର୍ଣ୍ଣନା । ମିହିରଙ୍କ ଆଗେ ଖନା କହିଛନ୍ତି ଯାହା ।। ସାବାଧାନେ ହୋଇକରି ଶୁଣ ଏବେ ତାହା । ଲଗ୍ନରେ ରବି ରହିଲେ କ୍ରୋଧବନ୍ତ ନର ଚନ୍ଦ୍ର ଥିଲେ ନିଜ ଦେହ ହୁଅଇ ସୁନ୍ଦର ।। ଲଗ୍ନରେ ମଙ୍ଗଳ ଥିଲେ ଅଙ୍ଗହାନୀ ପାଏ । ବୁଧ ଥିଲେ କବି ପଣ୍ଡିତ ଚିରାୟୁ ହୁଏ ।

 

ଲଗ୍ନ ସଙ୍ଗେ ହେବେ ବୃହସ୍ପତି ହୋଇ ସ୍ଥିତ । ଯଶମାନ ଧନ ଆୟୁ କରଇ ବର୍ଦ୍ଧିତ ।। ଶୁକ୍ର ଥିଲେ ଧନବନ୍ତ ହୁଅଇ ମାନବ । ଶନି ଥିଲେ ଦୁର୍ବଳ ବୋଲିଣ ମନୋଭାବ ।। ଲଗ୍ନ ରାହୁ ଥିଲେ ପ୍ରାଣୀ ଅଙ୍ଗେ ହୁଏ ରୋଗ । କେତୁ ଥିଲେ ସହୋଦର ନିଶ୍ଚେ ଦୁଃଖ ଯୋଗ ।୨। ଅଳିଚାପ ଲଗ୍ନେ ବୈଠେ, ଘରେ ଗୁରୁ ଶନି ଷଷ୍ଠେ ।

 

ଚନ୍ଦ୍ରର ଷଷ୍ଠରେ ପାପ ମିଳନ, ସପ୍ତମ ଦିନେ ମାତାର ମରଣ ।୩।

 

ବୃଶ୍ଚିକ କି ଅବା ଧନୁ କିବା କୁମ୍ଭେ ଲଗ୍ନେ । ବୃହସ୍ପତି ସ୍ଥିତ ହୋଇଥିବ ବଳବାନେ ।। ଚନ୍ଦ୍ରଠାରୁ ଯଦି ଷଷ୍ଠଗ୍ରହ ସେ ହୋଇବ । କିଅବା ଚନ୍ଦ୍ର ଷଷ୍ଠରେ ପାପ ଥିବ ।। ଶୁଭଗ୍ରହ ସଙ୍ଗେ ପାପ ରହିଥାଇ ଯେବେ । ସାତ ଦିନେ ମାତାର ମରଣ ହୁଏ ତେବେ ।୩।

 

*ଲଗ୍ନେ ଆଙ୍କା ଲଗ୍ନେ ଶୁକା, ପାଠାନ୍ତର

*ଲଗ୍ନେ ସପ୍ତମେ ଅଷ୍ଟମେ ପାପ ।

ଲଗ୍ନେ ପାପ ସପ୍ତମେ ପାପ, ଜନ୍ମିଲେ ମାତ୍ର ପିଢ଼େ ବାପ ।

ଯଦି ଶୁଭଗ୍ରହ ଦେଖେ ଲଗ୍ନେ, ଅବଶ୍ୟ ତାହାକୁ ପୋଷେ ଅନ୍ୟେ ।୪।

 

ଲଗ୍ନ ସଙ୍ଗେ ପାପଗ୍ରହ ସ୍ଥିତ ଯେବେ ହେବ । କିଅବା ସପ୍ତମ ସ୍ଥାନେ ଯଦି ପାପ ଥିବ ।। ପିତା ମାତାଙ୍କ ଶରୀରେ ପୀଡ଼ା ପ୍ରକାଶଇ । ଗ୍ରହ ବଳବାନ ହେଲେ ପ୍ରାଣେ ବିନାଶଇ ।। ଶୁଭ ଗ୍ରହେ ଯେବେ ଲଗ୍ନ ସାନ ନ ଦେଖନ୍ତି । ପର ଅଧୀନରେ ଦିନ କାଟେ ଜାତ ବ୍ୟକ୍ତି ।। ଏହା ବୁଝି ଫଳ ନିରୂପଣ କର ଜନେ । ଖନା ବଚନକୁ ଦୃଢ଼ଭାବେ ରଖି ମନେ ।୪।

 

ମେଷେ ଥିଲେ ଦିନକର, ସୁନା ରୂପାରେ ପୂରେ ଘର ।

ବୃଷେ ଯଦି ରହଇ ଚାନ୍ଦ, ଜଳ ମଧ୍ୟେ ପାତ ଫାନ୍ଦ ।

ମୂର୍ଖ ହୋଇ ବେଦ ବଖାଣେ, ପାଠ ନପଢ଼ି ଅକ୍ଷର ଚିହ୍ନେ ।୫।

 

ଜନ୍ମକାଳୁ ମେଷେ ରବି ଯଦ୍ୟପି ରହଇ । ଜାତମାନକର ବହୁ ସମ କରଇ ।। ସ୍ଵର୍ଣ୍ଣରୌପ୍ୟାଦିରେ ଗୃହ ହୁଏ ପରିପୂର୍ଣ୍ଣ । ଧନ ମାନ ଯଶ ଆଦି ଲାଭ ସୁପ୍ରମାଣ । ବୃଷେ ଚନ୍ଦ୍ର ସ୍ଥିତ ବେଳେ ଜନମ ଯାହାର । ତାର ବୁଦ୍ଧି ଜଗତକୁ ଅଟେ ଅଗୋଚର ।। ଜଳ ମଧ୍ୟେ ଫାନ୍ଦି ପାତେ ଚତୁର ପଣରେ । ମୂର୍ଖ ହେଲେ ମଧ୍ୟ ବହୁ ବୃଦ୍ଧି ତା ହୃଦରେ ।। ନାନାଶାସ୍ତ୍ର ଅର୍ଥ ସେହୁ ଜାଣଇ ବହୁତ । ସକଳ ପ୍ରାଣୀଙ୍କଠାରେ ହୁଅଇ ପୂଜିତ ।। ପାଠ ନ ପଢ଼ିଣ ସେହୁ ଚିହ୍ନଇ ଅକ୍ଷର । ଦେଶ ଦେଶ ଯଶକୀର୍ତ୍ତୀ ବିରାଜେ ତାହାର ।। ବିଦ୍ୟାପକ୍ଷେ ବୁଦ୍ଧି ତାର ବହୁତ ଅଟଇ । ଖନାର ବଚନ କେବେ ଅନ୍ୟଥା ନୁହଇ ।୫।

 

ଲଗ୍ନରେ ସଙ୍ଗେ ଥିଲେ ଅବା, ତାହାର ଅଗ୍ନି କରିବା ଶଙ୍କା ।

ଲଗ୍ନରେ ମଙ୍ଗଳ ସପ୍ତମେ ଦେଖଇ , ମେଘର ନାଦେ ପଡ଼ଇ ସେହି ।

ଲଗ୍ନରେ ରବି କ୍ରୋଧ ପ୍ରବୀଣ, ଦ୍ଵିତୀୟ ଶନି ନଛାଡ଼େ ଋଣ ।

ସାତେ ଆଠେ ରାହୁର ମିଳନ, ଜନ୍ମିଲେ ହୁଅଇ ମାତାର ମରଣ ।

ଲଗ୍ନେ କୁଜା ହୁଏ କ୍ଷିପ୍ର, ମିଥ୍ୟାବାଦୀ ଦୂରଦୃଷ୍ଟି ।

ଯଦି ମଙ୍ଗଳ ସପ୍ତମ ଘରେ, ବଜ୍ରଘାତ ମଥା ଉପରେ ।୭।

 

ଲଗ୍ନ ସଙ୍ଗତରେ ଯେବେ ରହେ ଦିନକର । ଅଗ୍ନି ଭୟ ହୁଏ ପୁଣି କ୍ରୋଧା ସେହୁନର ।। ମଙ୍ଗଳ ସପ୍ତମେ ଥାଇ ଲଗ୍ନକୁ ଦେଖିଲେ । ବଜ୍ରାଘାତେ କ୍ଲେଶ ଲଭେ ସେ ପ୍ରାଣୀ ସଂସାରେ ।। ଦ୍ଵିତୀୟରେ ଶନି ଥିଲେ କରେ ବହୁଋଣ । ପୁଣି ବହୁ ବ୍ୟୟ କରେ ସେ ପ୍ରାଣୀଟି ଜାଣ ।। ସପ୍ତମେ ଅଷ୍ଟମେ ରାହୁ ମଙ୍ଗଳ । ଥିଲେ ମାତା କ୍ଳେଶୀ ସେହୁ ହୁକଇ ନିଜର ।। ଲଗ୍ନରେ ମଙ୍ଗଳ ଥିଲେ ମିଥ୍ୟାବାଦୀ ହୁଏ । ମନ୍ଦ କପାଳରେ ଚିରଦିନ ଦୁଃଖ ପାଏ ।। ଲଗ୍ନରେ ସପ୍ତମ ସ୍ଥାନେ ମଙ୍ଗଳ ରହିଲେ । ବଜ୍ରଭୟ ହୋଇ ତା’ର ଖନା ଏହା ବୋଲେ ।୬।

 

ସୂର୍ଯ୍ୟ କୁଜ ଲଗ୍ନସ୍ଥିତ , ଅବଶ୍ୟ ଲାଗେ ଦନ୍ତର ଘାତ ।

ଦେବତା ବାପେ ରକ୍ଷା ନପାଏ , ଅବଶ୍ୟ ତାକୁ ବାଘ ଖାଏ ।୭।

 

ରବି ମଙ୍ଗଳ ଏ ବେନି ଲଗ୍ନସ୍ଥାନେ ଥିଲେ । ଦନ୍ତାଘାତ ହୁଏ ତାକୁ ଜାଣିଥାଅ ଭଲେ ।। ଦେବତାଙ୍କ ବାପ ସୁଦ୍ଧା ରଖି ନପାରନ୍ତି । ବ୍ୟାଘ୍ର ମୁଖେ ନିଶ୍ଚେ ନାଶ ହୁଏ ସେହି ବ୍ୟକ୍ତି ।। ନୋହିଲେ ଆଘାତ ପାଇ ରକ୍ଷା ହୁଏ ଜାଣ । ଖନାର ବଚନ କେବେ ନୁହଇଟି ଆନ ।। ଯଦି ଗୁରୁ ଲଗ୍ନକୁ ନ ଦେଖ, ବାପାର ଆଗେ ମରଣ ଲେଖେ ।।

 

ଲଗ୍ନରେ ଚତୁର୍ଥେ କୁଜା , ସେହି ବ୍ୟକ୍ତିର ଫାଶୀ ସଜା ।।

ବୃହସ୍ପତି ଯେବେ ଲଗ୍ନସ୍ଥାନ ନ ଦେଖଇ । ପିତା ଥାଉଁ ତାହାର ମରଣ ଆଗ ହୋଇ । ଲଗ୍ନର ଚତୁର୍ଥେ ଶନି ମଙ୍ଗଳ ରହିଲେ । ଗଲେ ଫାଶ ଲଗାଇ ଜୀବନ ନାଶେ ହେଳେ ।୮।

 

ସୂର୍ଯ୍ୟକୁ ଯେ ରାହୁର ମେଳା, ଗଛର ଦଉଡ଼ି ବନ୍ଧନ ଗଳା ।

ଯଦି ରଖନ୍ତି ତ୍ରୈଲୋକନାଥ, ତେବେ ସେ ଖାଏ ନୀଚ୍ଚର ଭାତ ।୯।

ଲଗ୍ନ ସଙ୍ଗେ ରବି ମଙ୍ଗଳ ରହିଲେ । ଉଦ୍‌ବନ୍ଧନ ତା’ର ମୃତ୍ୟୁ ଜାଣିଥାଅ ଭଲେ । ତ୍ରିଭୁବନ ନାଥ ଯେବେ ତାହାକୁ ରଖନ୍ତି । ନୀଚ୍ଚ ଜନର ଅନ୍ନ ଭକ୍ଷଇ ସେହି ବ୍ୟକ୍ତି ।। ଏ କଥା ଆନ ନୁହଇ ଚିତ୍ତେ ହେତୁକର । ଖନାର ବଚନ ମିଥ୍ୟା ନୁହେଁ ଚିରକାଳ ।୯।

 

ଚନ୍ଦ୍ର ରାହୁ ଏକ ଯୁତା, ନୀଚବ ଭାତ ଖାଏ ପୁତା ।

ତାହକୁ ଯଦି ନଦେଖେ ଭଲେ, ଯତ୍ନ କରିଣ ଫିଙ୍ଗେ ମଲେ ।୧୦।

 

ଚନ୍ଦ୍ରରାହୁ ଏକସଙ୍ଗେ ହୋଇଥିଲେ ସ୍ଥିତ ଲଗ୍ନେ ଅବା ଅନ୍ୟ ସ୍ଥାନେ ବୁଝିବ ନିୟତ ।। ଶୁଭଗ୍ରହମାନେ ଯେବେ ତାଙ୍କୁ ନଦେଖନ୍ତି । ନୀଚ ଅନ୍ନ ଭକ୍ଷିଣ କାଟଇ ଦିବାରାତି ।। ପ୍ରଥମରୁ ବହୁ ଯତ୍ନେ ବଢ଼ିଥିଲେ ସେହି । ଅମେଧ୍ୟ ପଦାର୍ଥେ ମଜ୍ଜେ ଖନା ଏହା କହି ।୧୦।

 

ନୀଚର ସଙ୍ଗେ ଚନ୍ଦ୍ର ବାସ, ନୀଚ ଲଗ୍ନରେ ଜାତି ବିନାଶ

ନୀଚେ ଗୁରୁ ଏକତ୍ର ହୁଏ, ଜୋର କରିଣ ଖନା କହେ ।

କୁଳ ନାଶେ ଜନ୍ମିଲେ ବଂଶ, ଅବଶ୍ୟ ହୁଏ ଜାତି ଧ୍ଵଂସ ।୧୧।

 

ନୀଚ ଗୃହେ ଚନ୍ଦ୍ର ଲଗ୍ନରେ ରହଇ । ନିଶ୍ଚୟ ଜାତି ବିନାଶ ତାହାର ହୁଅଇ ।। ନୀଚ ଗୃହେ ବୃହସ୍ପତି ଚନ୍ଦ୍ର ସଙ୍ଗେ ଥିଲେ । କୁଳନାଶ ହୁଏ ନିଶ୍ଚେ ବଂଶ ଜନମିଲେ ।। ନିଜ ଜାତକୁଳ ଗୋତ୍ର ତେଜଇ ସେ ପ୍ରାଣୀ । ଖନାର ବଚନ ଏହା ମନେ ଥାଅ ଜାଣି ।୧୧।

 

ତୁଳାରେ ବୁଧ ବାପର ବାଇ, ମକରେ ରାଜ କାଙ୍କଡ଼େ କୁଜାଇ ।। ତିନି ଯୋଗ ନୁହଇ ଆନ, କୃପେ ପଡ଼ିଯାଏ ପ୍ରାଣ ।୧୨।

 

ତୁଳାରେ ବୁଧ ରହିଲେ ପିତୃକ୍ଲେଶ ହୁଏ । ମକରେ ରହିଲେ ନୃପତି ତୁଲ୍ୟ କରାଏ ।। କର୍କଟେ ମଙ୍ଗଳ ସ୍ଥିତି ହୋଇଥିବା ଯାର । କୂପେ ପଡ଼ି ପ୍ରାଣ ନାଶ ହୁଅଇ ତାହାର ।। ଅଥବା ଜଳାଶୟରେ ପ୍ରାଣ ବିସର୍ଜଇ । ଖନାର ବଚନ କେବେ ଅନ୍ୟଥା ନୁହଇ ।୧୨। କୁଜର ଘରେ ଶୁକ୍ରର ବାସ, ଚନ୍ଦ୍ର ରହେ ଯଦି ତାହାର ପାଶ । ପାପର ଘରେ ଲଗ୍ନ ଯେବେ, ଅବଶ୍ୟ ପରସ୍ତ୍ରୀ ରତ ତେବେ ।୧୩।

 

ମେଷ କିମ୍ବା ବୃଶ୍ଚିକରେ ଶୁକ୍ର ଯେବେ ରହି । ତାହାର ସଙ୍ଗରେ ଯଦି ଚନ୍ଦ୍ରସ୍ଥିତ ହୋଇ ।। ଲଗ୍ନ ହୋଇଥିବ ଯେବେ ପାପଗ୍ରହ ଗୃହେ । ଅବଶ୍ୟ ପରସ୍ତ୍ରୀଠାରେ ତାର ମନ ରହେ ।। ଦିବା ନିଶି ପାପକର୍ମେ ଥାଏ ତାର ମତି । ସତୀନାରୀଙ୍କର ସେହୁ ଟାଳି ଦିଏ ଧୃତି ।। ଖନାର ବଚନ କେବେ ମିଥ୍ୟା ନୁହେଁ ଜାଣ । ସତ୍ୟ ସତ୍ୟ ବୋଲି ସବୁ କାଳରେ ପ୍ରମାଣ ।୧୩।

 

ଚନ୍ଦ୍ରର ଗୃହେ ରହିଲେ ସୌରି, ଶକରେ ନମାରେ ଅନେକ ବୈରୀ । ରବି ଯଦି ତା ସଙ୍ଗେ ଥାଏ, ଯୁବକ ବେଳେ ମରଣ ହୁଏ ।୧୪।

 

ଚନ୍ଦ୍ରର ଗୃହ କର୍କଟ ରାଶି ଯେ ଅଟଇ । ସେ ସ୍ଥାନରେ ଯେବେ ଶନିଶ୍ଚର ରହିଥାଇ ।। ଶୂକରାଦି ହିଂସ୍ରଜନ୍ତୁ ମାରି ନପାରନ୍ତି । କେବଳ ବହୁତ ଶତ୍ରୁ ତାହାର ହୁଅନ୍ତି ।। ରବି ଯଦି ଶନିଶ୍ଚର ସଙ୍ଗେ କର୍କଟରେ । ଥିଲେଟି ମରଣ ହୁଏ ଯୁବକ ବେକରେ ।। ଚିତ୍ତ ପ୍ରବେଶ କରିଣ ଖନା ବଚନରେ । ଶୁଭାଶୁଭ ଫଳ କହେ ପ୍ରାଣୀଙ୍କ ଆଗରେ । ୧୪।

ଶୁକ୍ରର ଘରେ କୁଜର ବାସ, ତୃତୀୟ ଘରେ ଭାଇର ବିନାଶ ।

 

ଆଠେ ଦଶେ ନିଜର ପୀଡ଼ା, ତରୁଣେ ମରେ ନୋହି ବୁଢ଼ା ।୧୫।

ବୃଷ କିମ୍ବା ତୁଳା ଏହି ବେନି ଭାଇ ପୁଣି । ଶୁକ୍ରର ଗୃହବୋଲିଣ ଜାଣିବ ପ୍ରମାଣ ।। ସେ ସ୍ଥାନରେ ମଙ୍ଗଳ ରହଇ ସେ ପ୍ରାଣୀର । ଲଗ୍ନକୁ ତୃତୀୟ ସ୍ଥାନ ତେବେ ସେହୁ ସ୍ଥିର ।। ଭ୍ରାତୃ କ୍ଳେଶ ବୋଲି ତାକୁ ବୁଝିବ ସୁଜନ । ଲଗ୍ନକୁ ଅଷ୍ଟମ କିମ୍ବା ଦଶମ ସେ ସ୍ଥାନ ।। ତେବେ ନିଜ ଶରୀରୁ ପୀଡ଼ା ଜାତ ହୁଏ, ତରୁଣ ବୟସେ ମୃତ୍ୟୁ ଲଭେ ଖନା କହେ ।୧୫।

ଚଉଦସାଗର ଗ୍ରହର ମେଳା, ତା’ର କୋଷ୍ଠୀ ନ କର ହେଳା

 

ଅଛି ଯୋଗ ପାଏ ସିଦ୍ଧି, ନିଜେ ଆସି ମିଳାଏ ବିଧି ।୧୬।

ଚାରି ଗ୍ରହେ ଏକ ରାଶି ମଧ୍ୟରେ ରହିଲେ । ଜାଣିବ ସେ ବ୍ୟକ୍ତି ରାଜଭୋଗ ଗୁଞ୍ଜେ ହେଳେ ।। ବିଧି ବନ୍ଧନରେ ସବୁ କାର୍ଯ୍ୟ କରେ ସିଦ୍ଧି । ନିକଟରେ ପ୍ରାପତ ହୁଅଇ ଅଷ୍ଟନିଧି । ରାଜା ତୁଲ୍ୟ ବିଚକ୍ଷଣ ଅଟେ ତାର । ଦାସ ଦାସୀ ଆଦି ପାଶେ ଖଟନ୍ତି ନିକର ।। ବହୁତ ଭାଗ୍ୟବନ୍ତର ହୁଏ ଏହି ଯୋଗ । ତା କପାଳେ ସବୁ କାଳେ ଶୁଭଫଳ ଭୋଗ ।୧୬।

ତିନି ସାଗରେ ଦେଖ ଜୀବା, ଜାର କୋଷ୍ଠୀ ନୀଚେ ଥୋଇବା ।

ରାଜାହୋଇ ପାଏ ନିଧି ନିଜେ ଆସି ମିଳାଏ ବିଧି ।୧୭।

 

ତିନି ଗ୍ରହ ମଧ୍ୟେ ଯେବେ ଥାଏ ବୃହସ୍ପତି । ରାଜସୁତ ନୋହି ତାର ରାଜତୁଲ୍ୟ ମତି ।। ସକତ ସମ୍ପଦ ଆସି ପାଶରେ ମିଳଇ । ପରିକର ମାନେ ପାଶେ ଥାନ୍ତି ହର୍ଷ ହୋଇ ।। ଏମନ୍ତ ଯୋଗକୁ ଶୁଭ ବୋଲିଣ ଜାଣିବ । ଖନାର ବଚନ କେବେ ଅନ୍ୟଥା ନୋହିବ ।୧୭।

 

ମକରେ କୁଜ ଧବଳେ ସିଂହେ, ନିତ୍ୟେ କ୍ରୀଡ଼ାକରେ ରଙ୍ଗେ ।

ଇଷ୍ଟ କୁଟୁମ୍ବେ କରେ ଭୋଗ, ଏମନ୍ତ କୋଷ୍ଠୀ ନରପତିର ଯୋଗ,

 

ମକରେ ମଙ୍ଗଳ, ସିଂହେ ଚନ୍ଦ୍ର ରହିଥିଲେ । ଜାତ ବ୍ୟକ୍ତି ନାନା କ୍ରୀଡ଼ା କରଇ ରଙ୍ଗରେ ।। ନିଜ କୁଟୁମ୍ବେ ସୁଖୀ ହୋଇଣ ନିୟତ । ସର୍ବଦା କରଇ ତା’ର ଚିତ୍ତେ ଆନନ୍ଦିତ ।। ନରପତି ତୁଲ୍ୟ ପୂଜା ପାଏ ସେ ସେ ସଂସାରେ । ସକଳ କାର୍ଯ୍ୟରେ ସିଦ୍ଧ କରଇ ତତ୍କାଳେ ।। ଚିରକାଳେ ସୁଖୀ ସେହୁ କ୍ଳେଶ ନ ହୁଅଇ । ପ୍ରାଣୀଙ୍କ ହିତରେ ଖନା ଏହା କହି ଛନ୍ତି ।୧୮।

 

ଲଗ୍ନେ ଶୁକ୍ର କବିତ୍ଵ ବଳେ, ଶିଶୁକାଳୁ ଘୋଡ଼ାରେ ଚଢ଼େ ।

ନିତ୍ୟ ଲୋକେ କରେ ସମ୍ବାଦ, ଶାସ୍ତ୍ର ଏଡ଼ି କରେ ବିବାଦ ।୧୯।

 

ଲଗ୍ନରେ ଶୁକ୍ର ରହଇ କୋଷ୍ଠୀରେ ଯାହାର । କବିତା ଶକ୍ତିରେ ସେହୁ ଜିଣେ ଭୂମଣ୍ଡଳ ।। ପିଲାକାକୁ ଯାନ ବାହାନ ତାହାକୁ ମିଳେ ।। କଥା ଚାତୁର୍ଯ୍ୟରେ ପ୍ରାଣୀମନ ମୋହିପାରେ । ସବୁ ଶାସ୍ତ୍ର ଭାବ ସେହୁ ଜାଣିବ ନିକର । ବିଦ୍ୟାବଳେ ପ୍ରଶଂସା ଲଭଇ ନିରନ୍ତର ।। ଶାସ୍ତ୍ର କଥା ଛାଡ଼ି ବିବାଦରେ ତାର ମନ । ସବୁ କାଳେ ଥାଏ ବୋଲି ଜାଣି ବିଜ୍ଞଜନ ।୧୯।

 

ସପ୍ତମେ ଗୁରୁ ଷଷ୍ଠେ ରବି, ପଞ୍ଚମ ଘରେ ବୁଧ ଯଦି ।

ଚତୁର୍ଥେ ଶୁକ୍ରେ ଭୁଞ୍ଜେ ରାଜ୍ୟ, ଅବଶ୍ୟ ମିଳେ ଧନ ରାଜ୍ୟ ।୨୦।

 

ସପ୍ତମ ଗୃହରେ ଯେବେ ଥିବ ବୃହସ୍ପତି । ଷଷ୍ଠସ୍ଥାନେ ଦିନର ହୋଇଥିବ ସ୍ଥିତି ।। ପଞ୍ଚମରେ ବୁଧ ଚତୁର୍ଥରେ ଶୁକ୍ର ଥିଲେ । ସେ ପ୍ରାଣୀ ନୃପତି ତୁଲ୍ୟ ହେବ ଜାଣ ଭଲେ ।। ଅସଂଖ୍ୟ ଧନରତ୍ନରେ ଗୃହପୂର୍ଣ୍ଣ ହୋଇ । ଖନା ବୋଲେ ପରମ ସୁଖରେ ସେହି ଥାଇ ।୨୦।

 

ପଞ୍ଚମ ସ୍ଥାନେ ଥିଲେ ଜାଣ, ପରମଧନରେ କୁରୁପଣ ।

ବାପ ପୁଏ ସୁଖେ ଥାଇ, ଅଳ୍ପ ବୟସେ ଖନା କହି ।୨୧।

 

ଲଗ୍ନର ପଞ୍ଚମ ସ୍ଥାନେ ଶୁକ୍ର ଯେବେ ରହେ । ପରଧନେ କୃପଣ ସ୍ଵଭାବକୁ ସେ କହେ ।। ପିତାପୁତ୍ର ଆଦି ସୁଖେ ରହନ୍ତି ନିୟତ । ଅଳ୍ପ ବୟସରେ ଖନା କରିଲେ ୟା ଖ୍ୟାତ ।। କେହୁ ଭାବୁଥାନ୍ତି ଚନ୍ଦ୍ର ବୁଧ ଚତୁର୍ଥରେ । ଅଥବା ରବି ଶନି ଏକତ୍ରେ ସେ ଗୃହରେ ।। ଅଳ୍ପ ଦିନ ସୁଖଭୋଗ କରନ୍ତି ନିଶ୍ଚୟ । ଖନା କହେ ମନେ କିଛି ନକର ସଂଶୟ ।୨୧।

ଲଗ୍ନେ ଶଶଧର କିଅବା ଗୁରୁ, ଯେହ୍ନେ ପାରିଜାତ ଫୁଲରୁ ତରୁ । ଲଗ୍ନେ ଚନ୍ଦ୍ର ଥାଇ ଶୁଭ ନ ଦେଖେ । ବିଳାସୀ ହୋଇଣ ଅଭକ୍ଷ୍ୟ ଭକ୍ଷେ ।

 

ଲଗ୍ନରେ ଚନ୍ଦ୍ରମା କିମ୍ବା ବୃହସ୍ପତି ଥିଲେ । ପାରିଜାତ ପୁଷ୍ପ ତରୁ ପ୍ରାୟେ ଶୋହେ ଭଲେ ।। କୋମଳ ବଚନେ ସର୍ବ ପ୍ରାଣୀଙ୍କୁ ମୋହଇ । ଧନଜନ ମାନ ଯଶ ଅଚିରେ ମିଳଇ ।। ସର୍ବପ୍ରାଣୀ ହିତକାରୀ ଅଟଇ ସେ ଜନ । ସବୁ ବିଦ୍ୟା ମର୍ମ ସେହୁ ଜାଣ ଲଭି ଜ୍ଞାନ ।। ତାକୁ ଯେବେ ଶୁଭ ଗ୍ରହେ ଦେଖି ନପାରନ୍ତି । ବିଳାସୀ ହୋଇଲେ ସୁଦ୍ଧା ଅଭକ୍ଷ ଭକ୍ଷନ୍ତି ।। ବାହାର ଚିକକ୍‌ଣ ଭିତରେ କଳଙ୍କ ଯୁକ୍ତ । ଖନା ବଚନକୁ କେବେ ନମଣ ଅସତ୍ୟ ।୨୨।

 

ଲଗ୍ନେ ଗୁରୁ ବେଦ ବଖାଣେ, ଦଶମେ ଗୁରୁ ଅନେକ ପୁଣ୍ୟେ ।

ବହୁତ ପୁତ୍ର ଅବଶ୍ୟ ହୋନ୍ତି , ଧନ ଜନ ବଢ଼େ ଖନା କହନ୍ତି ।୨୩।

 

ଲଗ୍ନେ ବୃହସ୍ପତି ଥିଲେ ନାନା ଶାସ୍ତ୍ର ଅର୍ଥ । ସୁପଣ୍ଡିତ ହୋଇ ସର୍ବ ଜାଣଇ ନିୟତ ।। ବେଦ ଶାସ୍ତ୍ର ପୁରାଣାଦି ତୁଣ୍ଡେ ଅଭ୍ୟାସଇ। ସକଳ ବିଦ୍ୟାରେ ସେହୁ ପ୍ରବୀଣ ହୁଅଇ ।। ଦଶମରେ ବୃହସ୍ପତି ଯେବେ ହୁଏ ସ୍ଥିତ । ଜାଣିବ ସେ ବ୍ୟକ୍ତି ଏକା ବହୁ ପୁଣ୍ୟବନ୍ତ ।। ଦେବା ଦିଆଇବା କଥା ଅନୁକ୍ଷଣେ ତାର । ଦୁଃଖୀ ରଙ୍କିଙ୍କର ଆତ୍ମା ଚିହ୍ନେ ନିରନ୍ତର ।। ଆବର ବହୁତ ସୁତ ହୁଅନ୍ତି ତାହାର ।। ଧନରତ୍ନ ପରିପୂର୍ଣ୍ଣ ସର୍ବଦା ଭଣ୍ଡାର ।। ନାନା ସୁଖ ଭୋଗ ସେହୁ କରଇ ନିୟତ । ମିହିରଙ୍କ ଆଗେ ଖନା କହୁଛି ଏମନ୍ତ ।୨୩।

 

ଯଦି ଗୁରୁ ସପ୍ତମ ଘରେ ଥାଏ, ଶିଶୁ ହେଲେ ମଧ୍ୟ କବିତା ଗାଏ ।୨୪।

 

ଦୁଇପାଖେ ପାପଗ୍ରହମାନେ ଥାନ୍ତି ରହି । ମଧ୍ୟରେ ତାହାର ଯେବେ ଜାତ ଲଗ୍ନ ହୋଇ ।। ସେ ବ୍ୟକ୍ତି ବେଳକୁ ସ୍ଵପ୍ନେ ସୁଖଭୋଗ ଦେଖେ । ଦରିଦ୍ର ହୁଅଇ ବୋଲି ଶାସ୍ତ୍ର ଏହା ଲେଖେ ।। ବୃହସ୍ପତି ଯେବେ ସପ୍ତମ ଗୃହରେ ସ୍ଥିତ । ଶିଶୁକାଳୁ ଗୀତ ନୃତ୍ୟବାଦ୍ୟ ଅନୁରକ୍ତ ।। ନାନା ବିଦ୍ୟା ଅଭ୍ୟାସଇ ମୁଖରେ ତାହାର । ବୃହସ୍ପତି ତୁଲ୍ୟ ବୁଦ୍ଧି ପ୍ରବେଶ ଶରୀର ।। ଦୀର୍ଘାୟୁ ହୁଅଇ ସେହି ମାନବ ନିଶ୍ଚୟ । ଖନା ବୋଲେ ମନେ ନକର ସଂଶୟ ।୨୪।

 

ଦୁଇଦିଗେ କୁଗ୍ରହେ ମଧ୍ୟେ ଗୁରୁ ଅନେକ ଧନ ଅନେକ ଗୋରୁ ।

ଯଦି ଅଭାଗ୍ୟ ନୁହଇ ରାଜା, ଅନେକ ଲୋକପାଏ ପୂଜା ।୨୫।

 

ଦୁଇପାଶେ ପାପଗ୍ରହମାନେ ଯେବେ ଥାଆନ୍ତି । ମଧ୍ୟରେ ଯଦ୍ୟପି ସ୍ଥିତ ହୁଏ ବୃହସ୍ପତି ।। ସେ ପ୍ରାଣୀକି ବହୁତ ବିତ୍ତ ଲାଭ ହୁଅଇ । ଧନ ରତ୍ନେ ପରିପୂର୍ଣ୍ଣତା ଗୃହେ ଅଟଇ ।। ଭାଗ୍ୟଦୋଷେ ଯେବେ ସେହୁ ନୃପତି ନ ହୁଏ । ତଥାପି ବହୁତ ଲୋକ ମଧ୍ୟେ ପୂଜା ପାଏ ।। ଦିବ୍ୟ ଜ୍ଞାନ ବଳେ ସର୍ବପ୍ରାଣୀଙ୍କି ମୋହଇ । ଧର୍ମ କାର୍ଯ୍ୟ ତାର ଚିତ୍ତ ମତି ସଦା ଥାଇ ।। ଖନା ବୋଲେ ଏ ବଚନ ନୁହେଁ କେବେ ଆନ । ସୁଜ୍ଞଜନ ବୁଝ ଶୁଭାଶୁଭ ଫଳମାନ ।୨୫।

 

ଲଗ୍ନ ଚତୁର୍ଥେ ସାତ ଦଶେ, ପାପହୀନେ ଶୁକ୍ର ଯେବେ ବସେ ।

ଦୋଳା ଘୋଡ଼ା ଅନେକ ହସ୍ତୀ, ଏହି ମାନବ ରାଜମନ୍ତ୍ରୀ ।୨୬।

 

ଚତୁର୍ଥେ ସପ୍ତମେ ଦଶମେ କିମ୍ବା ଲଗ୍ନରେ । ପାପଗ୍ରହ ନ ଥୋଇଣ ଶୁକ୍ରସ୍ଥିତ ହେଲେ ।। ଯାନ ବାହାନରେ ଜାତ ବ୍ୟକ୍ତି ଆନନ୍ଦିତ । ହସ୍ତୀ ଅଶ୍ଵ ଆଦି ବହୁ ହୁଅଇ ପ୍ରାପତ ।। ରାଜମନ୍ତ୍ରୀ ପଣେ ବସେ ହରଷ ହୋଇଣ । ଧନରେ କୁବେର ତୁଲ୍ୟ ସେହି ଅଟେ ପୁଣ ।। ଧନ ରତ୍ନାଦିରେ ତାର ଗୃହେ ପୂର୍ଣ୍ଣ ହୁଏ । ମିହିରଙ୍କ ଅଗ୍ରତରେ ଖନା ଏହା କହେ ।୨୬।

 

ପାପାପାପ ଲଗ୍ନର ପାଶେ, ଯଦି ଗୁରୁ ସାତେ ଦିଶେ ।।

ଅନେକ ପ୍ରକାରେ ପାରଇ କହି, ବାପର ପୀଡ଼ା ସବୁକାଳେ ହୋଇ ।୨୭।

 

ଲଗ୍ନ ସଙ୍ଗେ ଶୁଭ ପାପ ମିଶି ରହିଥିବେ । ସପ୍ତମେ କିବା ଦଶମେ ବୃହସ୍ପତି ଯେବେ । ତେବେ ସେ ମାନବ ବହୁ ବାକ୍ୟ ଉଚ୍ଚାରଇ । କଥା ଛଳେ ପ୍ରାଣୀଙ୍କ ମନକୁ ପାରେ ମୋହି ।। କହିବା ବୋଲିବା ଅତି ସୁନ୍ଦର ହୁଅଇ । ଅଳ୍ପ ବିଦ୍ୟା ପଢ଼ି ମଧ୍ୟ ଯଶ ଅରଜଇ । ବହୁ କାଳେ ପିତୃକ୍ଳେଶ ଲଭଇ ନିୟତ । ସୁପଣ୍ଡିତମାନେ ଶୁଣି ସ୍ଥିର କରି ଚିତ୍ତ ।୨୭।

 

ଲଗ୍ନେ ବୁଧ ଆରାଗ୍ୟ ଶରୀର , ଶିଶୁକାଳୁ ବୁଦ୍ଧି ହୁଅଇ ସ୍ଥିର ।

 

ସର୍ଵଲୋକେ ଲଗ୍ନେ ବୁଧ ଅବସ୍ଥିତ ଯାର ।। ସେ ପ୍ରାଣୀର ସବୁ ଦିନେ ଆରୋଗ୍ୟ ଶରୀର ।। ଶିଶୁକାଳଠାରୁ ତାର ବୁଦ୍ଧି ଅଟେ ସ୍ଥିର । ସକଳ ଲୋକରେ ଲଭେ ନିରନ୍ତର ।। ଯେଣେ ଇଚ୍ଛା ତେଣେ ସେହୁ ଲଭେ ମାନ ଯଶ । ଦିନୁ ଦିନୁ ବଢ଼େ ତାର ଯଶ ପଉରୁଷ ।। ପଣ୍ଡିତ ହୋଇଣ ସର୍ବ ଶାସ୍ତ୍ର ସେ ଜାଣଇ । କବିତ୍ଵ ବଳରେ ନାମ ଜଗତେ ଫେରଇ ।। ମୂର୍ଖମାନେ ଏମନ୍ତ ପ୍ରାଣୀଙ୍କୁ ନଚିହ୍ନନ୍ତି । ଅହଙ୍କାର ଅସତ୍ୟରେ ସଦା ମାତି ଥାନ୍ତି ।। ଖନା କହନ୍ତି ଏ କଥା ସ୍ଵାମୀଙ୍କ ଆଗରେ ସୁଜ୍ଞଜନମାନେ ଏହା ଚିନ୍ତି ହୃଦୟରେ ।୨୮।

 

ତୃତୀୟରେ କେତୁ ଗୁରୁ ଗୃହରେ, ସ୍ଥିତ ହେଲେ ନାଶ ସହୋଦରେ ।

ଅନିଷ୍ଟ ଚିନ୍ତି ନ କରେ ତାହା, ଦୁଃଖୀର ଦୁଃଖେ ବୋଲି ଆହା ।୨୯।

 

ଧନ କିମ୍ବା ମୀନରେ କେତୁ ଯେବେ ରହଇ ଲଗ୍ନକୁ ତୃତୀୟ ସ୍ଥାନ ଯେବେ ସେହୁ ହୋଇ ।। ଭ୍ରାତୃହାନି ସେ ପ୍ରାଣୀର ହୁଅଇ ନିଶ୍ଚୟ । ଭଗିନୀ ଅଳପ ଥାଇ ନୁହେ ସୁଖମୟ ।। ପରର ଅନିଷ୍ଟେ ସେହି ନବଳାଏ ମତି । କାର୍ଯ୍ୟରେ ନକରେ ଯେବେ ଚିତ୍ତେ ଥାଏ ଚିନ୍ତି ।। ପରଦୁଃଖ ଦେଖିଣ ସେ ଆହା ବୋଲୂଥାଇ । ପର ପାଇଁ ନିଜ ମନପ୍ରାଣ ସମର୍ପଇ ।। ପରକୁ ବିପଦେ ନପକାଏ କେତେ ବେଳେ । ପର ଦୁଃଖେ ଦୁଃଖୀ ହୁଏ ସଦାକାଳେ କାଳେ ।୨୯।

 

ପଞ୍ଚମେ ଚନ୍ଦ୍ର ଅଙ୍ଗ ସୁନ୍ଦର , କରଇ ନାନା ଶାସ୍ତ୍ର ବିଚାର ।

ଶନିର ଗୃହେ ସେ ଯେବେ ହୋଇ , କୁଟୁମ୍ବେହାନି ଖନା କହି ।୩୦।

 

ଜନ୍ମ ଲଗ୍ନଠାରୁ ଚନ୍ଦ୍ର ପଞ୍ଚମ ସ୍ଥାନରେ । ଯେବେ ରହିଥାଇ ଶୁଭ କରଇ ଶରୀରେ ।। ଅତ୍ୟନ୍ତ ସୁନ୍ଦର ଅଙ୍ଗସେ ପ୍ରାଣୀର ହୋଏ । ନାନା ଶାସ୍ତ୍ର କଥା ବିଚାରରେ ଦିନନିଏ ।। ମକର କି ଅବା କୁମ୍ଭ ଯେବେ ସେ ଅଟଇ । ଅଳ୍ପ କୁଟୁମ୍ବରେ ସେ ପ୍ରାଣୀର ଦିନ ଯାଇ ।। ଖନା କହେ ଏ ବଚନ ନୁହେଁ କେବେ ଆନ । ସତ୍ୟ ବୋଲି ସୁଜ୍ଞଜନ ମାନେ ମନେ ଘେନ । ୩୦।

 

ଷଷ୍ଠେ ଶନି ବହୁତ ଦୋଷ, କେବଳ ନିଜ ନାରୀ ନାଶ ।

ମନେ ଯଦି ରହଇ ଜାଣ, ସୁଖ ହେବ ଅଳ୍ପଦିନେ ।୩୧।

 

ଷଷ୍ଠରେ ଶନି ରହିଲେ ମହାଦୋଷ ହୋଇ । ନିଜ ଜାୟା ନାଶ ବୋଲି ଶାସ୍ତ୍ରରେ ଅଛଇ ।। ଯଦି ସେହି ଶନିମାନେ କରେ ଶବସ୍ଥିତ । ତେବେ ସୁଖହୁଏ ତାର ଅଳ୍ପଦିନ ମାତ୍ର ।। ଖନାର ବଚନ ଏହା ଅନ୍ୟଥା ନୁହଇ । କୋଷ୍ଠୀ ଦେଖି ଶୁଭାଶୁଭ ଫଳ ବୁଝ ଭାଇ ।୩୧।

 

ରାହୁ ନବମେ ହେଲେ ସ୍ଥିତ, ଅଟଇ ମହା ଭାଗ୍ୟବନ୍ତ ।

ବୁଧ ଗୃହରେ ଯେବେ ରହି ପର ଅଧୀନ କେବେନୋହି ।୩୨।

 

ନବମ ସ୍ଥାନର ରାହୁ ଯେବେ କରେ ବାସ । ତେବେ ମହାଭାଗ୍ୟବନ୍ତ ହୁଏ ସ୍ଥାନ ସେ ପୁରୁଷ ।। ମିଥୁନ କିବା କନ୍ୟାରେ ଯେବେ ସେ ରହଇ । ସ୍ଵାଧୀନ ବୃତ୍ତିରେ ତାର ଚିରକାଳ ଯାଇ ।। ପର ଅଧୀନ ସେ ପ୍ରାଣୀ ନୁହଇ କେବହେଁ । ସୁଖଭୋଗ ଲାଭକରି ଆନନ୍ଦିତ ହୁଏ ।। ମନରେ ନିଶ୍ଚିତ ଭାବ ଲଭିଣ ନିୟତ । ଖନା କହେ ସଦାକାଳେ ତାର ହର୍ଷଚିତ୍ତ ।୩୨।

 

ଲାଭେ ଗୁରୁ ତପନ ଘରେ, ଭାର୍ଗବ ସଙ୍ଗେ ସଙ୍ଗେ କରେ ।

ବିଦ୍ୟା ବୁଦ୍ଧିରେ ଅର୍ଜେ ଧନ କରଇ ବହୁ ଦାନ ପୁଣ୍ୟ ।

ଏକ ବିଦ୍ୟା ଭାବରେ ରହେ, ସକଲ କର୍ମ ଫିଙ୍ଗିଦିଏ ।

ଲୋକର ମାନ୍ୟ ଲଭେ ନିତି, ଖନା କହେ ବଢ଼େ କୀର୍ତ୍ତି ।୩୩।

 

ଏକାଦଶ ସ୍ଥାନେ ରବି ଗୃହେ ବୃହସ୍ପତି । ଶୁକ୍ର ସଙ୍ଗେ ଯେବେ କରିଥାଏ ଅବସ୍ଥିତି ।। ବିଦ୍ୟା ବୁଦ୍ଧିରେ ପ୍ରବୀଣ ସେ ପ୍ରାଣୀ ହୁଅଇ। ଶାସ୍ତ୍ର ବିଚାରରେ ସେହୁ ଧନ ଅରଜଇ ।। ବହୁ ଦାନ ପୁଣ୍ୟ ସେହି କରଇ ନିୟତ । ତେଣୁ ବେଳେ ବେଳେ ସେହୁ ହୁଏ ଶୂନ୍ୟ ହସ୍ତ ।। ଅନ୍ୟ ସକଳ କର୍ମକୁ ଦୂରେ ପରିହରି । ଏକଇ ବିଦ୍ୟାକୁ ସଦାକାଳେ ମନେ ଧରି ।। ଜୀବିକା ନିର୍ବାହ କରେ ମହାଆନନ୍ଦରେ । ସବୁଠାରୁ ପୂଜା ସେହୁ ଲଭେ ନିରନ୍ତର ।। ସକଳ ଜଳେ ଆଦର କରନ୍ତି ତାହାକୁ । ମନ୍ଦ କଥା କେଉଁଦିନ ନ କହେ କାହାକୁ ।। ଖନା ବୋଲେ ତାର ଯଶ ଖ୍ୟାତି ଦିନୁ ଦିନ ସଂସାରେ ବ୍ୟାପଇ ହେତୁକର ବିଜ୍ଞଜନ ।୩୩।

 

ବ୍ୟୟେ ରବି ମଙ୍ଗଳ ସଙ୍ଗେ , ନାନା ଗୀତ ରଚେ ରଙ୍ଗେ ।

ଧର୍ମ ଭାବରେ ଧନ ଯାଏ, ଅଧର୍ମେ କଡ଼ାମାତ୍ର ନ ଦିଏ ।୩୪।

 

ଦ୍ଵାଦଶରେ ଯେବେ ରବି ସଙ୍ଗରେ । ଜନ୍ମକାଳୁ ସ୍ଥିତ ହୋଇଥିବେ ନିରନ୍ତରେ ।। ସେ ବ୍ୟକ୍ତି ବହୁ ଭାବରେ ରଚେ ନାନା ଗୀତ । ପ୍ରାଣୀମାନେ ଶୁଣି ହୁଅନ୍ତି ମୋହିତ ।। ଧର୍ମ କାର୍ଯ୍ୟେ ବହୁ ଧନ ବ୍ୟୟ ସେ କରଇ । ଅଧର୍ମ କାର୍ଯ୍ୟରେ ଏକ କଡ଼ା ଯେ ନ ଦେଇ ।। ବଡ଼ ଭାଗ୍ୟବନ୍ତ ବୋଲି ତାହାକୁ ଜାଣିବ । ଖନାର ବଚନ କାଳେ କାଳେ ଅଟେ ଧୃବ ।୩୪।

 

ଚନ୍ଦ୍ର ବୁଧ ପୁତ୍ର ଏକ ଘରେ, ଥିଲେ ଶିଶୁକାଳୁ ପୁଣ୍ୟକରେ ।

ଯଦି ଗୁରୁ କର୍କଟେ ସ୍ଥିର, କାଶୀଲାଭ ପୁଣ୍ୟ ଶରୀର ।୩୫।

 

ଚନ୍ଦ୍ର , ବୁଧ , ଶୁକ୍ର ଯେବେ ଏକ ଗୃହେ ଥାନ୍ତି । ଶିଶୁକାଳୁ ତାଙ୍କୁ ପୁଣ୍ୟବନ୍ତରେ ଯେ କହନ୍ତି ।। ଜୀବନରେ ସେହି ବହୁ ପୁଣ୍ୟକର୍ମ କରେ । ତାହାର ଯଶ ଗୁଣାଦି ଜଗତେ ପ୍ରଚରେ ।। ବୃହସ୍ପତି ଯେବେ ସ୍ଥିତ କର୍କଟ ରାଶିରେ । କାଶୀଧାମେ ମୃତ୍ୟୁ ଲଭି ଶାସ୍ତ୍ର ବିଚାରରେ ।। ବହୁ ପୁଣ୍ୟବନ୍ତ ବୋଲି ତାହାକୁ ଜାଣିବ । ଖନା ବଚନକୁ କେବେ ମିଥ୍ୟା ନ ମଣିବ ।୩୫।

 

ଅଷ୍ଟମ ସ୍ଥାନ ଗୁରୁର ବାସ, ରବି ଯଦି ଥାଏ ତା ପାଶ

ଲଗ୍ନେ ଚନ୍ଦ୍ର ଲଗ୍ନେ ଶୁକା, ମରଣ କାଳେ ପାଏ ଗଙ୍ଗା ।୩୬।

 

ଅଷ୍ଟମରେ ବୃହସ୍ପତି ରହିଥାଇ ଯାର । ତାହାର ସଙ୍ଗତେ ଯେବେ ଥାଏ ଦିନକର ।। ଲଗ୍ନରେ ଚନ୍ଦ୍ର ରହଇ କିମ୍ବା ଶୁକ୍ରଥାଏ । ସେ ପ୍ରାଣୀ ନିଶ୍ଚୟେ ଗଙ୍ଗାମୃତ୍ୟୁ ଯୋଗ ପାଏ ।। କଳିଯୁଗେ ଗଙ୍ଗାତୀର୍ଥ ଅଟଇ ପ୍ରଧାନ । ସେ ତୀର୍ଥେ ଯେ ତେଜେ ପ୍ରାଣ ଧନ୍ୟ ତା ଜୀବନ ।। ଜୀବ ଯିବାବେଳେ ଯେବେ ଗଙ୍ଗା ଯୋଗ ପାଇ । ତାହାର ପୁଣ୍ୟ ଯେତେ କହିଲେ ନ ସରଇ ।୩୬।

 

ଜନ୍ମ ନକ୍ଷତ୍ର ତିଥିବାର, ପାଞ୍ଚ ମିଶାଇ ତର ସାର ।

ତିନିରେ ହରନ୍ତେ ଯେତେ ରହେ, ସେହି ପ୍ରକାରେ ଗଙ୍ଗାପାଏ ।

ଏକ ଶୂନ୍ୟରେ ସରୋବରି, ଦୁଇରେ ଗଙ୍ଗା ଅର୍ନ୍ତଜଳ ।୩୭।

 

ଗଙ୍ଗା ମୃତ୍ୟୁ ଯୋଗ ଏବେ ଶୁଣ ମନଦେଇ । ଯାହାର କୋଷ୍ଠୀରେ ସେହି ଯୋଗ ଥିବ ରହି ।। ଗଙ୍ଗା ବୋଲନ୍ତେଣ ଜଳଅଛି ସର୍ବଠାରେ । ଖନା ବାକ୍ୟମତେ ଗଣି ବୁଝିବ ସତ୍ଵରେ ।। ଜନ୍ମ ନକ୍ଷତ୍ର ସଙ୍ଗରେ ତିଥି ଯୋଗ କର । ଜନ୍ମ ବାରକୁ ମିଶାଇ ଯେତେ ହେଲା ଧର ।। ତହିଁରେ ପାଞ୍ଚ ମିଶାଇ ତିନିରେ ହରିବ । ଅବଶିଷ୍ଟକୁ ଦେଖିଣ ଫଳ ବିଚାରିବ ।। ଶୂନ୍ୟ କିମ୍ବା ଏକ ଯଦି ରହେ ଅବଶେଷ । ସରୋବର କୂଳେ ତାର ହୁଏ ପ୍ରାଣନାଶ ।। ଦୁଇ ଯଦି ଅବଶିଷ୍ଟ ରହଇ ନିକର । ଜାଣିବ ଗଙ୍ଗାକୂଳରେ ମରଣ ତାହାର ।। ଏମନ୍ତ ବୁଝିଣ ପ୍ରାଣୀମାନଙ୍କୁ କହିବ । ଖନା ବାକ୍ୟେ ତେବେ ସିନା ଯଶ ଅରିଜିବ ।୩୭।

 

ଚନ୍ଦ୍ର ବୁଧେ ଲଗ୍ନେ ଯୁଝେ, ଯଦି ଗୁରୁ ସାତେ ଦଶେ ।

ରବି ଶୁକ୍ର ଅଷ୍ଟମେ ମିଳନ , ଅବଶ୍ୟ ହୁଏ ପ୍ରୟାଗ ମୁଣ୍ଡନ । ୩୮।

 

ଲଗ୍ନ ସହିତରେ ଯେବେ ଚନ୍ଦ୍ର ବୁଧ ଥାନ୍ତି । ପ୍ରଥମେ କିମ୍ବା ଦଶମେ ଥିଲେ ବୃହସ୍ପତି । ରବି ଶୁକ୍ର ଦୁହେଁ ଯେବେ ଅଷ୍ଟମରେ ସ୍ଥିତ । ପ୍ରୟୋଗତୀର୍ଥ ଲଭଇ ସେ ପ୍ରାଣୀ ନିୟତ ।। ପୂର୍ବ ଭାଗ୍ୟ ଥିଲେ ମୃତ୍ୟୁପୂର୍ବ ସେ ତୀର୍ଥରେ । ପ୍ରବେଶ ହୁଏ ମାନବ ମହା ଆନନ୍ଦରେ ।। ତୀର୍ଥ ମୃତ୍ୟୁ ଯୋଗ ଏବେ ହୋଇଲା ବର୍ଣ୍ଣନ । ଖନା ବଚନକୁ ଦୃଢ଼େ ଘେନ ସୁଜ୍ଞଜନ ।୩୮।

 

ସପ୍ତଶୂନ୍ୟ ବହୁତର ପାପ, ତହିଁରେ ରକ୍ଷା ନାହିଁରେ ବାପ ।

ହସ ଖେଳେ ନକରେ ହିଂସା, ଉଡ଼ିଣ ପ୍ରୟାଣ କରେ ହିଂସା ।୩୯।

 

ମାନବର ଯେଉଁବର୍ଷ ସପ୍ତଶୂନ୍ୟ ହେବ । ସେହି ବର୍ଷ ନିଶ୍ଚେ ବହୁ ଯାତନା ଲଭିବ ଯେବେ କଉଣସି ମତେ ଅଙ୍ଗ ନ ବାଧଇ ହସ ଖେଳେ କଉତୁକେ ଦିନ ଯାଏ ବହି ।। ତେବେ ଅକସ୍ମାତେ ମୃତ୍ୟୁ ବୋଲିଣ ଜାଣିବ । କଷ୍ଟ ଲଭୁଥିଲେ ପ୍ରାଣେ ବିନାଶ ନୋହିବ ।। ଯାହା ଅଙ୍ଗେ ସେ ବରଷ କଷ୍ଟ ନୁହେଁ ଜାତ । ଜାଣିବ ତାହାର ନିଶ୍ଚେ ହେବ ପ୍ରାଣଚ୍ୟୁତ ।୩୯।

 

ତିନି ବୁଧ ଦୁଇ କୁଜ ଯେବେ ବସେ,

ଲେଖନ୍ତେ ଦଶ ଶୂନ୍ୟ ଯେବେ ଆସେ ।

ରବି ଶନି ମଙ୍ଗଳ ତ୍ରିପାପେ ଗଣନା,

ସେହି ବର୍ଷକାଳି ପୂର୍ଣ୍ଣ କହେ ଖନା ।୪୦।

 

ତିନି ବୁଧ କିବା ଦୁଇ ମଙ୍ଗଳ ହୋଇବ । ସେହି ବର୍ଷ ଦଶ ଶୂନ୍ୟ ଯେବେ କି ପଡ଼ିବ ।। ଶନି ରବି ମଙ୍ଗଳ କିଅବା ପାପତ୍ରୟ । ସପ୍ତଶୂନ୍ୟ ଯୋଗ ହେଲେ ନିଶ୍ଚେ କାଳ ଭୟ ।। ଏହି ଅନୁରୂପେ ମୃତ୍ୟୁ ନିଶ୍ଚୟ କରିବ । ଖନା କହେ ଏ ବଚନ ଅନ୍ୟଥା ନୋହିବ ।। ମିହିର ଏ କଥା ଶୁଣି ଲେଖିଲେ ଯତନେ । ଏହାକୁ ଅଭ୍ୟାସ ନିତିକର ସୁଜ୍ଞଜନେ ।। ଶୂନ୍ୟରେ ବ୍ରହ୍ମକର୍ମକୁ ନେଇ ମିଶାଇବ । ନିବାସ ଭାବିଣ ମନେ ହରଷ ହୋଇବ ।। ଲକ୍ଷ୍ମୀପତି ନବ ଜଳଧର ଶୋଭାରାଶି ।। ଯେ ସ୍ଵାମୀ ଜଗତପତି ନିତ୍ୟ ଅବିନାଶୀ ।। ତାଙ୍କ କରୁଣାରେ ଏହା ଲେଖୁଅଛି ମୁହିଁ । ଦୀନ ଦଇବଜ୍ଞ ଶ୍ୟାମସୁନ୍ଦର କହଇ ।୪୦।

 

ପଞ୍ଚମ ଅଧ୍ୟାୟ

ନବଗ୍ରହ ଶୁଭଫଳ ବିଚାର

ରବିଫଳ

ମିହିରଙ୍କୁ ଖନା ଡାକି କହୁଅଛି ଗ୍ରହ ଶୁଭାଶୁଭ ଫଳ ।

ନବଗ୍ରହଙ୍କର ଫଳମାନ ଲେଖ ଆଉ ନାହିଁ ବେଶୀ ବେଳ ।୧।

ରବି ଜନ୍ମ ହେଳେ ଶତ୍ରୁ ବୃଦ୍ଧି କରେ ଦ୍ଵିତୀୟେ ବନ୍ଧୁ ବିଚ୍ଛେଦ ।

ତେରଦିନ ପରେ ଶୁଭଫଳ ଫଳେ ମନେ ନହୁଅ ବିଷାଦ ।୨।

ତୃତୀୟେ ଅଭୟ ପ୍ରାପତ ନିଶ୍ଚୟ ଚତୁର୍ଥେ ଦୁଃଖ ପ୍ରମାଦ ।

ବହୁ ପରକାରେ ଧନ ବ୍ୟୟ କରେ ମିତ୍ର ସଙ୍ଗେ ଘଟେ ଦ୍ଵନ୍ଦ୍ଵ । ୩।

ପଞ୍ଚମ ହୋଇଲେ ତେରଟି ଦିନରେ ଅଳ୍ପ ଶୁଭ ପ୍ରକାଶଇ ।

ବନ୍ଧୁ ମିତ୍ର ନାଶ ହୁଅନ୍ତି ଅବଶ୍ୟ ଷଷ୍ଠରେ ଧନ ମିଳଇ ।୪ ।

ସପ୍ତମେ ଅଷ୍ଟମେ ସବୁ କାର୍ଯ୍ୟମାନ ବିନାଶ ହୁଅଇ ଭଲେ ।

ନବମେ ରବିରେ ଶୁଭଫଳ ଫଳେ ତ୍ରୟୋଦଶ ଦିନ ପରେ ।୫।

ଦଶମରେ କାର୍ଯ୍ୟ ସିଦ୍ଧି ଯେ ହୁଅଇ ଏକାଦଶେ ସୁଖ ଲାଭ ।

ଦ୍ଵାଦଶରେ ବନ୍ଧୁ ବାନ୍ଧବାଦି କ୍ରୋଧ ପ୍ରବେଶି ମନରେ କ୍ଷୋଭ ।୬।

ମରଣ କାଳରେ ମିହିର ଆଗରେ ଖନା କହିଛି ଏପରି ।

ଖେରସ ନିବାସୀ କ୍ଳେଶୀ ଶ୍ୟାମ କହେ ଜ୍ୟୋତିଷ ଶାସ୍ତ୍ର ବିଚାରି ।୭।

 

ଚନ୍ଦ୍ରଫଳ

ଜନ୍ମଚନ୍ଦ୍ର ହେଲେ ମିଷ୍ଟାନ୍ନ ଭୋଜନେ ପ୍ରାଣୀଚିତ୍ତ ଥାଏ ସ୍ଥିର ।

କୃଷ୍ଣପକ୍ଷ ଦ୍ଵିତୀୟ ଚନ୍ଦ୍ର ହୁଅନ୍ତେ ମନକୁ କରେ ବ୍ୟାକୁଳ ।୧।

ଶୁକ୍ଲପକ୍ଷେ ହୋନ୍ତେ ଦ୍ଵିତୀୟ ଚନ୍ଦ୍ରରେ ଶୁଭଫଳ ହୁଏ ଜାତ ।

ତୃତୀୟରେ ରାଜସମ୍ମାନ ମିଳଇ ଶତ୍ରୁନାଶ ସୁନିଶ୍ଚିତ ।୨।

ଚତୁର୍ଥେ ଉଦରପୀଡ଼ା ନିରନ୍ତର ଶୁକ୍ଲପକ୍ଷରେ ପ୍ରମାଣ ।

କୃଷ୍ଣପକ୍ଷ ହେଲେ ସଉଭାଗ୍ୟ ମିଳେ ଆଦର ପ୍ରାପତ ମାନ ।୩।

ପଞ୍ଚମରେ ଧନ ହାନି ମନ କ୍ଳେଶ କୃଷ୍ଣ ପକ୍ଷେ ଯେବେ ଥାଇ

ଶୁକ୍ଳପକ୍ଷ ହେଲେ ଆସି ବଳେ ବଳେ ନଷ୍ଟଦ୍ରବ୍ୟ ମିଳିଯାଇ ।୪।

ଷଷ୍ଠଚନ୍ଦ୍ର ହେଲେ ଧନ ଧାନ୍ୟ ମିଳେ ଶତ୍ରୁ ବିନାଶ ନିକର ।

ସପ୍ତମରେ ନାନା ସୁଖ ଭୋଗହୁଏ ଅଷ୍ଟମେ ପୀଡ଼ା ଶରୀର । ୫।

କୃଷ୍ଣପକ୍ଷରେ ନବମ ଚନ୍ଦ୍ର ହେଲେ ଶରୀରେ ଜନ୍ମଇ କ୍ଳେଶ ।

ହେଲେ ଶୁକ୍ଳପକ୍ଷ ଶୁଭଫଳ ଦେଖି ମିଳେ ଧନ ମାନ ଯଶ । ୬।

ଚନ୍ଦ୍ର ଦଶମରେ ଅତି ଯତନରେ ସବୁ କାର୍ଯ୍ୟ ସିଦ୍ଧ ହୁଏ ।

ଏକାଦଶେ ସୁଖ ସଉଭାଗ୍ୟ ବୃଦ୍ଧି ମିଷ୍ଟବଚନ ଶୁଣାଏ । ୭।

କୃଷ୍ଣପକ୍ଷ ଯେବେ ଚନ୍ଦ୍ରମା ଦ୍ଵାଦଶ ହୁଏ କେବଳ ପ୍ରାଣୀର ।

ବହୁପରକାରେ ଯଶ ସୁଖ ଲାଭ କରୁଥାଇ ନିରନ୍ତର ।୮।

ଯେବେ ଶୁକ୍ଳପକ୍ଷ ହୁଅଇ ପ୍ରତ୍ୟକ୍ଷ ତେବେ ଭୟ କରେ ଜାତ ।

ଖନା ବାକ୍ୟ ଶ୍ୟାମ ଲିଖନ କରିଛି ଜ୍ୟୋତିଷ ଶାସ୍ତ୍ରର ମତ ।୯।

 

ମଙ୍ଗଳ ଫଳ

ମଙ୍ଗଳ ଜନମ ହୋଇଲେ ଜାଣିବ ସକଳ କଥାକୁ ଭୟ ।

ଶୁଭକର୍ମ କଲେ ଅଶୁଭ ହୁଅଇ ଦ୍ଵିତୀୟରେ ଧନକ୍ଷୟ ।୧।

ତୃତୀୟରେ କାର୍ଯ୍ୟ ସିଦ୍ଧି ହୋଇ ଯଶ ହୁଏ ପରାପତ ।

ଚତୁର୍ଥରେ ଶତ୍ରୁ ବୃଦ୍ଧି ଯେ ନିଶ୍ଚୟ ପଞ୍ଚମେ ଶତ୍ରୁ ନିପାତ ।୨।

ଷଷ୍ଠ ମଙ୍ଗଳରେ ମହା ଆନନ୍ଦରେ ମାନବେ କାଟନ୍ତି କାଳ ।

ସପ୍ତମେ ପ୍ରବେଶ ହୁଅନ୍ତେ ଅବଶ୍ୟ ନିରତେ ଆତ୍ମା ବିକଳ ।୩।

ଅଷ୍ଟମରେ ଅଙ୍ଗେ ପୀଡ଼ା ଉପୁଜଇ ମଙ୍ଗଳ ଗ୍ରହରେ ଜାଣ ।

ନବମରେ ସବୁ କାର୍ଯ୍ୟ ହୁଏ ନାଶ ଦଶେ ସୁଖ୍ୟାତି ଅର୍ଜନ ।୪।

ଏକାଦଶେ ନାନା ଶୁଭଫଳ ହୁଏ ଦ୍ଵାଦଶେ ବ୍ୟାଧି ପ୍ରବଳ ।

ଖନାବାକ୍ୟ ଶ୍ୟାମସୁନ୍ଦର କହଇ ବୁଝି ସୁବେବିକୀ ନର ।୫।

 

ବୁଧ ଫଳ

ବୁଧ ଜନ୍ମ ହେଲେ ବନ୍ଧନ ଦଶାରେ ପ୍ରାଣୀଏ କଷ୍ଟ ଲଭନ୍ତି ।

ଦ୍ଵିତୀୟରେ ବଡ଼ ଧନ ଦାନ କରେ ଧର୍ମ ପଥେ ଦେଇ ମତି ।୧।

ତୃତୀୟରେ ଅପମାନ ଅନୁକ୍ଷଣ ଚତୁର୍ଥରେ କାର୍ଯ୍ୟ ସିଦ୍ଧି ।

ପଞ୍ଚମରେ ଦୁଃଖ ତିଳେ ନାହିଁ ସୁଖ ଷଷ୍ଠେ ଶୁଭଯୋଗ ଆଦି ।୨।

ସପ୍ତମରେ ଦେହପୀଡ଼ା ଉପୁଜଇ ଅଷ୍ଟମରେ ଧନ ଲାଭ ।

ନବମରେ ମହାକ୍ଳେଶ ହୁଏ ଜାତ ଅନୁବ୍ରତେ ମନେ କ୍ଷୋଭ । ୩।

ଦଶମରେ ନାନା ସୁଖଜାତ କରେ ଏକାଦଶେ ମିଳେ ଧନ ।

ଦ୍ଵାଦଶରେ ମତି ଅସ୍ଥିର ହୁଅଇ ଶ୍ୟାମ କହେ ନୁହେଁ ଆନ ।୪।

 

ବୃହସ୍ପତି ଫଳ

ବୃହସ୍ପତି ଜନ୍ମ ହେଲେ ସ୍ଥାନ ନାଶ ଆବର ମନରେ ଭୟ ।

ଧନ ଜନ ମାନ ଯଶ ପରାପତ ଦ୍ଵିତୀୟେ ଜାଣ ନିଶ୍ଚୟ ।୧।

ମିଥ୍ୟା ଅପବାଦ କଳହାଦି କେତେ ତୃତୀୟରେ ଉପୁଜଇ ।

ଚତୁର୍ଥରେ ଧନହାନି ପ୍ରାଣପୀଡ଼ା ବିଦ୍ୟା ବୁଦ୍ଧି ନାଶ ଯାଇ ।୨।

ପଞ୍ଚମରେ ସୁତ ଅର୍ଥ ପରାପତ ଷଷ୍ଠରେ କଷ୍ଟ ନିକର ।

ସପ୍ତମ ଭବନେ ବିଳସିଲେ ଗୁରୁ ସୁଖ ମିଳଇ ଅପାର । ୩।

ଅଷ୍ଟମରେ ନାନା ରୋଗ ହୁଏ ଜାତ ଆବର ନାଶଇ ଧନ ।

ନବମେ ସୁଖ ସୌଭାଗ୍ୟ ମିଳନ୍ତେଣ ନିତି ପ୍ରଫୁଲ୍ଲିତ ମନ ।୪।

ଦଶମରେ ମହା ସଙ୍କଟ ପଡ଼ଇ ପ୍ରାଣପୀଡ଼ା ଧନକ୍ଷୟ ।

ଏକାଦଶେ ଯଶ ସମ୍ପଦ ମିଳଇ ଦ୍ଵାଦଶରେ ବହୁ ବ୍ୟୟ ।୫।

ବୃହସ୍ପତି ବାରି ରାଶି ଫଳାଫଳ ଏମନ୍ତ ଅଟଇ ଜାଣ ।

ଗଣକ ଶ୍ୟାମସୁନ୍ଦର କହେ ଡ଼ାକି ପଣ୍ଡିତେ ମିଥ୍ୟା ନ ମଣ ।୬।

 

ଶୁକ୍ର ଫଳ

ଜନ୍ମ ହେଲେ ଶୁକ୍ର ଫଳ ହୁଏ ଶୁକ୍ର ଦ୍ଵିତୀୟରେ ସେହିପରି ।

ତୃତୀୟରେ ମହାଦୁଃଖ ଉପୁଜିଣ ଦରିଦ୍ର ସଙ୍ଗରେ ସରି ।୧।

ଚତୁର୍ଥେ ଶତ୍ରୁ ବୃଦ୍ଧି ମନଦୁଃଖ ପଞ୍ଚମେ ସମ୍ପଦ ନାଶ ।

ଷଷ୍ଠେ ଶତ୍ରୁ ବୃଦ୍ଧି ଦେହ ପୀଡ଼ା ଆଦି ସପ୍ତମେ ଶୋକ କ୍ଳେଶ । ୨।

ଅଷ୍ଟମରେ କାର୍ଯ୍ୟସିଦ୍ଧି ନବମରେ ସକଳ ପଦାର୍ଥ ମିଳେ ।

ଦଶମ ହୋଇଲେ ଅତି କଷ୍ଟ ହୁଏ ଦେହରେ ପୁଣି ଗୃହରେ ।୩।

ଏକାଦଶେ ବହୁ ସମ୍ପଦ ମିଳଇ ଦ୍ଵାଦଶରେ ମିଳେ ଭୃତ୍ୟ ।

ଦଇବକ ଶ୍ୟାମସୁନ୍ଦର କହଇ ଏକଥା ନିରାଟ ସତ୍ୟ ।୪।

 

ଶନି ଫଳ

ଶନି ଜନ୍ମ ହେଲେ ପ୍ରାଣୀଙ୍କ ଶରୀରେ ନାନ କଷ୍ଟହୁଏ ଜାତ ।

ଧନ ଜନ ମନ ଅସ୍ଥିର ହୁଅଇ ତାହାକୁ ନ ମଣ ସତ୍ୟ ।୧।

ଦ୍ଵିତୀୟରେ ତହୁଁ କିଛି ଊଣା ହୋଇ କଷ୍ଟଫଳ ମଧ୍ୟୁ ଜାଣ ।

ଅଳ୍ପ ଶୁଭ ପ୍ରକାଶଇ ଶେଷବେଳେ ତୃତୀୟେ ଶୁଭ ପ୍ରମାଣ ।୨ ।

ଚତୁର୍ଥ ହୁଅନ୍ତେ ଶତ୍ରୁ ବୃଦ୍ଧି କରି ଚିତ୍ତକୁ କରେ ଅସ୍ଥିର ।

ଧନବ୍ୟୟ ପଞ୍ଚମରେ ନିଶ୍ଚେ ହୋଇ ଷଷ୍ଠରେ ଶୁଭ ଅପାର । ୩।

ସପ୍ତମ ଶନିରେ ସକଳ ବେଳର ପ୍ରାଣୀଙ୍କର ଦୁଃଖ ଜାତ ।

ଅଷ୍ଟମରେ ମହା ସୁକୃତ ଭାବରେ କ୍ଳେଶ ଉପୁଜେ ନିୟତ ।୪।

ଧନମାନ ଜ୍ଞାନ ବିନାଶ ହୁଅଇ ନବମେ ଶନି ହୋଇଲେ ।

ଦଶମରେ ଶୁଭଫଳ ପ୍ରକାଶଇ ଏକାଦଶେ ରହେ ଭଲେ ।୫।

ଦ୍ଵାଦଶରେ ପୁଣି ବହୁତ ସଙ୍କଟ ପ୍ରାଣପୀଡ଼ା ଧନକ୍ଷୟ ।

ଶ୍ୟାମ କହେ ଏହା ଆଗକୁ ଜାଣିବ ଚିତ୍ତେ ନ ରଖ ସଂଶୟ ।୬।

 

ରାହୁକେତୁ ଫଳ

ରାହୁ କେତୁ ଫଳ ଶୁଣ ସୁଜ୍ଞନର ମନେ ହରଷିତ ହୋଇ ।

ଜନ୍ମ ବେଳେ ଧନ ମାନ ଯଶ ହାନି ଅଙ୍ଗେ ପୀଡ଼ା ପ୍ରକାଶଇ ।୧।

ଦ୍ଵିତୀୟ ହୋଇଲେ ନିତ୍ୟ ପ୍ରବାସରେ ପ୍ରାଣୀଙ୍କୁ ଭ୍ରମାଉ ଥାଇ ।

ତୃତୀୟେ ସକଳ ସମ୍ପଦାଦି ମାମ ପାଶେ ଆସି ପ୍ରବେଶଇ ।୨।

ଚତୁର୍ଥରେ ଦେହପୀଡ଼ା ମନପୀଡ଼ା ପଞ୍ଚମେ ଚିତ୍ତ ବ୍ୟାକୁଳ ।

ଷଷ୍ଠରେ ଅତ୍ୟନ୍ତ ସୁଖ ପରାପତ ଜାଣିଥାଅ ଚିରକାଳ ।୩।

ସପ୍ତମେ ନାନା ଭୟ ଉପୁଜଇ ଅଷ୍ଟମେ କାର୍ଯ୍ୟ ବିନାଶ ।

ଦେହପୀଡ଼ା ଆଦି ହୁଅଇ ତା ସଙ୍ଗେ ମାନହାନି ଅପଯଶ । ୪।

ନବମେ ସକଳ ଭୟ ଜାତ ହୁଏ ଚୋର ଅଗ୍ନି ସର୍ପ ଆଦି ।

ମିତ୍ରବନ୍ଧୁ ନାଶ ଅଟଇ ଅବଶ୍ୟ ଅଶୁଭ ଫଳ ପ୍ରସିଦ୍ଧି ।୫।

ଦଶମରେ ଅଳ୍ପ କଷ୍ଟ ସୁଖ ପରାପତ ହୁଅଇ ପ୍ରାଣୀର ଜାଣ ।

ବେଳେ ସୁଖଲାଭ ବନ୍ଧୁ ମିତ୍ରର ମିଳନ ।୬।

ଦ୍ଵାଦଶରେ ବହୁ ବହୁ କଷ୍ଟ ଜାତ କରେ ସେ ତପେ ତାପିତ ପୁଣି ।

ଗଣକ ଶ୍ୟାମସୁନ୍ଦର ଗରି କହେ ବୁଝି ସୁବିବେକ ପ୍ରାଣୀ ।୭।

ହଚି (ଛିଙ୍କ) ଓ ପଲ୍ଲୀ (ଝିଟିପିଟି) ପତନକୁ ଶୁଭାଶୁଭ ଫଳ

ପ୍ରାଣୀଙ୍କର ଯେ କୌଣସି କାର୍ଯ୍ୟବେଳେ ଅନ୍ୟ ଲୋକ ଛିଙ୍କି ଦଲେ ।

କେଉଁ କାର୍ଯ୍ୟ ଶୁଭ କି ଅଶୁଭ ହେବ ବୁଝାଇ କହିବା ଭଲେ ।୧।

ଆବର ପଲ୍ଲୀପତନ ମାନବଙ୍କ ଯେ ଅଙ୍ଗରେ ଶୁଭାଶୁଭ ।

ତାହାର ସକଳ ଫଳ ସେହିପରି ଭାବିବ ନ ବହି କ୍ଷୋଭ ।୨।

ଛିଙ୍କ, ଝିଟିପିଟି ପଡ଼ିବାର ଫଳ ହୁଏ ଏକ ପରକାର ।

ଶୟନ, ଭୋଜନ , ଦାନୋପବେଶନ ବିବାହେ ବିବାଦ ଆର ।୩।

ବସ୍ତ୍ର ପରିଧାନ ଘେନି ଏହି ସପ୍ତକର୍ମ ବେଳେ ପଡ଼େ ଯେବେ ।

ସକଳ ଅଶୁଭ ବିନାଶ ହୋଇଣ ଶୁଭ ପ୍ରକାଶଇ ତେବେ ।୪।

ବାଳକ ବୃଦ୍ଧ କି ଅବା ରୋଗୀ ଲୋକେ ଯେବେ ଛିଙ୍କନ୍ତି ଜାଣିବ ।

ଶୁଭ ପରାପତ ହୋଇବ ପ୍ରଶସ୍ତ ମନେ ଆନ ନ ଘେନିବ ।୫।

ଗୋରୁ ଛିଙ୍କି ଦେଲେ କୌଣସି କାମରେ ଘଟେ ବହୁ ଅମଙ୍ଗଳ ।

ମରଣ ସମସ୍ୟା ପ୍ରବେଶ ହେବାକୁ ଅଛି ଜାଣ ଅଳ୍ପକାଳ ।୬।

ଦିଗ ଘେନି ବେନି କଥାରୁ ସକଳ ଶୁଭ ଅଶୁଭ ବୁଝିବ ।

ଉର୍ଦ୍ଧ୍ଵ ଭାଗୁ ଯେବେ ପଲ୍ଲୀ ଛିଙ୍କ ରବି ପଡ଼ିଲେ ଶୁଭ ଜାଣିବ ।୭।

ପୂର୍ବଦିଗେ ଅବା ଅଗ୍ନି କୋଣ ହେଲେ ଉପୁଜଇ ମହାଭୟ ।

ଦକ୍ଷିଣ ଦିଗରୁ ହେଲେ ମହାଭୟ ଜାଣିବ ଅଟେ ନିଶ୍ଚୟ ।୮।

ନୈର୍ଋତ କୋଣରୁ ଏ ବେନି ପଡ଼ିଲେ କଳହ ହୁଅଇ ଅତି ।

ପଶ୍ଚିମରେ ମହାଭାବ ଉପୁଜାଏ ତେଣୁ ହରଷିତ ମତି ।୯।

ବାୟୁକୋଣରୁ ବସ୍ତ୍ର ମିଳଇ ବହୁତ ସୁଗନ୍ଧାଦି ଦ୍ରବ୍ୟମାନ ।

ପ୍ରାପତ ହୁଅଇ ଅତି ଚଞ୍ଚଳରେ ଯଶମାନ ଧନ ଜ୍ଞାନ ।୧୦।

ଉତ୍ତର ଦିଗରେ ଅତି ପ୍ରଶସ୍ତରେ ଯେବେ ଏ ମଧ୍ୟରୁ କେହି ।

ହୋଇବ ନିଶ୍ଚୟ ନକର ସଂଶୟ ନାରୀ ଲାଭଟି ଅଟଇ ।୧୧।

ଐଶାନ୍ୟ କୋଣରୁ ଏ ବେନି ମଧ୍ୟରୁ ଯେବେ ହୁଏ କେହି ସ୍ଥିତ ।

ଦୈବ ବିପକ୍ଷରୁ ଅନ୍ୟ ଦିବସରେ ମୃତ୍ୟୁ ଘଟଇ ନିୟତ ।୧୨।

ଶୁଭାଶୁଭ ମାନ ବୁଝିଣ ଆଗରୁ ସାବଧାନେ ହୋଇଥିବ ।

ଶ୍ୟାମ କହେ ଡ଼ାକି ନୋହିଲେ ଅଧିକ କଷଣରୁ ଲଭୁଥିବ ।୧୩।

ମନୁଷ୍ୟମାନଙ୍କ ଦେହରେ ଥିବା ତିଳ ଚିହ୍ନର ଶୁଭାଶୁଭ ଫଳ

ତିଳ ଚିହ୍ନ ଥିବା ଶୁଭାଶୁଭ ଫଳ ଶୁଣ ଜନେ ଦେଇ ଚିତ୍ତ ।

ଯେଉଁ ପାର୍ଶ୍ଵେ ଯେଉଁ ପ୍ରକାରେ ରହଇ କହିବା ତାହାର ତତ୍ତ୍ଵ ।୧।

ଲଲାଟ ଦେଶର ଦକ୍ଷିଣ ପାର୍ଶ୍ଵର ନାସିକା ଉପରେ ଥିଲେ ।

ଦେବଧନ ବଳେ ପ୍ରାପତ ହୁଅଇ ଯଶମାନ ଆଦି ମିଳେ ୨।

ନେତ୍ରତଳେ ଯେବେ ତିଳଚିହ୍ନ ଥାଏ ଅଧ୍ୟବସାୟୀ ହୁଅଇ ।

ଥିଲେ ଗଣ୍ଡଦେଶ ଦେଶେ ବା ବିଦେଶେ କାହିଁ ଧନ ନ ମିଳଇ ।୩।

ଓଷ୍ଠର ନିମ୍ନେ କି ଅବା ଉପରରେ ତିଳ ଯେବେ ଦୃଷ୍ଟ ହୋଇ ।

ବିଳାସିତ ପୁଣି ପ୍ରେମିକ ଲକ୍ଷଣ ଜାଣିବ ଗଣକ ଭାଇ ।୪।

କଣ୍ଠଦେଶେ ଥିଲେ ବିବାହ ଉତ୍ତର ତହିଁରୁ ମିଳଇ ଧନ ।

ଥିଲେ ବକ୍ଷସ୍ଥଳେ ସୁସ୍ଥ ଶରୀରରେ ସେ ପ୍ରାଣୀ ହରଇ ଦିନ ।୫।

ସୁଖ ସଉଭାଗ୍ୟ ଘଟଇ ନିଶ୍ଚୟ ତାହାର ସର୍ବ ସମୟେ ।

ଦକ୍ଷିଣଭାଗ ପଞ୍ଜକରେ ରହିଥିଲେ ପ୍ରାଣୀ ବୁଦ୍ଧିମାନ ହୁଏ ।୬।

ଉଦରେ ଥିଲେ ବହୁ ଭକ୍ଷଣରେ ସେ ପ୍ରାଣୀର ସଦା ମନ ।

ପରିଚ୍ଛଦ ପ୍ରିୟ ଅଟଇ ନିରତେ ସ୍ଥୂଳକାୟଟି ପ୍ରମାଣ । ୭।

ପୃଷ୍ଠଦେଶେ ତିଳ ଥିଲେ ହେତୁକର ନୃଶଂସ ହୁଅଇ ପ୍ରାଣୀ ।

ଦକ୍ଷିଣ ବାହୁରେ ମହା ଧୈର୍ଯ୍ୟବନ୍ତ ଶାନ୍ତଶୀଳ ଭାବି ପୁଣି ।୮।

କଣ୍ଠଦେଶେ ଥିଲେ ଧୈର୍ଯ୍ୟଶୀଳ ହୁଏ ଆବର ଭକତି ପ୍ରିୟ ।

ଭୂରୁ ନିମ୍ନେ ତିଳଚିହ୍ନେ ଥିଲେ ଜାଣ ଦୁଃଖାବସ୍ଥା ଚିରଦିନ ।

ଲଲାଟରେ ବାମଭାଗ କେଶପାଖେ ଥିଲେ ଦୂରାଚାରୀ ଜନ ।୧୦।

କେବଳ ବାମରେ ଥିଲେ ନିରନ୍ତର ଅପବ୍ୟୟ କରୁଥାଇ

ନିନ୍ଦା ଅରଜିଣ ଜଗତ ମଧ୍ୟରେ ଉଦାସୀ ପ୍ରାୟ ଭ୍ରମଇ ।୧୧।

ନାସା ଦକ୍ଷିଣରେ ଥିଲେ ଦୀର୍ଘ କାଳ ଜୀବନ କରେ ଧାରଣ ।

ଅଧ୍ୟବସାୟୀ ସେ ଅଟଇ ନିରତେ ଭୋଗ କରେ ଧନଧାନ୍ୟ ।୧୨।

ନାସିକାର ବାମଭାଗେ ତିଳ ଥିଲେ ନିର୍ଦ୍ଧନ ହୁଅଇ ପ୍ରାଣୀ ।

ଅପବ୍ୟୟୀ କଟୁଭାଷୀ ସେ ନିରତେ ଛନ୍ଦ କୂଟ ଆଦି ଜାଣି । ୧୩।

ବକ୍ଷସ୍ଥଳେ ତିଳ ରୋଗଯୁକ୍ତ ହେଲେ ବିଦ୍ୟାବନ୍ତ ହୁଏ ଅତି ।

କବିତା ଶକ୍ତିରେ ପ୍ରାଣୀମାନଙ୍କର ହରୁଥାଇ ସେହି ମତି ।୧୪।

ଦକ୍ଷିଣ ପଦରେ ତିଳ ଚିହ୍ନ ଥିଲେ ଜ୍ଞାନବନ୍ତ ଧର୍ମବନ୍ତ ।

ବାମଗଣ୍ଡେ ତିଳ ବଡ଼ ଅମଙ୍ଗଳ ଦାମ୍ପତ୍ୟ ପ୍ରେମରେ ରତ । ୧୫।

କିନ୍ତୁ ଅସୌଭାଗ୍ୟ ନିଦର୍ଶନ ତାର ଯାବଜ୍ଜୀବନ ଘଟଇ ।

କର୍ଣ୍ଣ ମଧ୍ୟେ ତିଳ ବହୁ ଶୁଭଫଳ ଯଶ ଧନାଦି ମିଳଇ । ୧୬।

ତିଳ ଦେଖି ଏହିପରି ଶୁଭାଶୁଭ ଫଳ ବୁଝିବ ସୁଜନେ ।

ଶ୍ୟାମସୁନ୍ଦର କହଇ ଖନା ବାକ୍ୟ ହେତୁ ରଖ ନିଜ ମନେ । ୧୭।

 

ମନୁଷ୍ୟମାନଙ୍କ ଦେହରେ ଥିବା କଳା

ଜାଇମନ୍ଦାର ଶୁଭାଶୁଭ ଫଳ

 

ଶୁଣ ସୁଜ୍ଞଜନ ହୋଇ ଏକମନ କଳାଜାଇର ଲକ୍ଷଣ ।

ପ୍ରାଣୀମାନଙ୍କର ଅଙ୍ଗରେ ରହିଲେ ଯେଉଁ ଫଳ ହୁଏ ଜାଣ ।୧।

ସେହି ଫଳମାନ ମିହିର ଅଗ୍ରତେ କହି ଯାଇଛନ୍ତି ଖନା ।

ପ୍ରତ୍ୟେକ୍ଷେ ଜାଣିବ ସବୁ ଶୁଭାଶୁଭ ନକରି କିଛି ଗଣନା ।୨।

ବଦନର ବାମପାର୍ଶ୍ଵେ କଳାଜାଇ ମନ୍ଦା ଥିବଟି ଯାହାର ।

ସେହି ପ୍ରାଣୀ ଚିରକାଳ ଯାଏ ସୁଖ ଭୋଗି କାଟୁଥାଇ କାଳ ।୩।

ଅତି ଧୀରବନ୍ତ ସେ ପ୍ରାଣୀ ନିରତ କରେ ପର ଉପକାର ।

ଦକ୍ଷିଣ ଭାଗରେ କଳାଜାଇ ଥିଲେ ସମ୍ମାନ ମିଳେ ଅପାର ।୪ ।

ମହାଆନନ୍ଦରେ ତାର ଦିନ ଯାଏ ତିଳେ ନ ଲଭିଣ କ୍ଲେଶ ।

ବାମ ହସ୍ତରେ କହୁଣୀ ପରେ ଥିଲେ ସର୍ବଦା ମନ ବିରସ ।୫।

କହୁଣୀର ତଳେ କଳାଜାଇ ଥିଲେ ବହୁଭାଷୀ ହୁଏ ଜନ ।

ଚିତ୍ର ବିଚିତ୍ର କରିଣ କଥାମାନ କହି ତୋଷେ ପ୍ରାଣୀ ମନ ।୬।

ଦକ୍ଷିଣ ହସ୍ତର କହୁଣୀ ଉପରେ କଳାଜାଇ ମନ୍ଦା ଥିଲେ ।

ଚିରକାଳ ନିନ୍ଦିତ ବ୍ୟାପାରେ ମନ ରହି ଥାଇ ଅବହେଳେ ।୭।

ଦକ୍ଷିଣ ହସ୍ତରେ କହୁଣୀ ତଳେ ଯା କଳାଜାଇ ମନ୍ଦା ଥାଇ ।

ଅତ୍ୟନ୍ତ କାମୁକ ଅଟେ ସେହୁଜନ ଅଳପେ ସୁଖ ଭୁଞ୍ଜଇ ।୮।

ଦକ୍ଷିଣ ବକ୍ଷରେ ମୂର୍ଖେ ତା ହୁଅଇ ଆବର ଅଧର୍ମେ ମତି ।

ବାମ ବକ୍ଷେ ଥିଲେ ପରଧନ ଲଭେ ନିରତେ ଗର୍ବିତ ଅତି ।୯ ।

ନୟନରେ ଯେବେ ଥାଏ ଦୃଷ୍ଟିଶକ୍ତି ପ୍ରାଣୀର ହୁଏ ବିଶେଷ ।

ଦାତା ସୁଚତୁର ବୁଦ୍ଧିମାନ ସେହୁ ଅଧର୍ମେ ନ ଗମେ ଲେଶ । ୧୦।

କରତଳେ ଥିଲେ ଅପ୍ରବାସୀ ହୁଏ ଅରୁଣୀ ଅଟେ ପ୍ରମାଣ ।

ସ୍ଵାଧୀନ ଭାବରେ ଜୀବନ ଯାପନ ଜୀବ ଥାଇ ଯେତେଦିନ ।୧୧।

ପାଦତଳେ ଧନ ନାଶ କରେ ଜାଣ ଅଳପ ଶିକ୍ଷିତ ହୋଇ ।

କି ଅବା ସମ୍ପୁର୍ଣ୍ଣ କିବା ଅର୍ଦ୍ଧସମ ମୂର୍ଖଙ୍କ ସଙ୍ଗରେ ଥାଇ ।୧୨।

ଇନ୍ଦ୍ରିରେ ରହିଲ କାମୁକ ଭାବରେ ନିନ୍ଦିତ ଚରିତ୍ରେ ରତ ।

ଗୃହ ସ୍ଥାନେ ଥିଲେ ଆପଣା ଶରୀରେ ହୁଏ ବହୁ କଷ୍ଟ ଜାତ ।୧୩।

ଚିରଦିନ ମନ ଦୁଃଖରେ ରହିଣ ତିଳେ ସୁଖ ନ ଲଭଇ ।

ଖନାର ବଚନ ମିଥ୍ୟା ନହୋଇବ କେବେ ଭୁଲିବଟି ନାହିଁ ।୧୪।

ବାମପାଦ ମୂଳରେ ସ୍ଥିତ ହୋଇଲେ ମୂର୍ଖ ଅଶିକ୍ଷିତ ଜାଣ ।

ଦକ୍ଷିଣ ପାଦ ମୂଳରେ ଥିଲେ ନିରନ୍ତର ଭ୍ରମିବାକୁ ମନ ।୧୫।

କର୍ଣ୍ଣରେ ଅତ୍ୟନ୍ତ ଶ୍ରୁତିଧର ପୁଣି ମିଷ୍ଟଭାଷୀ ନ୍ୟାୟବନ୍ତ ।

କଟିରେ ରହନ୍ତେ ଦୈହିକ ପୀଡ଼ାରେ ନିରତେ ଦୁଃଖେ ଚିନ୍ତିତ ।୧୬।

ନିତମ୍ବ ଦେଶରେ କଳାଜାଇ ଥିଲେ ଅତୃଭାବିକ କ୍ରିୟାରେ ।

ନିରନ୍ତର ଚିତ୍ତ ହୋଇଥାଇ ରତ ଭୟ ନକରି ମନରେ ।୧୭।

ପୃଷ୍ଠେ ଥିଲେ ରହି ଧୀରବନ୍ତ ହୋଇ କରଇ ବହୁତ ଦାନ ।

ଶାନ୍ତ ଚିତ୍ତେ ମହୀତଳେ ଚିରକାଳ ସୁଖଲାଭ କରେ ପୁଣ ।୧୮।

ଜାନୁରେ ରହିଲେ ପର ଉପକାରେ ସେ ପ୍ରାଣୀର ଥାଏ ମତି ।

ଅତ୍ୟନ୍ତ ବଳିଷ୍ଠ ହୁଅଇ ମାନବ ସୁଖ ଭୋଗ କରେ ନିତି ।୧୯।

କଳାଜାଇ ମନ୍ଦା ଥିଲେ ଏହିପରି ଫଳ ନିର୍ଣ୍ଣୟ କରିବ ।

ଖନା କହେ କେତେବେଳେ ଜଗତରେ ଏହା ଅନ୍ୟଥା ନୋହିବ । ୨୦।

ହେ ସୁଜନମାନେ ଏହି ପରକାରେ ବୁଝ ଶୁଭାଶୁଭମାନ ।

ଶ୍ୟାମସୁନ୍ଦର କହଇ ଜାଣିଶୁଣି ଦୁଃଖ ନ କରିବ ହେ ମନ । ୨୧।

 

ଷଷ୍ଠ ଅଧ୍ୟାୟ

କାକ ଶଦ୍ଦ ଦ୍ଵାରା ଶୁଭାଶୁଭ ନିର୍ଣ୍ଣୟ

ସୂର୍ଯ୍ୟ ଉଦୟ ବେଳେ କାକ, ପୂର୍ବ ମୁଖ ଦେଲେ ଡାକ ।

ଯେଉଁସ୍ଥାନେ ବସି ରାବୁଥାଇ , ସେ ସ୍ଥଳରେ ଶତ୍ରୁ ନାଶ ଯାଇ ।୧।

ଶୁଣ ସାଧୁଜନେ ହୋଇ ଏକ ମନ ଖନାର ବଚନ ଯାହା ।

ମିହିର ଆଗରେ ଯାହା କି ଭାଷିଲେ ବୁଝାଇ କହିବା ତାହା ।୨।

କାକ ଶବଦରେ ପ୍ରହର ଭେଦରେ ଦିଗମାନଙ୍କର ଜାଣ ।

ଶୁଭାଶୁଭ ଫଳ ବୁଝିବ ଚଞ୍ଚଳ ଶ୍ୟାମ କହେ ନୁହେଁ ଆନ ।୩।

ସୂର୍ଯ୍ୟ ଉଦୟ କାଳରେ ଯେବେ କାକ ପୂର୍ବ ଦିଗେ ରାବେ ବସି ।

ପୂର୍ବ ମୁଖ ହୋଇ ଯେବେ ରାବ ଦେଇ ଅବଶ୍ୟ ଶୁଭ ପ୍ରକାଶି ।୪।

ଶତ୍ରୁ ନାଶ ହୁଏ ଯଶମାନ ପାଏ ସେ ସ୍ଥାନର ଅଧିକାରୀ ।

ଏମନ୍ତ ବୁଝିବ ଶୁଭ ଅଶୁଭକୁ କାକ ରାବକୁ ବିଚାରି ।୫।

ପ୍ରଭାତକାଳରେ ଅଗ୍ନିକୋଣେ କାକ ରାବିଲେ ମିଷ୍ଟସ୍ଵନେ ।

ପ୍ରଳୟ- ସମରେ ମିଳେ ଯ, ଅବଶ୍ୟ ହୁଏ ଶତ୍ରୁ ନାଶ ।୬।

ପ୍ରଭାତ କାଳରେ ଅତି ମିଷ୍ଟସ୍ଵରେ ଅଗ୍ନି କୋଣେ କଲେ ରାବ ।

ମହା ସମରରେ ପ୍ରବେଶ ହୋଇଲେ ହେବ ଯଶମାନ ଲାଭ ।୭।

ଶତ୍ରୁ ନାଶଯାଏ ବ୍ୟାଧି ଘୁଞ୍ଚିଯାଏ ଭାଗ୍ୟରେ ଶୁଭ ଫଳଇ ।

ଖନା ବାକ୍ୟ ଆନ ନୁହଇ ଜାଣିବ ଚିତ୍ତବୃତ୍ତି ଆଦି ଦେଇ । ୨।

ପ୍ରଭାତେ ଦକ୍ଷିଣ ଦିଗେ ବସି, କାକ ଯେବେ କର୍କଶେ ଭାଷି ।

ରୋଗ ଶୋକ ହୁଅଇ ଜାତ, ଖନା କହେ ବୁଝ ତଥ୍ୟ ।

ମିଷ୍ଟରବେ ମିଳେ ଧନ, ଦ୍ରବ୍ୟଲାଭ ଯଶମାନ

ବଇରୀ ଧ୍ଵଂସ ସୁନିଶ୍ଚିତ , ମାତ୍ର ମିଳନ ନାମ ଖ୍ୟାତ ।

ଦେଖି ବୁଝିଲେ ଫଳାଫଳ , ଜାଣି ପାରିବ ତିନି କାଳ ।୩।

ଦକ୍ଷିଣ ଦିଗରେ ପ୍ରଭାତ କାଳରେ କାକ ଯେବେ କର୍କଶରେ ।

ରାବ କରୁଥିଲେ ଜାଣିବ ତତ୍କାଳେ ରୋଗ ଶୋକ ଆଦି ମିଳେ ।

ଯେବେ ମିଷ୍ଟରାବ କରୁଥିବ ତହିଁ ମିଳଇ ବହୁତ ଧନ ।

ନାନା ଦ୍ରବ୍ୟଲାଭ ନିକର ଜାଣିବ ଆବର ଯଶ ସମ୍ମାନ ।

ଶତ୍ରୁନାଶ ଆଦି ହୋଇବ ପ୍ରସିଦ୍ଧି ମିତ୍ରସଙ୍ଗ ପରାପତ ।

ଖନା ବୋଲେ ଏହିପରି ବୁଝିନେଲେ ଜାଣିବ ତ୍ରିକାଳ ତତ୍ତ୍ଵ ।୩।

ନୈରୁତେ ବସି ରାବେ କାକ , ପ୍ରଭାତ ବେଳେ ଯେବେ ଦେଖ ।

ନିନ୍ଦିତ କଥା ତେବେ ଆସି, ଜଣାଏ ଦୂତ ପରଦେଶୀ ।

କାର୍ଯ୍ୟରେ ହୁଏ ସମଫଳ, ମନେ ରଖିବା ଚିରକାଳ ।୪।

ପ୍ରଭାତକାଳରେ ନୈର୍ଋତକୋଣରେ ରାବିଲେ କାକ ଯତନେ ,

କଉଣସି ଜନ କରି ଆଗମନ କହେ କିଛି ସମାଚାର ।

ଖନା କହେ କାର୍ଯ୍ୟେ ସମଫଳ ହୁଏ, ଜାଣିଥାଅ ଚିରକାଳ ।୫।

ପଶ୍ଚିମରେ ପ୍ରଭାତେ କଲେ ରାବ, ନିକଟରେ ବୃଷ୍ଟି ହେବ ।

କ୍ଷେତ୍ର ବସ୍ତ୍ର ନାରୀ ଲାଭ ,କର୍ମେ ଘଟଇ ନାନା ଶୁଭ ।

କୌଣସି ବ୍ୟକ୍ତି ଆସି ପାଶେ , ଶୁଭ ସମାଚାର ଭାଷେ ।

କେବଳ ନାରୀ ସଙ୍ଗେ ଜାଣ , କଲହ ହେବ ଘନଘନ ।

ପଶ୍ଚିମ ଦିଗରେ ପ୍ରଭାତ କାଳରେ କାକ ଯେବେ ରାବୁଥାଇ

ଅତିଶୀଘ୍ର ବୃଷ୍ଟି ହୋଇବ ଜାଣିଥା ଚିତ୍ତେ ସଂଶୟ ନ ବହି ।

କ୍ଷେତ୍ର ବସ୍ତ୍ର ନାରୀ ଲାଭଟି ନିଶ୍ଚୟ କାର୍ଯ୍ୟ ହୁଏ ବହୁ ଶୁଭ,

କେବଳ ନାରୀ ସଙ୍ଗରେ କଳହଟି ଜାଣିବ ନ ବହି କ୍ଷୋଭ ।

ବିଦେଶରୁ ଯେଉଁ ବ୍ୟକ୍ତି ଆସି ପାଶେ କହଇ କୁଶଳ କଥା,

ଖନା ବୋଲେ ଏହା ଜାଣିଣ ମନରେ ତଳକୁ ନ କର ମଥା ।୫।

ପ୍ରଭାତ କାଳେ ବାୟବ୍ୟରେ , କାକ ରାବିଲେ ମିଷ୍ଟସ୍ଵରେ ।

ଯାନବାହନ ଲାଭ ହୁଏ, ଭୋଜନ ସୁଖ ଜନମାଏ ।

ପଥିକ ବ୍ୟକ୍ତି ପଥେ ଆସେ, ବସନ ମିଳଇ ବିଶେଷେ ।

ପୁରୁଣା ବୃତ୍ତି କରି ନାଶ, ଗମନ ହୁଏ ପରବାସ ।୬।

ପ୍ରଭାତ ବେଳରେ ବାୟବ୍ୟ କୋଣରେ କାକ ରାବେ ଯଦି ବସି

ଯାନ ଲାଭ ହୋଇବଟି ଜାଣିଥାଅ ସର୍ବଜନେ ପରଶଂସି ।

ଉତ୍ତମ ଭୋଜନ ମିଳଇ ସେଦିନ ତହିଁରେ ଚିତ୍ତ ସନ୍ତୋଷ ।

କଉଣସି ବ୍ୟକ୍ତି କରି ଶୀଘ୍ର ଗତି ପାଶେ ହୁଏ ପରବେଶ ।

ବସନ ଭୂଷଣ ଲାଭ ହୁଏ ଜାଣ ପୁରୁଣା ବୃତ୍ତି ବିନାଶେ ।

ବିଦେଶକୁ ଯିବା ଯୋଗଟି ମିଳଇ ଖନା କହେ ଅବଶେଷେ ।୬।

ଉତ୍ତର ଦିଗରେ ପ୍ରଭାତରେ , କାକ ନିରେଖି ମାନବରେ ।

ରାବ କରିଲେ ଘନ ଘନ, ଜାଣିବ ଘୋର ଅପମାନ ।

ମହାକଷ୍ଟ ସର୍ପଭୟ, ଅବଶ୍ୟ ହେବ ଧନକ୍ଷୟ ।

ନଷ୍ଟ ପଦାର୍ଥ ମିଳେ ଶେଷେ, କାମନା ପୁରେ ଖନା ଭାଷେ ।୭।

ଉତ୍ତର ଦିଗରେ ପ୍ରଭାତ କାଳରେ ମାନବଙ୍କୁ ନିରେଖିଣ ।

କାକ ରାବେ ଯେବେ ସେହି ମାନବଙ୍କୁ ଅପମାନ ମିଳେ ପୁଣି ।

ଶରୀରରେ ମହାକଷ୍ଟ ହୁଏ ଜାତ ସର୍ପଭୟ ହୁଏ ପୁଣି ।

ଆଶାପୂର୍ଣ୍ଣ ନ ହୋଇଣ ଦିନମାନ ଯଶ ହୁଏ ହାନି ।

ପ୍ରଥମରେ ସବୁ କାର୍ଯ୍ୟରେ ନିଷ୍ଫଳ ଘଟଇ ଅଧିକେ ଜାଣ ।

ଶେଷକାଳେ ଶୁଭ ଫଳ ପରକାଳେ ଜାଣିବ ଏହା ପ୍ରମାଣ ।

ହଜିବା ପଦାର୍ଥ ହୁଅଇ ପ୍ରାପତ ନଷ୍ଟ ଧନ ପୁଣି ମିଳେ

କାମନା ପୁରଇ ବିଳମ୍ବରେ ଯାଇ ଖନା ଏହା ଡାକିବୋଲେ ।୮।

ଈଶାନ କୋଣେ ସୁଖେ ବସି, କାକ ରାବିଲେ ଚଞ୍ଚୁ ଘଷି ।

ରୋଗ ନାଶ କରିବା ପାଇଁ; ମ୍ଲେଚ୍ଛର ନାରୀ ଆସେ ଧାଇଁ ।

ପ୍ରିୟବସ୍ତୁ ମିଳଇ ପାଶେ, ବୁଝି ସତ୍ୟ ଖନା ଭାଷେ ।୯।

ଈଶାନ କୋଣରେ ପ୍ରଭାତେ ରାବିଲେ ନିଜ ଥଣ୍ଟକୁ ଘଷିଣ ।

ନିଜ ଶରୀରରୁ ବ୍ୟାଧି ନାଶ ହେତୁ ମ୍ଳେଚ୍ଛ ସ୍ତ୍ରୀ କରେ ଗମନ ।

ଅଭିଳାଷିତ ଦ୍ରବ୍ୟ ମିଳଇ ଜାର ତେଣୁ ମନେ ସୁଖ ଜାତ ।

ଅପ୍ରତେ ନକର ଖନା ବଚନକୁ ଅଟଇ ନିରାଟ ସତ୍ୟ ।୧୦।

 

ପ୍ରଥମ ପ୍ରହର ଫଳ

ଦିବସରେ ପ୍ରଥମ ପ୍ରହରେ ଯଦି ପୂର୍ବଦିଗେ

କାକ ରାବେ ଶୁଭଫଳ ମିଳେ ଅତି ବ୍ୟଗ୍ରେ,

ମନୋବାଞ୍ଛା ହୁଏ ପୂର୍ଣ୍ଣ ପ୍ରିୟବ୍ୟକ୍ତି ଆସେ,

ନଷ୍ଟଦ୍ରବ୍ୟ ବଳେ ବଳେ ମିଳୁଥାଇ ପାଶେ ।୧।

ପ୍ରଥମ ପ୍ରହର ଶୁଭାଶୁଭ ଫଳ ଶୁଣ ହେ ସୁବୁଦ୍ଧି ଜନ ।

ପୂର୍ବଦିଗେ କାକ ରାବିଲେ ନିଶ୍ଚୟ ମିଳିବ ବହୁତ ଧନ ।

ଅଭିଳାଷ ପୂର୍ଣ୍ଣ ହୁଅଇ ଅକସ୍ମାତେ ବୁଝ ଏହା ଖନା ଭାଷେ ।୧।

ଅଗ୍ନିକୋଣେ ଆଦ୍ୟ ପ୍ରହରେ ହୁଏ ଶତ୍ରୁ ନାଶ ।

ଦିବ୍ୟ ନାରୀ ବଳେ ଆସି ମିଳେ ନିଜ ପାଶ ।

ଦକ୍ଷିଣରେ ବହୁ ସୁଖ ଜାତ ଧନଲାଭ

ପ୍ରିୟବ୍ୟକ୍ତି ସଙ୍ଗ ଯୋଗ ମନେ ଭାବ ।୨।

ପ୍ରଥମ ପ୍ରହରେ ଅଗ୍ନି କୋଣଠାରେ କାକ ଯେବେ ରାବ କରେ ।

ସେ ସ୍ଥଳରେ ଶତ୍ରୁ ନାଶ ହେବ ବୋଲି ଭାବୁଥାଅ ଧୀରେ ।

ଉତ୍ତମା ସୁନ୍ଦରୀ ଯୁବତୀ ଆସିଣ ପାଶେ ହୁଏ ପରବେଶ ।

ଦକ୍ଷିଣ ଦିଗରେ ବସି ରାବୁଥିଲେ ସୁଖଲାଭ ଯେ ବିଶେଷ ।

ଆବର ବହୁତ ବିତ୍ତ ପ୍ରାପ୍ତି ହୁଏ ପ୍ରିୟ ବ୍ୟକ୍ତି ଆସି ମିଳେ ।

କର୍ମେ ଶୁଭଫଳ ହୁଅଇ ପ୍ରବଳ ଅଶୁଭ ନ ହୋଇ ତିଳେ ।

ମରଣ କାଳରେ ସ୍ଵାମୀଙ୍କ ଆଗରେ ଖନା ଏହା କହିଛନ୍ତି ।

ସୁଜ୍ଞଜନମାନେ ଅନ୍ୟମାନେ ନୋହି ଚିତ୍ତେ ଥାଅ ଚିନ୍ତି ।୨।

ନୈର୍ଋତରେ ରାବ ଦେଲେ ପ୍ରଥମ ପ୍ରହରେ,

ମିଷ୍ଟଦ୍ରବ୍ୟ ଭୋଜନରେ ଚିତ୍ତ ଶାନ୍ତିକରେ ।

ପ୍ରିୟତମା ନାରୀ ଲାଗି ପଶ୍ଚିମରେ ବୃଷ୍ଟି ।୩।

ଭାବିବା ପଦାର୍ଥ ଲାଭ ହୁଏ ସୁଖ ସୃଷ୍ଟି ।୪।

ନୈର୍ଋତ କୋଣରେ ପ୍ରଥମ ପ୍ରହରେ କାକ ଯେବେ ରାବେ ଜାଣ

ମିଷ୍ଟାନ୍ନ ଭୋଜନ ହୁଅଇ ସେଦିନ ଚିତ୍ତେ ସନ୍ତୋଷ ପ୍ରମାଣ ।।

ପ୍ରିୟତମା ନାରୀ ପାଶେ ଆସି ମିଳି ତୋଷଇ ନିଜ ପ୍ରମାଣ ।

ପଶ୍ଚିମେ ରାବିଲେ ଭାବିବା ପଦାର୍ଥ ପ୍ରାପ୍ତ ହୁଏ ତତ୍‌କ୍ଷଣ ।।

ସୁଖର ସୀମା ବୃଦ୍ଧି ହୁଅଇ ଜାଣ ଦୁଃଖ ହଟଇ ନିକଟେ ।

ଖନାର ବଚନ ସତ୍ୟ ତେଣୁ ଜାଣ ସଂସାରେ ପ୍ରକଟେ ।୩-୪।

ବାୟୁ କୋଣେ ରାବ କଲେ ଭୂମି କ୍ଷେତ୍ର ପ୍ରାସାଦ ଲାଭ ହୁଅଇ ।

ପଥିକ ଜନ ସଙ୍ଗେ ଭେଟ ହୁଅଇ ସେହିଦିନ ଜାଣ ଭାଇ

ସୁଖ ସନ୍ତୋଷର ରଜନୀ ବାସରେ ମଜ୍ଜିଥାଇ ସେହି ପ୍ରାଣୀ ।

କୌଣସି ବାଧାବିଘ୍ନ କେଉଁ କାର୍ଯ୍ୟରେ ନ ଘଟଇ ଥାଅ ଜାଣି ।।

ଉତ୍ତର ଭାବେ ଜନ୍ମାଏ ଚୈାର ଶୋକ ସନ୍ତାପ ନିରନ୍ତର ।

ଶେଷେ ହୁଏ ଶୁଭଫଳ ମଙ୍ଗଳ ବାର୍ତ୍ତା କର୍ଣ୍ଣଗୋ ଚର ।୬।

ଉତ୍ତର ଦିଗରେ ପ୍ରଥମ ପ୍ରହରେ କାକ ରାବିଲେ ନିୟତ ।

ମାନବ ଶରୀର ଶୋକରେ ବ୍ୟାକୁଳ ହୁଅଇ ଅନବରତ ।।

ଆଦ୍ୟରେ ଅଶୁଭ ଶେଷେ ହୁଏ ଶୁଭ ବିଶେଷ ଭାବରେ ପୁଣ ।

ଶୁଭ ସମାଚାର ହୁଅଇ ଗୋଚର ବଢ଼େ ଯଶ ମାନ ଧନ ।୬।

ଈଶାନେ କାକ ରାବିଲେ ଘନେ, ମିଳନ କରଇ ପ୍ରିୟଜନେ ।

ଅଗ୍ନି ଭୟ ଉପୁଜଇ, ବହୁତ ଲୋକ ଆସନ୍ତି ଧାଇଁ ।

ଉର୍ଦ୍ଧ୍ଵସ୍ଥାନେ ରାବିଲେ ବସି , ମହାସୁଖ ପରକାଶି ।

କାର୍ଯ୍ୟସିଦ୍ଧି ବାଞ୍ଛାପୂର୍ଣ୍ଣ, ଖନା କହେ ନୁହଇ ଆନ ।୭।

ଈଶାନରେ ବସି ରାବିଲେ ଅନେକ ପ୍ରିୟବ୍ୟକ୍ତି ସଙ୍ଗ ମିଳେ ।

ଅଗ୍ନି ଭୟ ଜାଣ ଉପୁଜଇ ପୁଣ ଅଶୁଭ ଫଳଟି ଫଳେ ।

ଊର୍ଦ୍ଧ୍ଵସ୍ଥାନେ ବସି ଯେବେ ରାବକରି ଚିତ୍ତ ନ କରିବ ଭ୍ରାନ୍ତି ।

କାର୍ଯ୍ୟସିଦ୍ଧି ହେବ ବିତ୍ତହିଁ ମିଳିବ ମନୋବାଞ୍ଛା ହେବ ପୂର୍ଣ୍ଣ ।

ପ୍ରାଣୀଙ୍କ ହିତରେ ସ୍ଵାମୀଙ୍କ ଆଗରେ ଖନା କହିଛନ୍ତି ଜାଣ ।୫।

 

ଦ୍ଵିତୀୟ ପ୍ରହର ଫଳ

ଦିବସ ଦ୍ଵିତୀୟ ପ୍ରହରେ ଯେବେ, ରାବେ କାକ ପୂର୍ବଦିଗେ ।

ମନ ଚଞ୍ଚଳ ହୋଇ ଜାଣ, ପଥିକ ସଙ୍ଗେ ସୁମିଳନ ।୧।

ଦିବସ ଦ୍ଵିତୀୟ ପ୍ରହର ସମୟେ ପୂର୍ବେ କାକ ଯେବେ ଭାଷି ।

ମନଚଞ୍ଚଳ ହୁଅଇ ନିଶ୍ଚେ ଜାଣ ପ୍ରିୟଜନ ମିଳେ ଆସି ।୨।

ଅଥବା କୌଣସି ପଥିକ ପ୍ରବେଶ ମନ ଆନନ୍ଦରେ ଜାଣ ।

ଶୁଭ ସମାଚାର ପ୍ରବେଶ ନିକର ତେଣୁ ହରଷିତ ମନ ।୩।

ଅଗ୍ନି କୋଣେ କାକ ରାବିଲେ, ପ୍ରିୟ ବ୍ୟକ୍ତି ଆସି ମିଳେ ।

ନାରୀ ଲାଭ ଶୁଭ ସମ୍ବାଦ, ଭାଙ୍ଗେ ମୁଖ ସବୁ ବିଦାଦ ।୪।

ଅଗ୍ନିକୋଣଟାରେ ଦ୍ଵିତୀୟ ପ୍ରହରେ ରାବିଲେ ସୁ-ନାରୀ ମିଳେ

ବାଦ ବିବାଦାଦି ବିନାଶ ହୁଅଇ କର୍ମେ ମହାଶୁଭ ଫଳେ ।୫।

ପ୍ରିୟଜନେ ଆଗମନ କରେ ପୁଣ ଶୁଭ ସମ୍ବାଦ ମିଳଇ ।

ସବୁକାର୍ଯ୍ୟ ସିଦ୍ଧି ହୁଅଇ ପ୍ରସିଦ୍ଧି ସ୍ଵାମୀଙ୍କୁ ଖନା କହଇ ।୬।

ଦକ୍ଷିଣ ଦିଗରେ କାକ ବସି, ରାବିଲେ ଶୀଘ୍ରେ ଜଳ ବର୍ଷି ।

ମହାଭୟ ଚିତ୍ତେ ଜନ୍ମଇ, ଇଷ୍ଟଜନ ପାଶେ ଆସଇ ।୭।

ଦକ୍ଷିଣ ଦିଗରେ କାକ ସେ ରାବିଲେ ଜଳ ବରଷା ହୁଅଇ ।

ଚିତ୍ତେ ନାନା ଭୟ ଉପୁଜେ ନିଶ୍ଚୟ କେବେହେଁ ସ୍ଥିର ନୁହଇ ।୮।

ଈଷ୍ଟଜନ ସଙ୍ଗେ ପରାପତ ଜାଣ ସେହି ଦିବସରେ ପୁଣ ।

ଶୁଭାଶୁଭ ମିଶ୍ରଫଳ ହେବ ବୋଲି ବିଶାଦ ନକର ମନ ।୯।

ନୈର୍ଋ ଜୀବନେ ଭୟ ହୁଅଇ; ଦିବ୍ୟାନାରୀ ପାଶେ ମିଳଇ ।

ରୋଗନାଶେ ତତକାଳେ; ସୁଖାଦ୍ୟ ମିଳଇ ଅପାରେ ।୧୦।

ନୈର୍ଋତ ଦିଗରେ କାକ ବସି ଯେବେ ରାବେ ଦ୍ଵିପ୍ରହର ବେଳେ ।

ଆପଣା ଇଚ୍ଛାରେ ନିଜ ନିକଟରେ ଦିବ୍ୟ ନାରୀ ଆସି ମିଳେ ।୧୧।

ଶରୀରରୁ ରୋଗ ଘୁଞ୍ଚିଯାଏ ବେଗେ କେବଳ ଜୀବନ ଭୟ ।

ଉତ୍ତମ ଖାଦ୍ୟ ପଦାର୍ଥ ପରାପତ ହୁଏ ନକର ସଂଶୟ ।୧୨।

ପଶ୍ଚିମେ ମନ୍ଦଦୃଷ୍ଟି , ସକଳ କାର୍ଯ୍ୟ ଶୁଭ ଦୃଷ୍ଟି ।

ବଳେ ନାରୀ ପାଶେ ଖଟି, ଯଶ ଗୁଣ ଦେଶେ ରଟି ।୧୩।

ପଶ୍ଚିମେ ଦିଗରେ ଦ୍ଵିତୀୟ ପ୍ରହରେ ରାବିଲେ କାକ ବସିଣ ।

ମନ୍ଦ ମନ୍ଦ ବୃଷ୍ଟି ହୋଇବ ନିଶ୍ଚୟ ଏକଥା ଅଟେ ପ୍ରମାଣ ।୧୪।

ସକଳ କାର୍ଯ୍ୟରେ ଯଶ ପରାପତ ନାମ ଗୁଣ ଦେଶେ ଘୋଷି ।୧୫।

ସ୍ତିରୀ ଲାଭେ ଭକ୍ଷେ ମାଂସ, ମିଳେ ଧନ ମାନ ଯଶ ।

ବାୟୁ କୋଣେ ଚୌର ଭୟ, ଦୂତ ଆନେ ନାହିଁ ଲୟ ।୬।

ବାୟବ କୋଣରେ ଅତି ଉତ୍କଟରେ କାକ ଯେବେ ରାବଥାଇ ।

ଚୌରଭୟ ଏକା ଚିତ୍ତୁ ଭାଙ୍ଗେ ଦକା ଆଉ କିଛି ଭୟ ନାହିଁ ।

ଉତ୍ତମ କାମିନୀ ନିଜ ଆଜ୍ଞା ମାନି ନିକଟକୁ ଆସେ ଜାଣ ।

ମାଂସ ଆହାର ମିଳିଇ ସେହିଦିନ ଲାଭ ଯଶ ମାନ ଧନ ।

ଉତ୍ତରେ ରାବ ପ୍ରିୟ ଭାବ; ଯୁଦ୍ଧେ ଜୟ ଚୌର ଭୟ

ପ୍ରିୟ ବ୍ୟକ୍ତି କରେ ଗତି , ଦୁଃଖ ସୁକ ଦିନରାତି ।୭।

ଉତ୍ତର ଦିଗରେ ଦ୍ବିପ୍ରହର ବେଳେ କାକ ରାବ କଲେ ପୁଣ ।

ସର୍ବଜନ ପ୍ରିୟ କରାଇ ନିଶ୍ଚୟ ବିବାଦେ ଜୟ ପ୍ରମାଣ `।

ଚୌର ଭୟ ଏକା ହୁଅଇ ତଟକା ପ୍ରିୟ ବ୍ୟକ୍ତି ଆସେ ପାଶ ।

ସୁଖ ଦୁଃଖ ବେନି ଭାବରେ ରଜନୀ ଦିବସ ହୁଅଇ ଶେଷ ।

ଐଶାନ୍ୟେ କଠୋର ରାବକଲେ, ଅଗ୍ନିଭୟ ବୁଝିବ ଧୀରେ

ମିଷ୍ଟରବେ ସୁଖ ସମ୍ପଦ, ମିଳଇ ରାଜ୍ୟମାନ ପଦ ।୮।

ଐଶାନ୍ୟେ କଠୋର ରାବେ ଯଦି କାକ କରଇ ବେନି ପ୍ରହରେ ।

ଅଗ୍ନିଭୟ ନିଶ୍ଚେ ହୁଅଇ ଜାଣିବ ସାଧୁ ସୁବିବେକ ନରେ ।

ମିଷ୍ଟରାବ କଲେ ସୁଖ ଆଦି ମିଳେ ଆବର ରାଜସମ୍ମାନ ।

ଦ୍ଵିତୀୟ ପ୍ରହର କାକ ଶଦ୍ଦ ଫଳ ଖନା ବୋଲେ କହେ ଆନ ।୯।

 

ତୃତୀୟ ପ୍ରହର ଫଳ

ତୃତୀୟ ଯାମେ ପୂର୍ବ ଦିଗେ, କଠୋର ରାବ କରେ ଯେବେ ।

ଚୌର ଭୟ ହୁଏ ମିଷ୍ଟରବେ ସୁଖସମ୍ପତ୍ତି ।୧।

ତୃତୀୟ ପ୍ରହର ଫଳହିଁ କହିବା କାକରାବ ଶଦ୍ଦ କଥା ।

ପୂର୍ବଦିଗେ ବସି କଠୋର ରାବ କଲେ ନ ଟେକିବ ମଥା ।

ଚୌରଭୟ ହୁଏ ଧନ ନାଶ ଯାଏ ଯଶ ନ ମିଳଇ ।

ମିଷ୍ଟଭାବେ ରାବ କରିଲେ ମାନବ ଅଙ୍ଗୁ ବ୍ୟାଧି ନାଶ ଯାଇ ।

ରାଜତୁଲ୍ୟ ଜନ କରେ ଆଗମନ ଆପଣା ନିକଟେ ପୁଣି ।

ସବୁକାର୍ଯ୍ୟେ ଜୟ ହୋଇବ ନିଶ୍ଚୟ ଆଗରୁ ଥାଅ ୟା ଜାଣି ।୧।

ଅଗ୍ନିକୋଣେ ତିନି ପ୍ରହରେ , କାକ ରାବିଲେ ମିଷ୍ଟସ୍ଵରେ ।

କାର୍ଯ୍ୟ ଯଶ ସମାଚାର, ପ୍ରବେଶ ହେବ ତତକାଳ ।।

କର୍କଶ ଭାଷେ ମହାଦୁଃଖ, ତିଳେମାତ୍ର ନାହିଁ ସୁଖ ।

ବିବାହ ସମ୍ବାଦ ମିଳେ ଆସି, କାର୍ଯ୍ୟ ନାଶ ଖନା ଭାଷି ।୨।

ଅଗ୍ନିକୋଣେ ବସି ତୃତୀୟ ପ୍ରହରେ, ଯେବେ କାକ ମିଷ୍ଟେ ଭାଷେ ।

ସକଳ କାର୍ଯ୍ୟରେ ଯଶ ପରାପତ ଜାଣିଥାଅ ଅବଶେଷେ ।

ଶୁଭକାର୍ଯ୍ୟେ ସମାଚାର ମିଳେ ବଳେ ମିଷ୍ଟରାବ ଦେଲେ ଜାଣ ।

କର୍କଶ ସ୍ଵରରେ ଦୁଃଖଫଳ ଫଳେ ତିଳେ ସୁଖ ନାହିଁ ପୁଣ ।

ବିବାଦ ଖବର ହୁଅଇ ଗୋଚର କାର୍ଯ୍ୟ ନାଶ ଯଶହାନି ।

ଖନା କହେ ସତ୍ୟ ମିଥ୍ୟା ବୁଝ ଦେଖି ଅଲେ ସୁଜନ ସୁଜ୍ଞାନୀ ।୨।

ଦକ୍ଷିଣ ଦିଗେ କଲେ ସ୍ୱର, ପୀଡା ଶୀଘ୍ର ଜନ୍ମେ ଶରୀର ।

ମହତ ଜନର ଦରଶନ, ଅଳ୍ପ କାର୍ଯ୍ୟେ ସିଦ୍ଧି ଜାଣ ।୩।

କାକ ବସି ଯେବେ ଦକ୍ଷିଣ ଦିଗରେ ତିନି ପ୍ରହର ସମୟେ ।

ସ୍ଵର କଲେ ଜ୍ଵର ହୁଅଇ ଶରୀର ବହୁତ ଦିବସ ଯାଏ ।

ମହତ ଜନର ହୁଏ ଦରଶନ କାର୍ଯ୍ୟସିଦ୍ଧି ସାମାନ୍ୟରେ ।

ମନ ବ୍ୟଥା ଘଟେ ନିନ୍ଦା ଭାଷା ରଟେ ସୁଖ ନ ମିଳେ ତହିଁରେ ।୩।

ନୈର୍ଋତେ ମେଘ ବୃଷ୍ଟି କରଇ, ସେଦିନ ମିଷ୍ଟାନ୍ନ ପ୍ରାପ୍ତ ହୋଇ ।

ଶତ୍ରୁ ନାଶ ଶୁଦ୍ର ଆସଇ, ବିପକ୍ଷ ସମ୍ବାଦ ପାଶେ ମିଳଇ ।

ଯାତ୍ରା କଲେ ହେବ ନାଶ, ମନ ମଧ୍ୟେ ଏହା ଘୋଷ ।୪।

ନୈର୍ଋତକୋଣରେ ରାବିଲେ ସେ ବେଳେ ଭରଷା ହୁଅଇ ଜାଣ ।

ମିଷ୍ଟାନ୍ନ ଭୋଜନ ହୁଏ ସେହିଦିନ ବଇରୀ ଧ୍ଵଂସ ପ୍ରମାଣ ।।

କଉଣସି ଶୂଦ୍ର ବ୍ୟକ୍ତି କରେ ଗତି ମନ୍ଦ ସମାଚାର ମିଳେ ।

ଯାତ୍ରା ନ କରିବ ସାବଧାନେ ହେବ ସ୍ଵାମୀକୁ ଖନା ୟା ବୋଲେ ।

ପଶ୍ଚିମେ ରାମେ ମିଷ୍ଟ ସ୍ଵରେ, ନଷ୍ଟ ଧନ ଗୃହେ ଫେରେ।

ବିଦେଶ ଗମନ ନିଶ୍ଚେ ହୋଇ, ବନ୍ଧୁ ଦରଶନ ପାଇଁ ।

ବଳ ନ ଆସେ ନିକଟରେ, ଧନ ଲାଭ ଯଶ ବିସ୍ତାରେ ।୫।

ପଶ୍ଚିମ ଦିଗରେ ତୃତୀୟ ପ୍ରହରେ କାକ କଲେ ମିଷ୍ଟରାବ ।

ହଜିବା ପଦାର୍ଥ ହେବ ପରାପତ ବନ୍ଧୁ ଦରଶନ ଭାବ ।।

ବିଦେଶେ ଗମନ ଘଟିବ ପ୍ରମାଣ ନିଶ୍ଚେ ହେବ ଧନ ଲାଭ ।

ବଳବାନ୍ ବ୍ୟକ୍ତି ନିକଟକୁ ଆସି ଭାଷିବ ଯଶ ପ୍ରସ୍ତାବ ।

ଧନ ମାନ ଯଶ ଲାଭ ସୁହରସ ଚିତ୍ତରେ ଲଭିବ ଶାନ୍ତି ।

କର୍କଶ ସ୍ଵରରେ ମନ୍ଦଫଳେ ମନେ ଥାଅ ଏହାଚିନ୍ତି ।୬।

ବାୟୁ କୋଣେ ରାବିଲେ କାକ, ତିନି ପ୍ରହରଠାରେ ଦେଖ ।

ଦୁଃଖ ଦୁର୍ଦ୍ଦିନ ହୁଏ ଉପସ୍ଥିତ ,ଚୌର ଭୟ ସୁନିଶ୍ଚିତ ।

ଦିବ୍ୟ ନାରୀ ସଙ୍ଗେ ମିଳନ , ବିଦେଶଯାତ୍ରା ଶୁଭ ସମ୍ମାନ ।

ମିଷ୍ଟରବର ଫଳ ଏସନ୍ତ, ଖନା କହେ ନୁହଇ ଆନ ।

ବାୟୁକୋଣେ ବସି ତୃତୀୟ ପ୍ରହରେ କାକ ଯେବେ ରାବେ ଘନେ ।

ଅତ୍ୟନ୍ତ ଦୁର୍ଦ୍ଦିନ ପ୍ରବେଶ ହୁଅଇ ଭୟ ଉପୁଜଇ ମନେ ।।

ଅଳ୍ପ ଚୌରଭୟେ ହୁଅଇ ନିଶ୍ଚ ମିଷ୍ଟରବ କରେ ଯେବେ ।

ଦିବ୍ୟ ନାରୀ ସଙ୍ଗେ ମିଳନ ହୁଅଇ ବିଦେଶ ଗମନ ଲଭେ ।।

ଶୁଭଫଳ ଫଳେ ସକଳ କର୍ମରେ ବଢ଼େ ଧନ ମାନ ଯଶ ।

ପରୀକ୍ଷା କରିଣ ବୁଝ ନିଜ ମନେ ଆନ ନୁହେଁ ଖନା ଭାଷ ।୬।

ଉତ୍ତର ତିନିପ୍ରହର ବେଳେ, କାକ ରାବିଲେ ମିଷ୍ଟସ୍ଵରେ ।

ରାଜସେବା ମିଳଇ ଆଗ, କାର୍ଯ୍ୟଦ୍ଵାରା ଧନ ଲାଭ ।

ସୁସମ୍ବାଦ ମିଳେ ଆସି, ବେଶ୍ୟା ସମ ଗମ ଯଶରାଶି ।

ଯାତ୍ରା କଲେ ଶୁଭ ହୁଏ; ବୁଝି ଦେଖ ଖନା କହେ ।୭।

ଉତ୍ତର ଦିଗରେ ସେତିକି ବେଳରେ ମିଷ୍ଟସ୍ୱର ରାବ କଲେ ।

ରାଜ ସେବା ଦ୍ୱାରା ଧାନ ଲାଭ ହୁଏ ପୁଣି ଶୁଭ ବାର୍ତ୍ତା ମିଳେ ।।

ବେଶ୍ୟା ସଂଗେ ନାନା ହାସ୍ୟ ପରିହାସ ଘଟିବ ବୋଲି ଜାଣିବ ।

ଯାତ୍ରା କଲେ ଯଶ ଶୁଭ ପରକାଶ ଖନା କହେ ନିଶ୍ଚେ ହେବ ।୮।

ଈଶାନ କୋଣେ ରାବଇ ଯଦି, ଦେହରୁ ଯାଏ ସର୍ବ ବ୍ୟାଧି ।

କାର୍ଯ୍ୟ ଯଶ ଲାଭ ହୁଏ, ମିଷ୍ଟରବେ ଏହା ବୁଝାଏ ।

କର୍କଶ ସ୍ଵରେ ଅପଯଶ, ସକଳ କାର୍ଯ୍ୟ ହୁଏ ନାଶ ।

ଉର୍ଦ୍ଧ୍ଵେ ବସି ରାବେ ଯେବେ, ତାମ୍ବୁଳ ଭୋଜନ ଲାଭ ତେବେ ।

ଈଶାନ କୋଣରେ ସୁମିଷ୍ଟ ସ୍ଵରରେ କାକ ଯେବେ ରାବୁଥିବ ।

ଶରୀରରୁ ସବୁ ବ୍ୟାଧି ନାଶ ହେବା କଥାକୁ ଆଗେ ଜାଣିବ ।

ସକଳ କାର୍ଯ୍ୟରେ ଶୁଭଫଳ ଫଳେ ଚିତ୍ତ ହୁଏ ହରଷିତ ।

କର୍କଶରେ ରାବକଲେ ଅପଯଶ କାର୍ଯ୍ୟନାଶ ସୁନିଶ୍ଚିତ ।

ଉର୍ଦ୍ଧ୍ଵସ୍ଥାନେ ବସି ଯେବେ ମିଷ୍ଟଭାଷୀ ତାମ୍ବୁଳ ଲାଭ ହୁଅଇ ।

ତୃତୀୟ ପ୍ରହର କାକ ଶଦ୍ଦ ଫଳ ଏମନ୍ତ ବୁଝିବ ଭାଇ ।

 

ଚତୁର୍ଥ ପ୍ରହର ଫଳ

ଚାରି ପ୍ରହରଠାରେ କାକ, ପୂର୍ବଦିଗରେ ମକ ମକ ।।

ଦେହପୀଡ଼ା ମହା ଭୟ, ରାଜପୂଜା ଧନ କ୍ଷୟ ।।

ଅଗ୍ନି କୋଣେ ଭୟ ବୃଦ୍ଧି , ଦେହେ ହୁଏ ନାନା ବ୍ୟାଧି ।

ଶିଷ୍ଟଜନ ଆସେ ପାଶେ, ମରଣ ଘଟେ ଖନା ଭାଷେ ।୧।

ଚତୁର୍ଥ ପ୍ରହର ବେଳରେ ନିକର କାକ ରାବିଲେ ପୂର୍ବରେ ।

ଶରୀରରେ କ୍ଳେଶ ଜନ୍ମିବ ଅବଶ୍ୟ ଭୟ ଉପୁଜେ ଚିତ୍ତରେ ।।

ଆବର ଧନକ୍ଷୟ ହୁଅଇ ଜାଣ ଅଳପେ ଶୁଭ ପ୍ରକାଶେ ।

ରାଜସମ୍ମାନ ମିଳଇଟି କେବଳ ମନ୍ଦଫଳ ଅବଶେଷେ ।

ଅଗ୍ନିକୋଣେ ରାବ କଲେ ମହାଭୟ ପୁଣି ଦେହପୀଡ଼ା ହୁଏ ।

ସଜ୍ଜନ ବ୍ୟକ୍ତି କରିଣ ଆଗମନ ଧର୍ମ ଉପଦେଶ ଦିଏ ।୧।୨।

ଦକ୍ଷିଣେ କରି ଅବସ୍ଥିତି, କାକ ରାବେ କର୍କଶ ଅତି ।

ଶତ୍ରୁ ଭୟ ଚୌର ଭୟ, ମହତ ଜନ ଆସେ ନିଶ୍ଚୟ ।

ନୈର୍ଋତ ଧନ ଯଶ୍ୟମାନ, ବାଞ୍ଛିତ ବସ୍ତୁଲାଭ ପୁଣ ।

ପଥମରେ ଚୌର ସଙ୍ଗେ, ଯୁଦ୍ଧ ହୁଏ ନାନା ରଙ୍ଗେ ।୩।୪।

ଦକ୍ଷିଣ ଚତୁର୍ଥ ପ୍ରହରରେ ଯେବେ କର୍କଶେ ରାବିବ ।

ଜାଣିବ ନିଶ୍ଚୟ ଶତ୍ରୁ ଭୟ ହେବ ଧନ ଚୌର ବହି ନେବ ।

ମହତ ଜନ ଏକା କେବଳ ନିଜ ନିକଟରେ ପରବେଶ ।

ନୈର୍ଋତେ ରାବିଲେ ଧନ ଯଶମାନ ଆସି ମିଳିବ ବିଶେଷ ।

ବାଞ୍ଛିତ ପଦାର୍ଥ ହୁଅଇ ପ୍ରାପତ ପୁଣି ଏକ କଥାଶୁଣ ।

ପଥ ମଧ୍ୟେ ଚୋର ସଙ୍ଗେ ଧରାଧରି ହୋଇବ ସେଦିନ ଜାଣ ।୩।୪।

ଚତୁର୍ଥେ ବାୟସ ପଶ୍ଚିମଦିଗେ, ରାବ କରେ ମିଷ୍ଟସ୍ଵରରେ ଯେବେ ।

ବ୍ରାହ୍ମଣ ନାରୀ ମିଳଇ ପାଶେ, ଅର୍ଥଲାଭ ଅବଶେଷେ ।

ରାଜ ସଉଧ ଲାଭ ଯୋଗ, ଯୁଦ୍ଧେ ଯଶଫଳ ଭୋଗ ।

ବୃଷ୍ଟି ହୁଏ ସେହି ଦିବସ, ଖନା ବୋଲେ ଦେଖ ଅବଶ୍ୟ ।୩।୫।

କୌଣସି ବ୍ରାହ୍ମଣ ପାଶେ ଆସେ ଜାଣ ଧନ ମିଳଇ ବ୍ୟଗ୍ରରେ ।

ଯେକ୍ଷେତ୍ରେ ଭୂମି ରାଜପ୍ରସାଦ ପ୍ରାପତ ହୁଅଇ ଶୁଭ ଯୋଗରେ ।

ଯୁଦ୍ଧେ ଯଶ ଲାଭ ବୋଲିଣ ଜାଣିବ ସ୍ନେହେ ବନ୍ଧନ ସକଳେ ।

ସୁଦିବ୍ୟ କାମିନୀ ରହେ ଆଜ୍ଞା ମାନି ବୃଷ୍ଟି ହୁଏ ସେହିଦିନ ।

ଖନା କହେ ଯେବେ ହେତୁ ରଖିଥିବ ବୁଝିବ ଏ ଫଳମାନ ।

ଚାରି ପ୍ରହରେ ବାୟବ୍ୟରେ, କାକ ରାବିଲେ ସମୟରେ ।

ସାତ ଦିବସ ମଧ୍ୟେ ଜାଣ, ଘଟଇ ବିଦେଶ ଗମନ ।

ପୁଣି ପ୍ରତ୍ୟାଗମନ କରେ, ପ୍ରବେଶେ ଆପଣା ଗୃହରେ ।

ପ୍ରିୟତମା ସ୍ତ୍ରୀ ପାଶେ ଆସି, ସୁମଧୁରରେ ବାକ୍ୟ ଭାଷି ।୬।

ବାୟବ୍ୟରେ କାକ ରାବ କରେ ଯେବେ ଚତୁର୍ଥ ପ୍ରହରେ ବସି ।

ସାତଦିନ ମଧ୍ୟେ ବିଦେଶ ଗମିଣ ଅତିଶୀଘ୍ର ଫେରିଆସି ।।

କାର୍ଯ୍ୟ ଧନହାନୀ ବିଦେଶେ ହେବାରୁ ଗୃହେ କରନ୍ତେ ଗମନ ।

ଦିବ୍ୟନାରୀ ଅଙ୍ଗେ ମିଳନ ହୁଅଇ ଏହା ନ ବୁଝିବ ଆନ ।।

ଉତ୍ତରେ କାକ ରାବଇ ଯେବେ, ପଥିକ ବ୍ୟକ୍ତି ଆସଇ ତେବେ ।

ତାମ୍ବୁଳ ମିଳେ ବିଶେଷ ହୋଇ, ବୈଶ୍ୟ ଠାରୁ ଧନ ପାଇ ।

ଯାତ୍ରା କଲେ ହୁଏ କ୍ଳେଶ, ପ୍ରାଣପୀଡ଼ା ଧନ ନାଶ ।

ଖନା କହେ ବୁଝ ଧୀରେ, ମିଥ୍ୟାନୁହେଁ କେଉଁ କାଳେ ।୬।

ଉତ୍ତରରେ କାକ ସେବେଳେ ରାବିଲେ ପଥିକ ଜନ ଆସଇ ।

ବୈଶ୍ୟଠାରୁ ବିତ୍ତ ହୁଏ ପରାପତ ତାମ୍ବୁଳ ବିଶେଷ ପାଇ ।

ଯାତ୍ରା କଲେ କ୍ଲେଶ ଲଭିବଶ୍ୟ ଶରୀରରେ ପୀଡ଼ା ହୁଏ ।

ନିଶ୍ଚେ ଧନବ୍ୟୟ ନକର ସଂଶୟ ଖନା ଏହାଡ଼ାକି କହେ ।

ଈଶାନ କୋଣେ ଶୁଭଯୋଗ, ଦେହରୁ ହଟେ ନାନା ରୋଗ ।

ବଳେ ସୁଖ କରିବ ଭୋଗ, କର୍ମେ ନ ଥିଲେ ଅନ୍ୟକୁ ମାଗ ।

ଯାଚିଲେ ନାହି                  ମାଗିଲେ ଦେଇ,

ଖନା ବୋଲେ ଫଳ ବୁଝହେ ଭାଇ ।୭।

ଚତୁର୍ଥ ପ୍ରହରେ ଈଶାନ କୋଣରେ କାକ ରାବିଲେ ଯତନେ ।

ଶରୀରରୁ ସବୁ ବ୍ୟାଧି ନାଶ ହେବ ଜାଣିରଖ ନିଜ ମନେ ।

ଶୁଭଫଳ ଭୋଗ ଅଛି ନିଶ୍ଚେ ଯୋଗ ନେତ୍ରେ ଦୃଶ୍ୟ ନ ହୋଇଲେ ।

ଅନ୍ୟ ଲୋକଠାରୁ ଉପଦେଶ ପାଇ ସୁଖ ଭୁଞ୍ଜ ଅବହେଳେ ।।

କୌଣସି ଲୋକକୁ ଧନ ଯାଚୁଥିଲେ ନ ନିଅଇ କଦାଚିତେ ।

ନିଜେ ଯାହାକୁ ଯେଉଁ ଦ୍ରବ୍ୟ ମାଗିବ ସେ ମିଳିବ ଅକସ୍ମାତେ ।

ଏସନ ଲକ୍ଷଣ ବୁଝିବ ପ୍ରମାଣ କାକ ଶଦ୍ଦରୁ ବିଚାରି ।

ଖନା ବାକ୍ୟ ଆନ ନୁହେଁ କେତେବେଳେ ବୁଝୁଥିବ ହେତୁକରି ।

କାକରାବ ଫଳ ପ୍ରହର ବିଚାର ଷଷ୍ଠ ଅଧ୍ୟାୟରେ ଶେଷ

ଏ ଖନାବଚନ ନୁହେଁ କେବେ ଆନ ମନରେ ହୃଦୟ ଘୋଷ ।

ସକଳ ଜନଙ୍କ ଉପକାର ହେବ ପ୍ରଚାର ହୋଇଲେ ଦେଶେ ।

ଖନା ମନୋହର ସ୍ଵାମୀ ଭାବି ମଧୁସୂଦନ ରଚିଲେ ରସେ ।୧୩।

ପରିଶିଷ୍ଟ

 

ଡାକ ବଚନ

ରବି ଦଶଘଡ଼ି ସୋମ ଚଉଠା, ବାର ମଙ୍ଗଳ ପଣ୍ଡିତ ଷଷ୍ଠା ।

ଗୁରୁ ଚଉଦ ମନ୍ତ୍ରୀ ଆଠ, ଆଦ୍ୟେ ପ୍ରାନ୍ତେ ଶନିର ଘାତ ।୧।

ଧୂଳିଆ ଗୁଣ୍ଡିଚା କାଦୁଅ ଗହ୍ମା

ଡ଼ାକ ବୋଲେ ଧାନ ହାଟକୁ ନେବା ।୨।

ହସି ପଶେ, ଉଇଁ ନ ଦିଶେ,

ସଜ ଗୋବରରେ ଅଂଶେଇ ବସେ,

ଡ଼ାକ ବୋଲେ ପୁତା ନିଶ୍ଚେ ବରଷେ ।୩।

ବାପ ସ୍ଥାବର ପୁମ ମୂରୁଖ, ଡ଼ାକ କହଇ ଏ ବଡ଼ ଦୁଃଖ ।୪।

ପାଣି ଢ଼ାଳିଦେଇ ପାଣିକି ଯାଏ,

ପର ପୁରୁଷକୁ ଆଡ଼େଇ ଚାହେଁ ।

ସାହି ସାହି ବୁଲେ ଗୀତ ଗାଇ

ଡ଼ାକ ବୋଲେ କିଏ ତାକୁ ରଖଇ ।୫।

ଚୈତ୍ରରେ ଗୋଟେ ବୈଶାଖରେ ମୁଠେ,

ଜ୍ୟେଷ୍ଠରେ ଦ୍ଵାରେ, ଆଷାଢ଼ରେ ଭାରେ,

ଚଷା ଭାଇରେ ଚଷା ଭାଇ, ମଲ୍ଲୀଗଛ ଲଗା ତୁହି ।୬।

ଶ୍ରାବଣ ମାସରେ କୃଷ୍ଣ ଚଉଠି, ଚାରିଦିଗୁଁ ଯେବେ ମେଘ ନ ଉଠି

ପୂର୍ବ ପଶ୍ଚିମେ ବହେ ବାଆ

ଡ଼ାକ ବୋଲେ ପୁତା ଦେଶାନ୍ତର ଯାଆ ।୭।

ଧର୍ମକୁ ଡ଼ରି ଅଧର୍ମ କରେ, ପରନାରୀ ପରଧନକୁ ହରେ,

ବିତ୍ତ ଥାଇ ପଶା ଜୁଆ ଖେଳେ

କାକ କେହ ୟାଙ୍କୁ ତେଜ ତତ୍କାଳେ ।୮।

ସ୍ଵର୍ଣ୍ଣଭୂମି କନ୍ୟାଦାନ, ଡ଼ାକବୋଲେ ସ୍ଵର୍ଗେ ସ୍ଥାନ ।୯।

ଉଭା ମୁଠି, ଆଡ଼ ଦ୍ଵିମୁଠି, କୁଆରୀ ମଝିରେ ପୋତିବୁ କାଠି ।

ବିଲରେ ରଖିବୁ ପାଣି ସମାନ, ପର୍ବତ ଶିଖରେ ବୁଣିବୁ ଧାନ,

ତହିଁରେ ଯେବେକି ନୋହିବ ଧାନ,

ତେବେ କାଟିବୁଟି ଡ଼ାକର କାନ ।୧୦।

ଖାଲିଆ ବୋଲେ ପାଟଳିରେ ଦେଖ ମୋର ଚାଲି,

ତୁଉ ମୁଉଁ ଦୁହେଁ ଏକାଠି ହେଲେ ଗୋସାଇଁ ଖାଇବା କାଲି ।୧୧।

‘ନ’ ଦାନ୍ତିଆ, ଛ’ ଦାନ୍ତିଆ ଭାଗ୍ୟେ ଥିଲେ ପାଇ

ସାତ ଦାନ୍ତିଆ ଆଠ ଦାନ୍ତିଆ ଗୋସେଇଁ ଥିଲେ ଖାଇ ।୧୨।

ଜାଣ ନ ଜାଣ ଝୁମ୍ପୁଡ଼ି ଆଣ, ଖାଡ଼ିଆ ଶିଙ୍ଗା ସବୁଠୁ ଟାଣ ।

କୁଣ୍ଡଳୀ ଶିଙ୍ଗା ଦେଖିବୁ ଯେବେ, ଅଣ୍ଟାରୁ ପଇସା କାଢ଼ିବୁ ତେବେ

ଆଣିଥିବୁ ମୂଳା ଶିଙ୍ଗାକୁ ରସି, କାନ୍ଦୁଥିବୁ ହିଡ଼ମୁଣ୍ଡରେ ବସି ।

ଯେବେ ଦେଖିବୁ ଟାଙ୍କୁ ଲାଞ୍ଜୁଆ, କାଢ଼ିବୁ ଯେବେ ଟଙ୍କା ଗାଞ୍ଜିଆ

ଶିଙ୍ଗ ସରୁଆ ଲାଙ୍ଗୁଡ଼ ମୋଟା, ମାଗଣା ଦେଲେ ନ ଆଣିବୁ ବେଟା

ଅନାବନା କରି ଚଷ, ମଇ ନିକ କରି ଘଷ ।୧୪।

ଦୁଧର ବାଛୁରୀ ପାଣିର ଧାନ, ନୋହିଲେ କାଟିବୁ ଡ଼ାକର କାନ ।

ପୂର୍ବେ ରୌଦ୍ରାବଳି ପଶ୍ଚିମେ ଲୋହି,

କାକ ବୋଲେ ପୁତ ନିଶ୍ଚେ ଧୋଇ ।୧୬।

ଅଳ୍ପ ଚାଷ କୁଟୁମ୍ବ ପୋଷ, ବହୁ ଚାଷ ସର୍ବନାଶ ।୧୭।

ଚନ୍ଦ୍ରମଣ୍ଡଳ ମଧ୍ୟେ ତାରା, ମେଘ ବରଷଇ ମୂଷଳ ଧାରା ।୧୮।

ଆଷାଢ଼ ମାସର ବତୁରି ଚାଷ ଅତି ଭାଗ୍ୟ ଥିଲେ ପାଇ

ଠିଆ ହୋଇକରି ଧାନ ବୁଣିଲେ ବସି ଖାଉଥିବୁ ଭାଇ ।୧୯।

ଆଠଦୁମୁକାଣୀ ଷୋଳ ଅସରା, ବତିଶ ଝିପିଝିପି ଚୌଷଠି କୁଣ୍ଡାଝରା

ତେବେ ଧାନ ହୁଏ ଭରା, ଚଷା ପେଟ ହୁଏ ପୂରା ।୨୦।

ଯାହାଘରେ ନାହିଁ ଢ଼ିଙ୍କି ମୂଷଳ, ତା’ଘରେ ଦୁଃଖ ଚିରକାଳ ।

ଚୋର ସେବକ ଚୋରଣୀ ଥାଇ, ପଡ଼ୋଶୀ ଖଳ ଦୁଷ୍ଟ ଭାଇ ।

ଦୁଷ୍ଟା ନାରୀ ପୁତ୍ର ଜୁଆର, ଡ଼ାକ ବୋଲେ ଦୂରେ ପରିହର ।

ନଷ୍ଟ ଗୁଆ ଦକ୍ଷିଣ ବାୟେ, ନଷ୍ଟ ଝିଅ ଦୋଚାରୁଣୀ ମାଏ ।

ନଷ୍ଟବଧୂ ଯେ ପର ଘରେ, ପୁତ୍ର ନଷ୍ଟ ପରଦାର କରେ ।୨୩।

ବ୍ରୀହୀ ନାଶେ ଘନ ଚାଷେ, କୁଳବଧୂ ନାଶେ ପ୍ରବାସେ ।

ଆଦର ନାଶେ ନିତ୍ୟ ଗମନେ, ପବନାଶେ ଘନ ପବନେ ।୨୪।

ଚଷା ହୁଡ଼ିଲେ ହରଷେ ଗଉଡ଼ ହୁଡ଼ିଲେ ଦିନେ ।

ହଟୁଆ ହୁଡ଼ିଲେ ହାଟ ପାଳିଏ, ଏହା ରଖିଥା ମନେ ।୨୫।

ଅନ୍ତେ ତିକ୍ତ ଦାନ୍ତେ ଲୁଣ, ପେଟ ପୂରିବ ତିନିକୋଣ ।

ମଥାରେ ପଗଡ଼ି ପାଦରେ ତେଲ, ବଇଦ ସାଙ୍ଗରେ କରିବ ଗେଲ ।

ସଞ୍ଜ ସକାଳେ ଯେ ପୋଖରୀ ଯାଏ, ତା ପଇସା କି ବଇଦ ଖାଏ ।

ପୋତା ଶାଳ, ଉଭା ତାଳ , ରୁଅ ହେନ୍ତା ବତା ବାଂଶଳ ।

ଗଣ୍ଠି ବେତାଳ, ଘରଣୀ ତେତାଳେ, ତେବେ ସେ ଘରେ ଯାଏ ଅପାରକାଳ ।

ଏକ କୁତା କୁତା ପାଳେ, ଏକ କୁତା କୁତାକୁମାରେ,

ଏକ କୁତା ଶ୍ଵଶୁର ଘରେ ଜ୍ଵାଇଁ, ଏକ କୁତା ଭଉଣୀ ଘରେ ଭାଇ ।।

ଚୁଙ୍ଗୁଚୁଙ୍ଗିଆ ମାଗୁର ନିଶା ଦିହରେ ନଥାଏ ବାଳ ।

ଏ ତିନିଙ୍କି ପରତେ ନଯିବ ଜୀଇଥିବ ଯେତେକାଳ ।୩୦।

କାକୁଡ଼ିଆ ନଡ଼ିଆ ମକ୍କା, ଦାନ୍ତ ପଡ଼ିଲେ ତଳକୁ ପକା ।୩୧।

ଗୀତ ନାଶଯାଏ ବାଟରେ, ପାଣି ନାଶଯାଏ ଫାଟରେ ।

ସ୍ତିରୀ ନାଶଯାଏ ହାଟରେ, ବୁଦ୍ଧି ନାଶଯାଏ କୂଟରେ ।୩୨।

ଗରଜିଲା ମେଘ ବରଷେ ନାହିଁ, ଭୁକିଲା କୁକୁର କାମୁଡ଼େ ନାହିଁ ।

ସୁସଙ୍ଗେ ବସି ଖାଆ ଗୁଆପାନ, କୁସଙ୍ଗେ ବସିଲେ କଟା ଦୁଇକାନ ।

ପଥର ଛାତିଆ ଘର କରନ୍ତି, ପତର ଛାତିଆ ଉଡ଼ି ଜାଆନ୍ତି ।୩୫।

ଖାଇ ଶୋଇଲେ ବଢ଼ଇ ଆୟୁ ।

ଖାଇ ଚାଲିଲେ ବଢ଼ଇ ବାୟୁ ।।

ଖାଇ ବସିଲେ ବଢ଼ଇ ପେଟ ।

ଖାଇ ଖାଇଲେ ଯମର ଭେଟ ।୩୬।

ଜ୍ୟେଷ୍ଠେ କଦଳୀ ଆଷାଢ଼େ କିଆ

ପୋତ ନ ପୋତ ହୁଅଇ ଠିଆ ।୩୮।

ଡାକ ବଚନ ସମ୍ପୂର୍ଣ୍ଣ ।